ରାଜନୈତିକ ଦଳ ମାନୁନାହାନ୍ତି ବିଏମ୍‌ସି ନିୟମ : ରାସ୍ତା ସାରା ଛାଇ ଯାଉଛି ବେଆଇନ ହୋର୍ଡିଂ

ସରକାରୀ ବିଭାଗ ବି ମାନୁନାହାନ୍ତି

ଭୁବନେଶ୍ୱର : ଯଦି ରାଜଧାନୀରେ କେହି କୌଣସି କାର୍ଯ୍ୟକ୍ରମ ପାଇଁ କେଉଁ ହୋଟେଲ, ଅନୁଷ୍ଠାନ ସମ୍ମୁଖ ହେଉ କି ରାସ୍ତାକଡ଼ରେ ହୋର୍ଡିଂଟିଏ ଲଗାଇ ଦେଉଛି, ବିଏମ୍‌ସି କର୍ମଚାରୀ ମାଡ଼ି ବସୁଛନ୍ତି। ସଙ୍ଗେସଙ୍ଗେ ହୋର୍ଡିଂ କାଟି ନେବା ସହ ୫ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଛନ୍ତି। ହେଲେ ବିଭିନ୍ନ ରାଜନୈତିକ ଦଳ, ସରକାରୀ ବିଭାଗ ରାଜରାସ୍ତାରେ ବାଉଁଶ ପୋତି ହୋର୍ଡିଂ ଲଗାଉଥିଲେ ବି ସେଗୁଡ଼ିକୁ ଉଠାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ହାତ ଯାଉନି। ହୋର୍ଡିଂ କାଟୁନାହାନ୍ତି କି ଜରିମାନା ବି ଆଦାୟ କରୁନାହାନ୍ତି। ଏପରିକି ତାଗିଦ୍‌ କରି ଥରଟିଏ ବି ଚିଠି ଲେଖୁନାହାନ୍ତି। ବିଏମ୍‌ସିର ଏହି ପାତରଅନ୍ତର ନୀତି ନେଇ ରାଜଧାନୀରେ ପ୍ରବଳ ଜନଅସନ୍ତୋଷ ଦେଖାଦେଲାଣି।

ରାଜନେତା ଓ ରାଜନୈତିକ ଦଳ, ସରକାରୀ ବିଭାଗ ପାଇଁ କ’ଣ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି। ଯେଉଁ ବିଏମ୍‌ସି କମିସନର, ବିଏମ୍‌ସି ଅଧିକାରୀ ସାଧାରଣ ଲୋକଙ୍କୁ ଏତେ ନିୟମ କାନୁନ୍‌ ଦେଖାଉଛନ୍ତି, ସେମାନେ କିପରି ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆଇନକୁ ବାଟବଣା କରିଦେଉଛନ୍ତି, ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଏପରିକି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜରରେ କ’ଣ କେବଳ ସାଧାରଣ ଲୋକଙ୍କ ହୋର୍ଡିଂ ଓ ବ୍ୟାନର୍‌ ପଡ଼ୁଛି, ରାଜନୈତିକ ଦଳ ଓ ସରକାରୀ ବିଭାଗର ବେଆଇନ ହୋର୍ଡିଂ ପଡ଼ୁନି କି ବୋଲି ଲୋକ ପ୍ରଶ୍ନ ପଚାରିଲେଣି।

ଶାସକ ଦଳରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ କେହି ପଛରେ ନାହାନ୍ତି। ଯଦି ଜାତୀୟ ଦଳର କେହି ନେତା ଦିଲ୍ଲୀରୁ ଆସୁଛନ୍ତି, ତାଙ୍କୁ ସ୍ବାଗତ କରିବାକୁ ରାଜଧାନୀ ସାରା ହୋର୍ଡିଂ, ଷ୍ଟାଣ୍ଡି, ପତକା ଛାଇ ଯାଉଛି। ଆଞ୍ଚଳିକ ଦଳରେ ବି ସମାନ ଅବସ୍ଥା। କୌଣସି କାର୍ଯ୍ୟକ୍ରମଟିଏ ହେଲେ ସେ ଅଞ୍ଚଳରେ ଦଳୀୟ ପତାକା ଛାଇ ଯାଉଛି। ସ୍ଥିତି ଏପରି ହେଉଛି ଯେ ଦଳୀୟ ନେତା ଯେଉଁ ରାସ୍ତାରେ ଯିବାର କାର୍ଯ୍ୟକ୍ରମ ହେଉଛି ବିମାନବନ୍ଦରରୁ ଆରମ୍ଭ କରି ତାଙ୍କ ଯିବା ରାସ୍ତାରେ କେବଳ ଦଳୀୟ ନେତା‌ଙ୍କ ଫଟୋ ଲାଗିଥିବା ହୋର୍ଡିଂ, ଫ୍ଲେକ୍ସ ଛାଇଯାଉଛି। ମିଡିଆନ୍‌ରୁ ଆରମ୍ଭ କରି ଷ୍ଟ୍ରିଟଲାଇଟ୍‌, ବିଦ୍ୟୁତ ଖୁଣ୍ଟ ପର୍ଯ୍ୟନ୍ତ ସବୁଠି ଦଳୀୟ ପତାକା ମାରି ଦେଉଛନ୍ତି।

ଆଶ୍ଚର୍ଯ୍ୟର ବିଷୟ, ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକ୍ରମ ସରିଲେ ବିଏମ୍‌ସି କର୍ତ୍ତୃପକ୍ଷ ଗାଡ଼ି ଓ କର୍ମଚାରୀ ଲଗାଇ ହୋର୍ଡିଂ କାଟୁଛନ୍ତି। ଆଉ ବିଏମ୍‌ସି ଅଫିସରେ ଗଦାଇ ଅଳିଆ କରୁଛନ୍ତି। ବିଏମ୍‌ସି ଏ ବାବଦରେ ବର୍ଷକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଥରଟିଏ ବି ରାଜନୈତିକ ଦଳକୁ ତାଗିଦ୍‌ କରି ଚିଠି ଲେଖୁନି। ଏପରିକି ଲାଇସେନ୍ସ ଫି’ ଓ ଜରିମାନା ବାବଦକୁ ଲକ୍ଷାଧିକ ଟଙ୍କା ଆଦାୟ ହେବାର ବାଟ ଥିଲେ ହେଁ ତାହା ବି କରୁନି।

ରାଜନୈତିକ ‌ଦଳ ଓ ରାଜନେତାଙ୍କର ବେଆଇନ କାର୍ଯ୍ୟ ଦେଖି ବିଭିନ୍ନ ସରକାରୀ ବିଭାଗ ନିୟମ ଭାଙ୍ଗିବାରେ ଲାଗିଛନ୍ତି। ପର୍ଯ୍ୟଟନ ବିଭାଗ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ସ୍ଥାନରେ ହୋର୍ଡିଂ ଲଗାଉନି। ରାସ୍ତାରେ ବାଉଁଶ ପୋତି ଫ୍ଲେକ୍ସ ମାରିଦେଉଛି। ପ୍ରଚାର ପ୍ରସାର ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କିଛି ନ୍ୟସ୍ତ ସ୍ବାର୍ଥ ଅଧିକାରୀ ଅର୍ଥ ବାଟମାରଣା କରିବା ପାଇଁ ଏହି ସହଜ ଉପାୟଟିକୁ ଧରିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ବି ସରକାରୀ ବିଭାଗ ବୋଲି ଚୁପ୍‌ ବସି ପଡ଼ୁଥିବାରୁ ଉକ୍ତ ଅଧିକାରୀଙ୍କ ଏହି ବେଆଇନ କାର୍ଯ୍ୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। କେବଳ ପର୍ଯ୍ୟଟନ ବିଭାଗ ନୁହେଁ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରୁ ଆରମ୍ଭ କରି ବହୁ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ବେଆଇନ ହୋର୍ଡିଂ ମାରୁଛନ୍ତି।

ବେଆଇନ ହୋର୍ଡିଂ ମରାଯାଉଥିବାରୁ ବିଏମ୍‌ସି କେବଳ କୋଟି କୋଟି ଟଙ୍କା ରାଜସ୍ବ ହରାଉନି, ରାଜଧାନୀର ସୌନ୍ଦର୍ଯ୍ୟୀକରଣ ବି ପ୍ରଭାବିତ ହେଉଛି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‌କେବଳ ଲାଇସେନ୍ସପ୍ରାପ୍ତ ହୋର୍ଡିଂ ଅଞ୍ଚଳରେ ହୋର୍ଡିଂ ଲଗାଇବାର ନିୟମ ଅଛି। ରାଜନୈତିକ ଦଳ ହୁଅନ୍ତୁ କି ସରକାରୀ ବିଭାଗ, ଘରୋଇ ସଂସ୍ଥା; କେହି ବେଆଇନ ହୋର୍ଡିଂ ଲଗାଇ ପାରିବେନି। ଖୁବ୍‌ଶୀଘ୍ର ଆମେ ଏନେଇ ଏକ ସର୍ବଦଳୀୟ ବୈଠକ ଡାକିବୁ। ବିଭିନ୍ନ ରାଜନୈତିକ ଦଳ ଓ ସରକାରୀ ବିଭାଗକୁ ଚିଠି ଲେଖିବୁ।

ସମ୍ବନ୍ଧିତ ଖବର