ଭୁବନେଶ୍ବର: ସର୍ବକ୍ଷମା ଯୋଜନାର ଅବଧି ଫେବ୍ରୁଆରି ୨୦ରେ ସରିବ। ଏହାପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ବେଆଇନ ନିର୍ମାଣ ଉପରେ ଚଢ଼ଉ ହେବ। ଯିଏ ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ବେଆଇନ ନିର୍ମାଣ କରିଥିବେ, ସେଗୁଡ଼ିକୁ ଭଙ୍ଗାଯିବ ନଚେତ୍ ସିଲ୍‌ କରାଯିବ। ଚଳିତ ମାସର ଶେଷ ସପ୍ତାହରୁ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଏହି ଚଢ଼ଉ ହେବ। ଏହି ଅଭିଯାନ କିନ୍ତୁ ଆରମ୍ଭ ହେବ ଜନପଥରୁ। ଏନେଇ ବିଡିଏ ପକ୍ଷରୁ ଜନପଥରେ ମୋବାଇଲ୍‌ କୋର୍ଟ ବସିବ। ଘଟଣାସ୍ଥଳରେ ଶୁଣାଣି କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ। ସର୍ବକ୍ଷମା ଯୋଜନା ଅବଧି ତୃତୀୟଥର ପାଇଁ ବଢ଼ିବା ପରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଏହା କହିଛନ୍ତି। ଯେଉଁମାନେ ବେଆଇନ ନିର୍ମାଣ କରିଛନ୍ତି ଏବଂ ସର୍ବକ୍ଷମା ଯୋଜନାରେ ଏହାକୁ ନିୟମିତ କରିବାକୁ ଆବେଦନ କରିନାହାନ୍ତି, ସେମାନଙ୍କ ପାଇଁ ଏହା ଶେଷ ସୁଯୋଗ। ଫେବ୍ରୁଆରି ୨୦ ଭିତରେ ସର୍ବକ୍ଷମା ଯୋଜନାରେ ଆବେଦନ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜନପଥ ପରେ ଜୟଦେବ ବିହାର-ନନ୍ଦନକାନନ ରୋଡ୍‌ ଏବଂ ରାଜଧାନୀର ଅନ୍ୟ ଅଞ୍ଚଳରେ ଜୋରଦାର୍‌ ଚଢ଼ଉ କରାଯିବ।

Advertisment

ସଙ୍ଗେସଙ୍ଗେ ଶୁଣାଣି, କାର୍ଯ୍ୟାନୁଷ୍ଠାନ
ପାର୍କିଂ ଜାଗାରେ ବି ଦୋକାନ
ମୋଟ୍‌ ନିର୍ମାଣର ୪୦ରୁ ୫୦% ଛାଡ଼ିବାକୁ ନିୟମ ଅଛି

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜନପଥରେ ପ୍ରାୟ ୫୦୦ରୁ ଅଧିକ ଛୋଟବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ, ମଲ୍‌, ରେସ୍ତୋରାଁ, ସୋ’ରୁମ୍ ଥିବା ବେଳେ କେହି ବି ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ମାନି ନାହାନ୍ତି। ସମସ୍ତେ କୋଠା ନିର୍ମାଣ ବେଳେ ବିଡିଏରୁ ଯେଉଁ ପ୍ଲାନ୍ ଅନୁମୋଦନ କରିଥିଲେ, ତାହାକୁ ମାନି ନାହାନ୍ତି। ନିୟମ ଅନୁଯାୟୀ, ସମସ୍ତ ସପିଂ ମଲ୍‌ ମୋଟ୍‌ ନିର୍ମାଣର ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବାକୁ ଥିବା ବେଳେ ଅନ୍ୟମାନେ ୪୦% ଜାଗା ଛାଡ଼ିବେ। କିନ୍ତୁ ଜନପଥରେ ଥିବା କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିୟମକୁ ମାନି ନାହାନ୍ତି କି ଏବେ ସର୍ବକ୍ଷମା ଯୋଜନାରେ ଆବେଦନ ବି କରୁନାହାନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜନପଥ ଏବଂ ଏହା ନିକଟସ୍ଥ ଗଳିରେ ୫୦୦ରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ (ଛୋଟ ଦୋକାନକୁ ବାଦ୍‌ ଦେଇ) ଥିବା ବେଳେ ଅଧିକାଂଶଙ୍କର ୫ହଜାର ବର୍ଗଫୁଟ୍‌ରୁ ଅଧିକ ଅଞ୍ଚଳରେ ସୋ’ରୁମ୍‌ ଅଛି। ଏପରିକି ବହୁ ସୋ’ରୁମ୍ ୧୦ ହଜାର ବର୍ଗଫୁଟ୍‌ରୁ ଅଧିକ ଅଞ୍ଚଳରେ ହୋଇଥିବା ବେଳେ ପ୍ରାୟ ୨୦ଟି ସୋ’ରୁମ୍‌, ହୋଟେଲ, ମଲ୍‌ ପ୍ରାୟ ୫୦ ହଜାର ବର୍ଗଫୁଟ୍‌ ଉପରେ ନିର୍ମାଣ ହୋଇଛି। ଏମାନେ ମୋଟ୍‌ ନିର୍ମାଣର ୪୦ରୁ ୫୦% ଜାଗା ପାର୍କିଂ ପାଇଁ ଛାଡ଼ିବା ଦରକାର। କିନ୍ତୁ କେହି ଛାଡ଼ି ନାହାନ୍ତି। ଯଦି ଜନପଥରେ ପାର୍କିଂ ଅଞ୍ଚଳ କେତେ ଛଡ଼ାଯିବା ଦରକାର ହିସାବ କରାଯାଏ, ତେବେ ଏହା ପ୍ରାୟ ୧୨ଲକ୍ଷ ୫୦ହଜାର ବର୍ଗଫୁଟ୍‌ ହେବ। ସର୍ବକ୍ଷମା ଯୋଜନାର ହିସାବ ଅନୁଯାୟୀ, ପାର୍କିଂ ଅଞ୍ଚଳ ଛାଡ଼ି ନଥିବା ସଂସ୍ଥା ଜରିମାନା ଦେଲେ ବର୍ଗଫୁଟ ପିଛା ହଜାରେ ଟଙ୍କା ହିସାବରେ ଦେଲେ ବିଡିଏକୁ ୧୨୫ କୋଟି ଟଙ୍କା ମିଳିବ।

ବିଡ଼ମ୍ବନାର ବିଷୟ, ସର୍ବକ୍ଷମା ଯୋଜନାରେ ଏହି ସବୁ ପ୍ରତିଷ୍ଠାନଗୁଡ଼ିକ ବିଡିଏ/ବିଏମ୍‌ସିରେ ଜରିମାନା ଦେଇ ସେମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବା ଦରକାର। ହେଲେ କେହି କରିନାହାନ୍ତି। ଏଥିଯୋଗୁଁ ସେଗୁଡ଼ିକୁ ଅଗ୍ନି ନିରାପତ୍ତା କିମ୍ବା ଅକୁପାନ୍ସି ସାର୍ଟିଫିକେଟ୍‌ ମିଳିନାହିଁ। ନିୟମ ଅନୁଯାୟୀ, ଏହି ବେଆଇନ ନିର୍ମାଣକୁ ବିଡିଏ ଯେକୌଣସି ମୁହୂର୍ତ୍ତ‌ରେ ଉଚ୍ଛେଦ କରିପାରିବ। କିନ୍ତୁ ସର୍ବକ୍ଷମା ଯୋଜନାରେ ସୁଯୋଗ ଦିଆଯାଇଛି। ସେଥିରେ ବି ସେମାନେ ଆବେଦନ କରୁନାହାନ୍ତି। ତେଣୁ ଯେଉଁ ବେଆଇନ ନିର୍ମାଣକାରୀ ସର୍ବକ୍ଷମାରେ ଆବେଦନ ନ କରିବେ, ସେମାନଙ୍କୁ ଆମେ ନୋଟିସ୍‌ କରି ପ୍ଲାନ୍ ଅନୁମୋଦନଠାରୁ ଅଧିକ ନିର୍ମାଣ ଅଞ୍ଚଳକୁ ଭାଙ୍ଗିବୁ ନଚେତ୍ ପୂରା ପ୍ରତିଷ୍ଠାନକୁ ସିଲ୍‌ କରିଦେବୁ। ଫେବ୍ରୁଆରି ଶେଷ ସପ୍ତାହରେ ହେବାକୁ ଥିବା ଚଢ଼ଉ ପାଇଁ ବିଡିଏ, ବିଏମ୍‌ସି, କମିସନରେଟ୍ ପୁଲିସ/ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ନେଇ ତିନିଟି ସ୍କ୍ବାଡ୍‌ ଗଠନ ହେବ। ଏହି ସ୍କ୍ବାଡ୍‌ ଜନପଥରେ ଚଢ଼ଉ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଟିମ୍‌ରେ ଅମିନମାନଙ୍କୁ ରଖାଯିବ। ଯେଉଁମାନେ ତୁରନ୍ତ ମାପଚୁପ କରି ବେଆଇନ ନିର୍ମାଣକୁ ଚିହ୍ନଟ କରିବେ। ଫଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ। ଏହାସହ ସର୍ଭେ ସମୟରେ ଯେଉଁମାନେ ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ସମୟରେ ପାର୍କିଂ ପାଇଁ ପ୍ଲାନ୍‌ ଅନୁମୋଦନ କରିଛନ୍ତି କିନ୍ତୁ ପାର୍କିଂ ଅଞ୍ଚଳ ରଖିନାହାନ୍ତି, ସେଗୁଡ଼ିକୁ ଖୋଜି ଚିହ୍ନଟ କରାଯିବ। ବିଏମ୍‌ସି ଓ ବିଡିଏର ମିଳିତ ଟିମ୍ ଏନେଇ ସର୍ଭେ କରିବେ। ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ନିର୍ମାଣ ସମୟରେ ଆବଶ୍ୟକୀୟ ପାର୍କିଂ ଅଞ୍ଚଳ ରଖିବେ ବୋଲି ସର୍ତ୍ତ ରଖିଥିଲେ, ଏବେ ରଖିଛନ୍ତି କି ନାହିଁ, ସେହି ଅଞ୍ଚଳରେ କ’ଣ କରୁଛନ୍ତି, ତାହା ମିଳିତ ଟିମ୍ ସର୍ଭେ କରିବ। ଯଦି ପାର୍କିଂ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଥିବ, ତାକୁ ଭଙ୍ଗାଯିବ।