ଖଣ୍ଡଗିରି: ବେଆଇନ ଭାବେ ଭୂତଳ ଜଳ ଶୋଷୁଥିବା ବିଲ୍ଡରମାନଙ୍କ ଗୁମର ‌ଖୋଲିବାରେ ଲାଗିଛି। ପାଇକରାପୁର ଫେଜ୍‌-୧ରେ ଥିବା ‘ଟ୍ରାଇଡେଣ୍ଟ ଗ୍ୟାଲାକ୍ସି’ର ମାଲିକାନା ସଂସ୍ଥା ଟ୍ରାଇଡେଣ୍ଟ ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପରିବେଶ କ୍ଷତିଜନିତ ଜରିମାନା ୩.୫୬କୋଟି ଟଙ୍କା ଭରିବାକୁ କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷ(ସିଜିଡବ୍ଲୁଏ) ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସଂସ୍ଥା ଶୁଣୁନାହିଁ। ଏହି ଅର୍ଥ ଆଦାୟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିଜିଡବ୍ଲୁଏ ଚିଠି ଲେଖିଥିବା ବେଳେ ଏଭଳି ଅନୁରୁପ ଅଭିଯୋଗ ଆଇଆରସି ଭିଲେଜ୍‌ରେ ଥିବା ମେସର୍ସ ଏକ୍ରକ୍ସ ରିୟଲକନ୍‌ ପ୍ରାଃ ଲିଃ ତା’ର ଗୋଠପାଟଣା ଗୃହନିର୍ମାଣ ପ୍ରକଳ୍ପରେ ବେଆଇନ ଭାବେ ଭୂତଳ ଜଳ ଉତ୍ତୋଳନ କରୁଛି। ଏଭଳି ଭୂତଳ ଜଳ ବ୍ୟବହାର କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଆପତ୍ତି ବିହୀନ ପ୍ରମାଣପତ୍ର ଗ୍ରହଣ କରିନାହିଁ। ଏଣୁ କାହିଁକି ଏହି ବେଆଇନ ବୋର୍‌ୱେଲ୍‌ ସିଲ୍‌ କରା ନଯିବ ଓ ଯେବେଠାରୁ ଏହି ଭୂତଳ ଜଳ ବ୍ୟବହାର ହେଉଛି ସେବେଠାରୁ ହିସାବ କରାଯାଇ ପରିବେଶ ଜନିତ କ୍ଷତି ଭରଣା ପାଇଁ ଜରିମାନା ଆଦାୟ ନହେବ ସେ ନେଇ କାରଣ ଦର୍ଶାଇବା ପାଇଁ ନୋଟିସ୍‌ ହୋଇଛି। ନୋଟିସ୍‌ର ସନ୍ତୋଷଜନକ ଉତ୍ତର ନ ମିଳିବାରୁ ୫ କୋଟିରୁ ଊର୍ଦ୍ଧ୍ବ ଜରିମାନା ଆଦାୟ କରିବାକୁ ନୋଟିସ୍‌ ଦେବାକୁ ସିଜିଡବ୍ଲୁଏ ଯୋଜନା କରୁଛି।

Advertisment

ବିଲ୍ଡରଙ୍କ ଏଭଳି ବେଆଇନ କାରବାରକୁ ନେଇ ସମ୍ପୃକ୍ତ ଆବାସିକ ଗୃହ ନିର୍ମାଣ ପ୍ରକଳ୍ପର ଅନ୍ତେବ‌ାସୀ ଛାନିଆ ହୋଇଛନ୍ତି। କୋଟି କୋଟି ଟଙ୍କା ଦେଇ ଘର କିଣିବା ପରେ ଯାବତୀୟ ସେବା ପାଇଁ ପ୍ରତ୍ୟେକ ମାସରେ ଟଙ୍କା ଗଣିବାକୁ ପଡ଼ୁଛି। ପାଣି ପ୍ରତ୍ୟେକଙ୍କର ପ୍ରଥମ ଆବଶ୍ୟକତା। କିନ୍ତୁ ବିଲ୍ଡର ତ୍ରୁଟି ପାଇଁ ପାଣି ସଂଯୋଗ ବିଚ୍ଛିନ୍ନ ହେବାକୁ ଯାଉଛି। କାରଣ ସମ୍ପୃକ୍ତ ବିଲ୍ଡର ସିଜିଡବ୍ଲୁଏ ନୋଟିସ୍‌ର ସନ୍ତୋଷଜନକ ଉତ୍ତର ଦେଇ ନାହିଁ କିମ୍ବା ଏନ୍‌ଓସି ହାସଲ କରିନାହିଁ। ଏଣୁ ଏହି ବୋର୍‌ୱେଲ୍‌ ସିଲ୍‌ ହେବା ଥୟ ହୋଇଛି। ଗତ ‌ମେ ୭ ତାରିଖରେ ସିଜିଡବ୍ଲୁଏ ନୂଆପଲ୍ଲି ସ୍ଥିତ ଆକ୍ରକ୍ସ ରିଅଲ୍‌କନ୍ ପ୍ରାଇଭେଟ୍‌ ଲିମିଟେଡ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ବେଆଇନ ବୋର୍‌ୱେଲ୍‌ ଖୋଳି ଭୂତଳ ଜଳ ଚୋରି କରୁଥିବାରୁ ପରିବେଶ ସୁରକ୍ଷା ଆଇନ, ୧୯୮୬ର ଧାରା ୫ ଅନୁସାରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ତାହାର ୧୫ ଦନ ଭିତରେ ଦର୍ଶାଇବାକୁ ନୋଟିସ୍‌ କରିଥିଲା। କିନ୍ତୁ ଏ ନେଇ ସଂସ୍ଥା ସନ୍ତୋଷଜନକ ଉତ୍ତର ଦେଇନଥିଲା। ଏଣୁ ଦୈନିକ ୧ କିଲୋଲିଟର ପିଛା ୪୫ଟଙ୍କା ହିସାବରେ ପ୍ରକଳ୍ପ ଆରମ୍ଭ ହେବା ଦିନ ଠାରୁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆକଳନ କରି ସିଜିଡବ୍ଲୁଏ ନୋଟିସ୍‌ ପ୍ରସ୍ତୁତ କରୁଛି। ଏ ନେଇ ‘ଏକ୍ରକ୍ସ ରିୟଲ୍‌କନ୍ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅନ୍ତେବାସୀଙ୍କ କହିବା କଥା, ୨୦୧୦ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରୋଜେକ୍ଟରେ ଏବେ ୫୦୦ ପରିବ‌‌ାର ଅଛନ୍ତି। ଆମକୁ ଏଯାଏଁ ଆପାର୍ଟମେଣ୍ଟ ହସ୍ତାନ୍ତର କରାଯାଇ ନାହିଁ। ଏଭଳି ସ୍ଥିତିରେ ପାଣି ସଂଯୋଗ ବିଚ୍ଛିନ୍ନ ହେବା ଘଟଣା ଆମକୁ ଚକିତ କରିଛି। କୋଟି କୋଟି ଟଙ୍କା ଦେଇ ଆମେ ଫସିଯାଇଛୁ ବୋଲି ସେମାନେ କହିଛନ୍ତି।

‘ଟ୍ରାଇଡେଣ୍ଟ ପ୍ରପର୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ଓ ‘ଏକ୍ରକ୍ସ ରିଅଲ୍‌କନ୍ ପ୍ରାଇଭେଟ୍‌ ଲିମିଟେଡ୍‌’କେବଳ ୨ଟି ଉଦାହରଣ ମାତ୍ର। କ୍ରେତାଙ୍କୁ ଅନ୍ଧାରରେ ରଖି ବେଆଇନ ଭାବରେ ପାଣି ସଂଯୋଗ ନେଇ ଶହଶହ ବିଲ୍ଡର ଖସି ଯ‌ାଇଛନ୍ତି। ପାଣି ସଂଯୋଗ ରହିଲେ ବା କଟିଲେ ବିଲ୍ଡର କୌଣସି ପ୍ରଭାବ ପଡ଼ୁନାହିଁ। ସେଠାରେ ରହୁଥିବା ଲୋକ ହିଁ ଯନ୍ତ୍ରଣା ଭୋଗିବାକୁ ଯାଉଛନ୍ତି। ପ୍ରଶ୍ନ ଉଠୁଛି, ପାଣି ସଂଯୋଗ ବିଚ୍ଛିନ୍ନ ହେଲେ ହଜାରହଜାର ବାସିନ୍ଦା କରିବେ କ’ଣ? ବର୍ଷ ବର୍ଷ ଧରି ବେଆଇନ ଭାବେ ବିଲ୍ଡରମାନେ ଭୂତଳ ଜଳ ବ୍ୟବହାର କରୁଥିଲେ କେମିତି? ପ୍ରକଳ୍ପ ଆରମ୍ଭ ହେବା ବେଳେ ଯାଞ୍ଚ ନକରି ୧୦ ବର୍ଷ ପରେ ସିଜିଡବ୍ଲୁଏର କାହିଁକି ମନେ ପଡ଼ିଛି? କେନ୍ଦ୍ର ସରକାରଙ୍କ ସଂସ୍ଥା ସିଜିଡବ୍ଲୁଏ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍‌ ଦେଉଥିଲେ ମଧ୍ୟ ଜିଲ୍ଲାପାଳମାନେ କାହିଁକି ଶୁଣୁ ନାହାନ୍ତି? ଏଭଳି ବେଆଇନ ଉତ୍ତୋଳନ ଯୋଗୁ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବରେ କମୁଥିବାରୁ ବେଳହୁଁ ସାବଧାନ ନ ହେଲେ ଆଗକୁ ସ୍ଥିତି ଅଣାୟତ ହେବ ବୋଲି ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି।