ଭୁବନେଶ୍ୱର: ଆଇଆଇଟିଠାରେ ‘ସବୁଜ ସିମେଣ୍ଟ କମ୍ପୋଜିଟ୍ ପଦାର୍ଥ’ ଶୀର୍ଷକ ଅନ୍ତର୍ଜାତୀୟ ଗ୍ରୀଷ୍ମକାଳୀନ କର୍ମଶାଳା ଗତ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗବେଷକ ଅଧ୍ୟାପକ ଭିକ୍ଟର ସି.ଲି ଏହାକୁ ଉଦ୍ଘାଟନ କରି କହିଲେ, ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ରରୁ ନିର୍ଗତ ଉଡ଼ନ୍ତା ପାଉଁଶ ତଥା ଲୋହ ଉତ୍ପାଦନରୁ ନିର୍ଗତ ଅନେକ ଶିଳ୍ପଜାତ ବର୍ଜ୍ୟବସ୍ତୁର ବ୍ୟବହାର କରି ସିମେଣ୍ଟକୁ ସବୁଜ କରାଯାଇପାରିବ। ଏହା ଉଭୟ ପରିବେଶ ଓ ଭିିତ୍ତିଭୂମିର ସ୍ଥାୟିତ୍ୱ ପାଇଁ ସହାୟକ ହେବ ବୋଲି ସେ କହିଥିଲେ।
ଶେଷ ଦିନରେ ଆଇଆଇଟିର ବରିଷ୍ଠ ଅଧ୍ୟାପକ ରବୀନ୍ଦ୍ର ଗେଟୁଙ୍କର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ପରିଚାଳନା କରିଥିଲେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦିନକର ପଶାଲା, ଆଇଆଇଟି ଖଡଗପୁରର ଅଧ୍ୟାପକ ପ୍ର. ନିଲଞ୍ଜନ ମିତ୍ର ଓ ବିପିୟୁଟି ଅଧୀନସ୍ଥ କେଏମ୍ବିବି କଲେଜର ମୁଖ୍ୟ ଧନଦାକାନ୍ତ ମିଶ୍ର। ଏଥିରେ ବିଭିନ୍ନ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଅନେକ ଶିଳ୍ପାନୁଷ୍ଠାନରୁ ୧୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ ଓ କର୍ମକର୍ତ୍ତା ସାମିଲ୍ ହୋଇଥିଲେ। ହଂକଂ ବିଶ୍ୱବିଦ୍ୟାଳୟର କ୍ରିଷ୍ଟ୍ ଫର୍ ଲିୟଙ୍ଗ୍, ଜିଙ୍ଗ ୟୁ ଓ ପବିତ୍ରା ପାର୍ଥସାରଥୀ, ଅଷ୍ଟ୍ରେଲିଆର ସ୍ୱିର୍ଣ୍ଣବର୍ଣ୍ଣ ବିଶ୍ୱବିଦ୍ୟାଳୟର ବେହଜାଦ ନେମୋତୋଲାହି, ଆଇ.ଆଇ.ଟି. କାନପୁରର ପ୍ରଫେସର ଦୁର୍ଗେଶ ଚନ୍ଦ୍ର ରାୟ, ଆଇ.ଆଇ.ଟି ମୁମ୍ବାଇର ଡି.ଏନ୍. ସିଂହ, ଆଇଆଇଟି ହାଇଦ୍ରାବାଦର କୋଲୁରୀ ସୁବ୍ରମଣ୍ୟମ୍ ଓ ଆଇଆଇଟି ଚେନ୍ନାଇର ପୀୟୂଷ ଚଉନ୍ଶାଲି ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଇଣ୍ଡିଆନ୍ କଂକ୍ରିଟ୍ ଇନ୍ଷ୍ଟିଚ୍ୟୁଟ୍, ଡାଲ୍ମିଆ ସିମେଣ୍ଟ୍, ଅଲ୍ଟ୍ରାଟେକ୍ ସିମେଣ୍ଟ ଓ ରାମ୍କୋ ସିମେଣ୍ଟ୍ ପ୍ରମୁଖ ସହଯୋଗ କରିଥିଲେ।