ଭୁବନେଶ୍ୱର : ଆସନ୍ତା ବର୍ଷା ଋତୁରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯିବନି। ଏଥିପାଇଁ ବିଏମ୍ସି ପକ୍ଷରୁ ଆଚାର୍ଯ୍ୟ ବିହାରରେ ବକ୍ସ ଡ୍ରେନ୍ ନିର୍ମାଣ କରି ବର୍ଷା ଜଳକୁ ମୁଖ୍ୟ ଡ୍ରେନ୍-୪ରେ ପକାଇବାକୁ ଯୋଜନା ହୋଇଛି। ଏଥିରେ ବାଧକ ସାଜିଥିବା ସାଇନ୍ସ ପାର୍କ ବସ୍ତିରେ ଆଜି ବିଏମ୍ସି ଓ ବିଡିଏ ପକ୍ଷରୁ ଉଚ୍ଛେଦ ହୋଇଛି। ପୁଲିସ ଉପସ୍ଥିତିରେ ଆଜି ୧୫ଟି ଆଜବେଷ୍ଟସ୍ ଘର, ୧୦୦ଫୁଟ ଲମ୍ବର ପାଚେରି ବି ଭଙ୍ଗାଯାଇଛି।
ଗତ ଜୁଲାଇ ୧୮ ତାରିଖରେ ରାଜ୍ୟ ସରକାର ଜାତୀୟ ରାଜପଥ ୧୬ ତଳ ଦେଇ ଯାଇଥିବା ଏବଂ ଡ୍ରେନେଜ ଚ୍ୟାନେଲ୍କୁ ଯୋଗ କରୁଥିବା ଡ୍ରେନ୍ରେ ଏକ ବକ୍ସ ଡ୍ରେନ ନିର୍ମାଣ ପାଇଁ ୫.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପାଖ ଦେଇ ଯାଇଥିବା ଡ୍ରେନେଜ୍ ଚ୍ୟାନେଲ୍ -୪କୁ ଲାଗିଥିବା ଡ୍ରେନ୍ଗୁଡ଼ିକରୁ ପାଣି ଯାଇ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି କରୁଥିବାରୁ ଏହାର ସମାଧାନ ପାଇଁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏପରିକି ୬ମାସ ମଧ୍ୟରେ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ବକ୍ସ ଡ୍ରେନ୍ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ଏବେ କାମ କରିବନି ବୋଲି କହିଲାଣି।
ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଠିକା ସଂସ୍ଥାର ଯୁକ୍ତି ଯେ ନିର୍ମାଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଧାର୍ଯ୍ୟ ମୂଲ୍ୟର ୨୦% ଅଧିକ ଦେଲେ କାମ କରିବି। ଟେଣ୍ଡର ଅନୁମୋଦନ ହୋଇଯାଇଥିବାରୁ ଏହାର ଦାମ୍ ବଢ଼ାଇବା ସମ୍ଭବ ନୁହେଁ। ସୋମବାର ସୁଦ୍ଧା ଏଗ୍ରିମେଣ୍ଟ ସ୍ୱାକ୍ଷର କରି କାମ ଆରମ୍ଭ କରିବାକୁ ଉକ୍ତ ଠିକା ସଂସ୍ଥାକୁ କୁହାଯାଇଥିଲା। ଯଦି ମଙ୍ଗଳବାର ପୂର୍ବାହ୍ନରେ ଠିକା ସଂସ୍ଥା ଚୁକ୍ତି ସ୍ୱାକ୍ଷର ନକରେ ତେବେ ଅପରାହ୍୍ଣରେ କଳା ତାଲିକାଭୁକ୍ତ କରିଦିଆଯିବ ବୋଲି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ ଯେ, ଜଳସମ୍ପଦ ବିଭାଗ ଅଧୀନରେ ଥିବା କଟକ ଡ୍ରେନେଜ ଡିଭିଜନ୍ ଏହି ବକ୍ସସେଲ୍ ଡ୍ରେନ୍ ନିର୍ମାଣ କାଯ୍ୟର୍ କିଛି ବର୍ଷ ତଳେ ଆରମ୍ଭ କରିଥିଲା। ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ୫୭୭ମିଟର ଲମ୍ବର ବକ୍ସ ଡ୍ରେନ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଡ୍ରେନେଜ୍ ବ୍ୟବସ୍ଥା ବିଏମ୍ସିକୁ ଆସିବା ପରେ ଜଳସମ୍ପଦ ବିଭାଗ କାମ ବନ୍ଦ କରିଦେଇଥିଲା। ବଳକା କାର୍ଯ୍ୟ ସାରିଦେବାକୁ ମେୟର ଅନନ୍ତ ନାରାୟଣ ଜେନା ଜଳସମ୍ପଦ ବିଭାଗକୁ ଦୁଇ ଥର ଚିଠି ଲେଖିଥିଲେ ହେଁ କିଛି ପ୍ରଭାବ ପଡ଼ି ନଥିଲା। ଏହାପରେ ବିଏମ୍ସି ଏହି ବକ୍ସସେଲ୍ ଡ୍ରେନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।