ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଚୁନ କୋଳି ବସ୍ତି ଅଞ୍ଚଳରେ ଥିବା ଏକ ଡୁପ୍ଲେକ୍ସରେ ଚାଲିଥିବା ବେଆଇନ୍ ବାଣ କାରଖାନାରେ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଜଣ ସାମାନ୍ୟ ଆହତ ହୋଇଛନ୍ତି। ମାତ୍ର ତଳ ମହଲାରେ ଭଡ଼ାରେ ରହୁଥିବା ପ୍ରାୟ ୩୦ ଯୁବତୀ ସୌଭାଗ୍ୟବଶତଃ ଏହି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଆଜି ସେମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଯାଇଥିବାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଅଗ୍ନିକାଣ୍ଡରେ ଡୁପ୍ଲେକ୍ସର ଉପର ମହଲା ଘରର ଆସବାବପତ୍ର ଏବଂ ରୋଷେଇଘରେ ଅଗ୍ନିକାଣ୍ଡ ଘଟି ଜିନିଷପତ୍ର ଛିନ୍‌ଛତର ହୋଇଯାଇଛି। ଏହାସହିତ ସିଡ଼ିଘରେ ରଖାଯାଇଥିବା ବିଭିନ୍ନ ପ୍ରକାର ଫ୍ୟାନସି ବାଣ ଫୁଟିବା ଶବ୍ଦରେ ସିଡ଼ିଘର କାନ୍ଥ ବିମ୍ ଓ ଛାତ ଉଡ଼ିଯାଇ ଅନ୍ୟଏକ ସ୍ଥାନରେ ପଡ଼ିଛି। ଘର ଭିତରେ ଥିବା ବାରୁଦ ଓ କିଛି ଗଡ଼ମା ବୋମା ଫାଟିବା ଶବ୍ଦ ପ୍ରକୋପ ଏତେ ଜୋର ଥିଲା ଯେ ଆଖପାଖରେ ଥିବା ଚୁନକୋଳି ବସ୍ତିର କିଛି ଝୁମ୍ପୁଡ଼ିଘର କାନ୍ଥ ଫାଟିଯାଇଛି। ଘଟଣା ପରେ ଘରଭିତରେ ଥିବା ବିଘ୍ନ‌ଦାସ ପଟ୍ଟନାୟକ ଓ ଅନ୍ୟ ୩ଜଣ ବ୍ୟକ୍ତି ଉପର ମହଲାରୁ ତଳକୁ ଦୌଡ଼ି ପଳାଇ ଆସିଥିଲେ। ପରେ ବୋମା ଲଗାତାର ଫୁଟିବା ଅରମ୍ଭ କରିଥିଲା। ଉପର ମହଲାର ରୋଷେଇଘରେ ନିଆଁ ବ୍ୟାପିବା ପରେ ଏକ ଗ୍ୟାସ୍ ସିଲିଣ୍ଡର୍‌ ମଧ୍ୟ ଫାଟି ଯାଇଥିଲା। ଏ ସମ୍ପର୍କରେ ଶୈଳଶ୍ରୀବିହାର ଦମକଳ ବାହିନୀ ସ୍ଥାନୀ‌ୟ ଲୋକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିବାରୁ ମଞ୍ଚେଶ୍ବର ଓ କଳ୍ପନା ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା ପ୍ରାୟ ୮ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଲାଗିଥିଲେ। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସମୟରେ କିଛ ଅଫୁଟା ବୋମା ଫୁଟିଥିଲା। ପ୍ରାୟ ଅଢ଼େଇ ଘଣ୍ଟାଧରି ନିଆଁ ଲିଭା ପ୍ରୟାସ ଚାଲିବା ପରେ ପ୍ରାୟ ରାତି ସାତଟା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭା ଯାଇଥିଲା।

Advertisment

ତଳେ ଲେଡିଜ୍‌ ହଷ୍ଟେଲ ଉପରେ କାରଖାନା
ଡୁ‌ପ୍ଲେକ୍ସ୍ ଘର ଉପରେ ଜଣେ ବ୍ୟକ୍ତି ଭଡ଼ାରେ ରହୁଥିବା ସହ ଅନ୍ୟ କିଛି କୋଠରିରେ ଚାଲିଥିଲା ବାଣ କାରଖାନା। ସିଡ଼ିଘରକୁ ଗୋଦାମ କରାଯାଇ ଶହଶହ ବାଣ ପେଟି ରଖାଯାଇଥିଲା। ମାତ୍ର ଏହି ବେଆଇନ୍ ବାଣ କାରଖାନା ଚାଲିଥିବା ଘର ତଳ ମହଲାରେ ରହିଥିଲେ ପ୍ରାୟ ୩୦ ଜଣ ଯୁବତୀ। ଯେଉଁମାନେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଏକ କଲ୍‌ ସେଣ୍ଟରରେ କାମ କରୁଥିଲେ। ସେମାନେ ସଂଧ୍ୟା ସମୟ ଛାତ ଉପରେ ବୁଲାବୁଲି କରିବା ପାଇଁ ଚାଲିଆସନ୍ତି  ବୋଲି ସ୍ଥାନୀୟ ଲୋକ କୁହନ୍ତି। ମାତ୍ର ସୌଭାଗ୍ୟକ୍ରମେ ଆଜି ସେମାନଙ୍କର ସେକେଣ୍ଡ ସିପ୍ଟ ଡ୍ୟୁଟି ଥିବାରୁ ମଧ୍ୟାହ୍ନରେ ସମସ୍ତେ ଘର ତାଲା ପକାଇ କାର୍ଯ୍ୟାଳୟକୁ ଚାଲିଯାଇଥିଲେ। ଫଳରେ ଏକ ବଡ଼ ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଥିଲେ।

ପୁଲିସ ଅଗୋଚରରେ ଚାଲିଥିଲା 
ଇନ୍‌ଫୋସିଟି ଥାନାଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏହି ବେଆଇନ ବାଣ କାରଖାନାକୁ ଦୀପାବଳି ବେଳେ ଶହଶହ ବ୍ୟବସାୟୀ ହୋଲସେଲ ଦାମରେ ବାଣ କିଣିବା ପାଇଁ ଆସୁଥିଲେ। ଏନେଇ ଇନ୍‌ଫୋସିଟି ଥାନା ପୁଲିସ ପାଖରେ ଖବର ମଧ୍ୟ ଥିଲା। କେବଳ ବାଣ ଗୋଦାମ କରିଥିବା ବ୍ୟକ୍ତି ଜଣଙ୍କ ହୋଲସେଲ୍ ଦାମରେ ବାଣ ବିକ୍ରି କରିବା ପାଇଁ ଅନୁମତି ଆଣିଥିବା ପୁଲିସ ନିକଟରେ ସୂଚନା ଥିଲା। କିନ୍ତୁ ସେଠାରେ ବାଣ କାରଖାନା ଚାଲିଥିବା ଓ ଦୀପାବଳି ପରେ ମଧ୍ୟ ବାଣ ବେପାର ହେଉଥିବା ନେଇ କୌଣସି ସୂଚନା ନଥିବା ପୁଲିସ କହିଛି। ଆଗକୁ ବୋଇତ ବନ୍ଦାଣ ଉତ୍ସବ ଥିବାରୁ କିଛି ଗ୍ରାହକଙ୍କ ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ବାଣ କାରଖାନାରେ ନିଆଁ ଲାଗିଯାଇଥିଲା। ଏନେଇ ପୁଲିସ ଘର ମାଲିକ ଓ ବାଣ ବେପାର କରୁଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଉପକଣ୍ଠ ଉପରେ ନଜର ନାହିଁ
ରାଜଧାନୀ ଉପକଣ୍ଠ ଉପରେ‌ ପୁଲିସର ନଜର ନଥିବାରୁ ପ୍ରତିବର୍ଷ କିଛିନା କିଛି ଅଘଟଣ ଘଟୁଛି। ଏହି ଭଳି ବେଆଇନ ବାଣ ପ୍ରସ୍ତୁତ କରି ଜୀବନ ମଧ୍ୟ ହରାଉଛନ୍ତି। ବିଗତ ବର୍ଷଗୁଡ଼ିକରେ ବାଲିଅନ୍ତା, ବାଲିପାଟଣା ଅଞ୍ଚଳରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ଅନେକ ଜୀବନ ଯାଇଛି। ତେବେ ଉତ୍ତର ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ଚୋରା ଭାବେ ଅନେକ ସ୍ଥାନରେ ଚାଲିଛି ବାଣ ବ୍ୟବସାୟ। ଯାହାକୁ ନେଇ ପୁଲିସ ନିକଟରେ କୌଣସି ସୂଚନା ନାହିଁ। ଯାହାର ଏକ ବଡ଼ ଉଦାହାରଣ ହେଲା ଆଜି ଇନ୍‌ଫୋସିଟି ଚୁନକୋଳି ବସ୍ତି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ। ଆହୁରି ଅନେକ ସ୍ଥାନରେ ଲୁଚା ଚୋରାରେ ଏହିଭଳି ବାଣ ବ୍ୟବସାୟ ଚାଲିଛି, ଗୋଦାମ ହୋଇ ବାଣ ଗଚ୍ଛିତ ରହିଛି ଏବଂ ନୂଆ ବାଣ ତିଆରି ହେଉଛି ବୋଲି ବିଷେଶ ସୂତ୍ରରୁ ଜଣାପଡ଼ିଛି। ମାତ୍ର ପୁଲିସ ଏହାର ଟେର୍ ପାଇପାରୁନାହିଁ।