ମଦ: ବାହାରେ ବନ୍ଦ, ଭିତରେ ଯାହାକୁ ଯେତେ; ପୁଲିସ ଧରୁଛି, ଅବକାରୀ ବିଭାଗ ହାତ ଖାଲି

ଗିଟୁ ଗାଡ଼ିରୁ ଜବତ ପାସ୍ ଗଲା କୁଆଡ଼େ?

ଭୁବନେଶ୍ବର : ଲକ୍‌ଡାଉନ୍ ପରଠାରୁ ବେଲଗାମ ଭାବେ ବଢି ଚାଲିଛି ଚୋରା ମଦ କାରବାର। ବିପୁଳ ପରିମାଣର ମଦ ପୁଲିସ ଜବତ କରୁଛି। ଲାଇସେନ୍ସପ୍ରାପ୍ତ ଦୋକାନରେ ତାଲା ପଡ଼ିଥିବା ବେଳେ ସହରରେ ବେଧଡକ କାରବାର ଚାଲିଛି। ଏସବୁ ମଦ ଚୋରାରେ ଆସି କାରବାର ହେଉଛି ବୋଲି ପୁଲିସ ଜାଣିବାକୁ ପାଇଛି।

ଲକ୍‌ଡାଉନ୍ ପରଠାରୁ ରାଜଧାନୀରେ କମିସନରେଟ ପୁଲିସ ୧୫ରୁ ଅଧିକ ଜାଗାରେ ଚଢାଉ କରି ମାମଲା ରୁଜୁ କରିବା ସହ ବିପୁଳ ପରିମାଣର ମଦ ଜବତ କରିଛି। କିଛି ବେପାରୀଙ୍କୁ ବି ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ଚୋରା ମଦ କାରବାର ଘଟଣାରେ ଅବକାରୀ ବିଭାଗ ପୂରା ଚୁପ୍। ରାଜଧାନୀ, ଏହାର ଉପକଣ୍ଠ ଅଞ୍ଚଳ ଓ ପଡ଼ୋଶୀ ଜିଲ୍ଲାରେ ଚୋରା ମଦ କାରବାର ନେଇ ଅବକାରୀ ବିଭାଗ ନିକଟକୁ ଅଭିଯୋଗ ଆସୁଛି। ଚୋରା ମଦ ବେପାରୀ, ମଦ କାରବାରର ସିକ୍ରେଟ୍ ରୁଟ୍, ଚୋରା ମଦ କାରବାରର କୌଶଳ, କେମିତି ଚାଲାଣ କରାଯାଉଛି, କେଉଁ ଗାଡ଼ି ବ୍ୟବହାର କରାଯାଉଛି ଏ ସବୁର ତଥ୍ୟ ବି ଅବକାରୀ ବିଭାଗକୁ ମିଳୁଛି। କିନ୍ତୁ କାହିଁକି କେଜାଣି ବିଭାଗର ସଫଳତା ହାର ବହୁ କମ୍‌ ରହୁଛି। ଚୋରା ମଦ ଚଢାଉ ନେଇ ଅବକାରୀ ବିଭାଗର ଚିରାଚରିତ ଉତ୍ତର ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୋରା ମଦ କାରବାର ନେଇ ଗଣମାଧ୍ୟମରେ ଏକାଧିକ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଥାନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁଇକ୍ ଆକ୍ସନ ଟିମ୍ ଚଢାଉ କରି ଦୁଇ ଦିନରେ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବିଦେଶୀ ମଦ ଓ କାର ଜବତ କରିଛି। କିନ୍ତୁ ଅବକାରୀ ବିଭାଗ ଫେଲ୍ ମାରିଛି। ଅବକାରୀ ବିଭାଗ କ’ଣ ପାଇଁ ବିଫଳ ହେଉଛି, ତାହା ଏବେ ବିଭିନ୍ନ ମହଲ ପାଇଁ ଉଦ୍‌ବେଗର କାରଣ ହୋଇଛି। ଅବକାରୀ ବିଭାଗ ସବୁ ଜାଣି ଅଜଣା ଭଳି ରହୁଛି ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟ କରୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗିଟୁ ଗାଡ଼ିରୁ ଜବତ ପାସ୍ ଗଲା କୁଆଡ଼େ?
ଚୋରା ମଦ କାରବାର ଅଭିଯୋଗରେ କୁଇକ୍ ଆକ୍ସନ ଟିମ୍ ବରମୁଣ୍ଡାରେ ଚଢାଉ କରି ପ୍ରଦୀପ୍ତ ସ୍ବାଇଁ ଓରଫ୍ ଗିଟୁକୁ ଗିରଫ କରିଥିଲା। ୧୮ ଲିଟର ବିଦେଶୀ ମଦ ସହ କ୍ରେଟା କାର(ଓଡି୦୨ଏୟୁ-୦୦୫୨)କୁ ଜବତ କରିଥିଲା। ଲକ୍‌ଡାଉନ୍ ବେଳେ ଚଳାଚଳ ପାଇଁ ସେ ଗାଡ଼ି ପାଇଁ ଏକ ଅନୁମତି ପତ୍ର (ପାସ୍‌) ମିଳିଥିଲା। ସେହି ପାସଟି ଫିଲ୍ମ ଦୁନିଆ ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ ନାଁରେ ଥିଲା ବୋଲି କୁହାଯାଉଛି। ସେହି ଗାଡ଼ିରେ ସମ୍ପୃକ୍ତ ବ୍ୟକ୍ତି ଯିବା ଆସିବା କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। କିନ୍ତୁ ଥାନାକୁ କାର୍‌ ଜବତ ହୋଇ ଯିବା ପରେ ଲକ୍‌ଡାଉନ୍ ପାସଟି କୁଆଡେ ଗାଏବ ହୋଇ ଯାଇଥିଲା। ପୁଲିସ ହେପାଜତରେ ଥିବା ବେଳେ କିଏ ଏହି ପାସ୍ ଗାଏବ କଲା ତାକୁ ନେଇ ଉଠିଛି ପ୍ରଶ୍ନ। ଯାହାଙ୍କ ନାଁରେ ପାସ୍ ମିଳିଥିଲା ସମ୍ପୃକ୍ତ ବ୍ୟକ୍ତି ଗିଟୁର ଖାସ୍ ସହଯୋଗୀ। ତାଙ୍କୁ ବଞ୍ଚାଇବା ଲାଗି ଗାଡ଼ି ପାସକୁ ଗାଏବ କରାଯାଇ ନାହିଁ ତ ? ଜବତ ଗାଡ଼ିରେ ପାସ୍ ଥିଲା କି ନାହିଁ ଯାଞ୍ଚ ଚାଲିଥିବା ପୁଲିସ କହିଛି। ଗତକାଲି ଗିରଫ ହୋଇଥିବା ଗିଟୁ ଓ ତା ସହଯୋଗୀକୁ ଆଜି ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର