ଖଣ୍ଡଗିରି : ସ୍ଥାନୀୟ ଓୟୁଏଟି ସରକାରୀ କ୍ବାର୍ଟର୍ସରେ ରିଭଲ୍ଭର କାରଖାନା ଚଳାଉଥିବା ଅଭିଯୁକ୍ତ ନୃସିଂହ ନାଏକର ରିମାଣ୍ଡ ସରିବା ପରେ ଶନିବାର ତାକୁ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଦୁଇ ଦିନିଆ ରିମାଣ୍ଡରେ ଆଣି ପୁଲିସ ତା’ଠାରୁ ବହୁ ଗୁରୁତ୍ବପୂର୍ଣ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ବିଶେଷକରି ସେ ତିଆରି କରୁଥିବା ବନ୍ଧୁକ କାହାକୁ ସବୁ ବିକିଛି ବୋଲି ଜାଣିବା ପାଇଁ ପୁଲିସ ଉଦ୍ୟମ କରି ସଫଳ ହୋଇଥିବା ସୂଚନା ମିଳିଛି। ଖଣ୍ଡଗିରି ଥାନା ପୁଲିସ ତାକୁ ୩ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା। କିନ୍ତୁ ଅଦାଲତ ୨ ଦିନ ପାଇଁ ଅନୁମତି ଦେଇଥିଲେ। ଶୁକ୍ରବାର ପୂର୍ବାହ୍ନରେ ପୁଲିସ ତାକୁ ଝାରପଡ଼ା ଜେଲ୍ରୁ ଆଣିବା ପରେ ଖଣ୍ଡଗିରି ଥାନାରେ ପଚରାଉଚରା କରାଯାଇଥିଲା। କମିସନରେଟ୍ ପୁଲିସର ବହୁ ବରିଷ୍ଠ ଅଧିକାରୀମାନେ ତାକୁ ଘନଘନ ଜେରା କରିଥିଲେ। କେତେଦିନ ହେଲା ସେ ଏହି କାରଖାନା ଚଳାଇଥିଲା, କେତେ ବନ୍ଧୁକ ତିଆରି କରି ବିକିଛି ଓ କେଉଁମାନେ ତା’ଠାରୁ ବନ୍ଧୁକ କିଣିଛନ୍ତି ଇତ୍ୟାଦି ଜାଣିବା ପାଇଁ ପୁଲିସ ଉଦ୍ୟମ କରିଥିଲା। ଘଟଣାଦିନ ଜବତ ହୋଇଥିବା ୩ ଅର୍ଧନିର୍ମିତ ରିଭଲ୍ଭର କାହା ବରାଦରେ ହେଉଥିଲା ବୋଲି ମଧ୍ୟ ପୁଲିସ ତାଠାରୁ ସୂଚନା ପାଇଛି। ନୃସିଂହ ପୁଲିସକୁ ବହୁ ଗୁରୁତ୍ବପୂର୍ଣ ତଥ୍ୟ ଦେଇଛି ଓ କମିସନରେଟ୍ ପୁଲିସ ବହୁ ଅପରାଧୀଙ୍କ ବାବଦରେ ସୂଚନା ହାସଲ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଗତ ୧୪ ତାରିଖ ରାତିରେ ନୃସିଂହର ଓୟୁଏଟି କଲୋନିସ୍ଥିତ କ୍ବାର୍ଟର୍ସରେ ଏକ ବୋମା ବିସ୍ଫୋରଣ ହୋଇଥିଲା ଓ ଏହି ଖବର ପ୍ରଚାରିତ ହେବା ପରେ ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ବନ୍ଧୁକ ତିଆରି ମିନି କାରଖାନାଟି ଠାବ କରିଥିଲା। ସେଦିନ ଘଟଣାସ୍ଥଳରୁ ପୁଲିସ ବହୁ ଗୋଳାବାରୁଦ ଜବତ କରିବା ସହ ବୋମା ଓ ଗୁଳି ଉଦ୍ଧାର କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp