ଆଇଟିଆଇ ଭୁବନେଶ୍ବରରେ ଖୋଲିଲା ୪ ସ୍ମାର୍ଟ ବିଭାଗ

ଭୁବନେଶ୍ବର : ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଭୁବନେଶ୍ବରସ୍ଥିତ ସରକାର ଆଇଟିଆଇ ପକ୍ଷରୁ ୪ଟି ସ୍ମାର୍ଟ ବିଭାଗ ଖୋଲା ଯାଇଛି। ଇଣ୍ଟରନେଟ୍ ଅଫ୍‌ ଥିଙ୍ଗ୍‌ସ (ଆଇଓଟି)ପାଠ୍ୟକ୍ରମକୁ ଭିତ୍ତି କରି ଏହି ବିଭାଗଗୁଡ଼ିକ ଖୋଲା ଯାଇଛି। ସେଗୁଡ଼ିକ ହେଲା, ଆଇଓଟି ଟେକନସିଆନ୍ ସ୍ମାର୍ଟ ଏଗ୍ରିକଲଚର୍, ଆଇଓଟି ଟେକନସିଆନ୍ ସ୍ମାର୍ଟ ସିଟି, ଆଇଓଟି ଟେକନିସିଆନ୍ ସ୍ମାର୍ଟ ହେଲ୍‌ଥକେୟାର ଏବଂ ସ୍ମାର୍ଟ ଫୋନ୍ ଟେକନିସିଆନ୍ କମ୍‌ ଆପ୍ଲିକେସନ୍ ଟେଷ୍ଟର। ପ୍ରତି ବିଭାଗରେ ୨୪ଟି ଲେଖାଏଁ ସିଟ୍‌ ଅଛି। ଛାତ୍ର, ଅନୁସୂଚିତ ଜାତି ଓ ଜନଜାତି ଏବଂ ଭିନ୍ନକ୍ଷମଙ୍କ ପାଇଁ ମାଗଣା ପଢ଼ିବାର ବ୍ୟବସ୍ଥା କରାଯାଇଛି। ଏହି ଚାରିଟି ବିଭାଗରେ ଯଥାକ୍ରମେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା, ସ୍ମାର୍ଟ ସିଟିରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍‌ ହେବା, ସ୍ବାସ୍ଥ୍ୟ କ୍ଷେତ୍ରରେ ଜ୍ଞାନକୌଶଳର ବ୍ୟବହାର ଏବଂ ସ୍ମାର୍ଟ ଫୋନ୍‌ ଯୁଗରେ ବିଭିନ୍ନ ସଫ୍ଟୱେୟାର ଉପରେ କାର୍ଯ୍ୟ କରିବାର ଦକ୍ଷତା ମିଳିବ।

ଆଇଟିଆଇ ଭୁବନେଶ୍ବରର ଜିତମିତ୍ର ଶତପଥୀ କହିଛନ୍ତି ଯେ, ଏବେ ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରିବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ ଆବଶ୍ୟକ ପଡ଼ୁଛି। ମାଟ୍ରିକ ପାସ୍‌ କରୁଥିବା ଛାତ୍ରଛାତ୍ରୀ ଯଦି ଅତ୍ୟାଧୁନିକ ଜ୍ଞାନକୌଶଳ ଅଧିକାରୀ ହୋଇଥିବେ ତେବେ ନିଯୁକ୍ତି ପାଇବାରେ କିଛି ସମସ୍ୟା ରହିବନି।

ସମ୍ବନ୍ଧିତ ଖବର