ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଆଇଆଇଟି ଛାତ୍ରଛାତ୍ରୀ: ଧର୍ମେନ୍ଦ୍ର

ଲେକ୍‌ଚର୍ ହଲ୍ ଓ ଋଷିକୁଲ୍ୟା ଛାତ୍ରାବାସ ଲୋକାର୍ପଣ, ଆଇଆଇଟି ଓ ଏସ୍‌ଡିଆଇ ଭୁବନେଶ୍ୱର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର: ଆଇଆଇଟିର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଖୁବଶୀଘ୍ର ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କରାଯିବ। ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୟନ ନୂଆ ଜାତୀୟ ଶିକ୍ଷାନୀତିରେ ବହୁ ଭାଷା ବିଷୟକୁ ଗୁରୁତ୍ୱ ଦିଆଯାଇଛି। ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଆ ସମେତ ବଙ୍ଗଳା, ମାଲୟାଲମ, ମରାଠୀ, ଗୁଜୁରାଟୀ, ତେଲୁଗୁ ଭଳି ଆଞ୍ଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି। ଜାତୀୟ ଶିକ୍ଷାନୀତିର ପ୍ରମୁଖ ଦିଗ ହେଉଛି ଭାରତର ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତର ନୂଆ ମାନଚିତ୍ର ପ୍ରସ୍ତୁତ କରିବ। ଆଜି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ଭୁବନେଶ୍ୱରର ପୁଷ୍ପଗିରି ଲେକଚର ହଲ୍ କମ୍ପଲେକ୍ସ ଓ ଋଷିକୁଲ୍ୟା ଛାତ୍ରାବାସର ଲୋକାର୍ପଣ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଦେଶରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା, ଆକାଂକ୍ଷାକୁ ପୂରଣ କରିବ ବୋଲି ଉଲ୍ଲେଖ କରି ସେ ଆହୁରି କହିଛନ୍ତି ଯେ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ସମର୍ପିତ ହୋଇଥିଲା। ପରବର୍ତୀ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ଆଇଆଇଟିର ସାମାଜିକ ମର୍ଯ୍ୟାଦା ସହ ଗୁଣାତ୍ମକ ମାନ ବୃଦ୍ଧି କରିଛି। ୮୦୦ ଶଯ୍ୟା ବିଶିଷ୍ଟ ଋଷିକୁଲ୍ୟା ଛାତ୍ରାବାସ ଓ ଅତ୍ୟାଧୁନିକ ଲେକଚର୍‌ ହଲ୍‌ର ଶୁଭାରମ୍ଭ ଦ୍ବାରା ଏହାର ଭିତ୍ତିଭୂମି ଆହୁରି ମଜବୁତ୍‌ ହୋଇଛି। ଶିଳ୍ପ ବିପ୍ଳବ ୪.୦ ବିଶ୍ୱର ବିକାଶ ପାଇଁ ବ୍ୟବସାୟର ନୂଆ ମଡେଲ ଆବଶ୍ୟକତା କରୁଛି। ଏଭଳି ସମୟରେ ଆଇଆଇଟି ଭୁବନେଶ୍ୱର ନୂଆ ବ୍ୟବସାୟ ଓ ଆର୍ଥିକ ମଡେଲ ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରିବା ସହ ନୂଆ ବୈଷୟିକ ସମସ୍ୟାର ସମାଧାନ କରିବା ଦରକାର। ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟପେୟର ପ୍ରଚାର ପ୍ରସାର କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଆ ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାର ଦେବା ପାଇଁ ଆଇଆଇଟି ଭୁବନେଶ୍ୱର ଓ ଦକ୍ଷତା ବିକାଶ ପ୍ରତିଷ୍ଠା(ଏସ୍‌ଡିଆଇ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା। ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରତିଷ୍ଠାନ ଦେଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଆଧୁନିକ ଭାରତ ପାଇଁ ରାସ୍ତା ନିର୍ମାଣ ଓ ପଥ ପରିଷ୍କାର କରିବ ବୋଲି କହିଥିଲେ। ଆଇଆଇଟି ନିର୍ଦେଶକ ଆର୍‌ ଭି ରାଜାକୁମାର ଯୋଗଦେଇ କହିଲେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଦୁଇଟି ପର୍ଯ୍ୟାୟରେ ୧୨୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟସ୍ତରର ଲେକଚର୍ ହଲ୍ କମ୍ପଲେକ୍ସ ନିର୍ମାଣ ପାଇଁ ୧୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୬ ହଜାର ୩୫୪ ବର୍ଗ ମିଟରରେ ନିର୍ମାଣାଧୀନ ଏହି କମ୍ପଲେକ୍ସରେ ୩ଟି ବିଲଡିଂ ରହିଛି। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି। ୮୦୦ ଶଯ୍ୟା ବିଶିଷ୍ଟ ଋଷିକୁଲ୍ୟା ଆବାସିକ ଛାତ୍ରାବାସ ମଧ୍ୟ ବିଶ୍ବସ୍ତରୀୟ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର