ଚୋରା ମଦ ପାଇଁ ନୟାନ୍ତ ହେଲାଣି ପୁଲିସ : ଚୋରା ଚାଲାଣ ହେଉଛି ଲକ୍ଷାଧିକ ଟଙ୍କାର ମଦ, ତିନି ଗୁଣା ଅଧିକ ଦାମରେ ଚାଲିଛି ବିକ୍ରି

ପୁଲିସ କଣ୍ଟ୍ରୋଲ ରୁମକୁ ଘନ ଘନ ଫୋନ୍
ନିଦରେ ଶୋଇଛି ଅବକାରୀ ବିଭାଗ
ଦୋକାନ ଆଗରେ ତାଲା, ଭିତରେ ମେଲା

ଭୁବନେଶ୍ବର : ସାରା ଦେଶରେ ଚାଲିଛି ଲକଡାଉନ୍। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ଦୋକାନ ବଜାର ବନ୍ଦ। ଏହି ସମୟରେ ସାମାଜିକ ଦୂରତ୍ବ ସହ ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ବ ଦେଉଛନ୍ତି ସରକାର। ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବି ବନ୍ଦ ରହିଛି। ଆଗ ପଟେ ତାଲା ପଡ଼ିଛି ସତ କିନ୍ତୁ ପଛ ବାଟ ଦେଇ ଚାଲିଛି ଚୋରା କାରବାର। ସବୁ ଦିନ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଚୋରା ଚାଲାଣ ହେଉଛି। କିନ୍ତୁ ଟେର୍ ପାଉନି ଅବକାରୀ ଥାନା। ରାଜ୍ୟର ଏକାଧିକ ସ୍ଥାନରେ ଲକ୍ଷାଧିକ ଟଙ୍କାର ମଦ ଜବତ କରୁଛି ପୁଲିସ। କିନ୍ତୁ ନିଦରେ ଶୋଇ ଯାଇଛି ଅବକାରୀ ବିଭାଗ। ଏପଟେ ମଦ ଦୋକାନ ସିଲ୍ ହେଉନି କି ଅବକାରୀ ଥାନା କାର୍ଯ୍ୟାନୁଷ୍ଠାନ ନେଉନି। କଳାବଜାର କରି ମୁନାଫା ମାରି ନେଉଛନ୍ତି ଦୋକାନୀ।

ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କଲାଣି ପୁଲିସ। ଢେଙ୍କାନାଳର ପରଜଙ୍ଗ, କଳାହାଣ୍ଡିର ଜୁନାଗଡ଼ ଓ ଖୋର୍ଦ୍ଧା ଜଙ୍କିଆ ଥାନା ପୁଲିସ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଚୋରାଚାଲାଣ ବେଳେ ଚଢାଉ କରି ଗିରଫ ଧରିଛନ୍ତି। ଗତ ୨ ତାରିଖରେ ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚ​ଳରେ ଦୁଇଟି ପିକଅପ୍ ଭ୍ୟାନରେ ୧ ହଜାରରୁ ଅଧିକ ଲିଟର ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ଖବର ପାଇ ପୁଲିସ ଚଢାଉ କରିଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ। ମଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଥିଲା। ଏହି ମଦ ଲାଇସେନ୍ସପ୍ରାପ୍ତ ଦୋକାନରୁ ଚାଲାଣ ହେଉଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଏ ନେଇ ଅବକାରୀ ଅଧୀକ୍ଷକଙ୍କୁ ବି ଜଣାଇ ଦିଆଯାଇଛି। ଏହି ତିନୋଟି ଘଟଣା ନୁହେଁ, ବିଭିନ୍ନ ଅଞ୍ଚଳରେ ଅଧିକାଂଶ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଏବେ ମଦ ଚୋରା ଚାଲାଣ ଚାଲିଛି। କେଉଁଠି ଗାଡ଼ି ଯୋଗେ ଚାଲାଣ କରାଯାଉଛି ତ ଆଉ କେଉଁଠି ଚୋରା ବେପାରୀ ବାଇକ୍‌ରେ ମଦ କିଣି ବେପାର କରୁଛନ୍ତି। ସହର ଓ ଗାଁ ଗଣ୍ଡାରେ ଚାଲିଛି ଏହି ଚୋରା ମଦ ବେପାର। ମଦର ପ୍ରକୃତ ମୂଲ୍ୟଠାରୁ ପ୍ରାୟ ୩ ଗୁଣା ଅଧିକ ଦାମରେ ବିକ୍ରି ଚାଲିଥିବାରୁ ଦୋକାନୀ, ଚୋରା ବେପାରୀ ସମସ୍ତେ କଳାବଜାର ଆରମ୍ଭ କରି ଦେଇଛନ୍ତି।

ଲକଡାଉନ୍ ପରଠାରୁ ବିଭିନ୍ନ ଅଞ୍ଚଳ​ରେ ଏଭଳି ଢଙ୍ଗରେ ମଦ କାରବାର ଚାଲିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କେତେକ ଲାଇସେନ୍ସପ୍ରାପ୍ତ ଦୋକାନରୁ ମଦ ଚାଲାଣ କରାଯାଉଛି। ଦୋକାନ ଆଗ ପଟେ ତାଲା ପଡ଼ିଛି ସତ, କିନ୍ତୁ ପଛ ବାଟେ କାରବାର ଚାଲିଛି। ଚୋରା ମଦ ବେପାର ନେଇ ପୁଲିସ କଣ୍ଟ୍ରୋଲ ରୁମକୁ ଘନ ଘନ ଫୋନ୍ ଆସୁଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଉଛି। କେତେକ ଘଟଣାରେ ପୁଲିସ ମଦ ଜବତ କରିବା ସହ ବେପାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏବେ ସାରା ରାଜ୍ୟରେ ଲକଡାଉନ୍ ଚାଲୁଥିବାରୁ ପୁଲିସର ଯଥେଷ୍ଟ କାମ ବଢି ଯାଇଛି। ଦିନରାତି ଏକ କରି ପୁଲିସ ଏବେ ଖାଲି ଡ୍ୟୁଟି କରୁଛି। କିନ୍ତୁ ମଦ ଦୋକାନ ସିଲ୍ ହୋଇ ନ ଥିବାରୁ ଚୋରା ମଦ କାରବାର ବଢୁଛି। ଲକଡାଉନ୍ ଚାଲିଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ଚୋରା ମଦ କାରବାରକୁ ପରୋକ୍ଷରେ ପ୍ରଶୟ ଦେଉଛି। କାହିଁକି ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ସିଲ୍ କରାଯାଉନି? କାହିଁକି ଚୋରା ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଅବକାରୀ ଥାନା? ଲକ୍ଷ ଲକ୍ଷ ଟଙ୍କାର ମଦ ଚାଲାଣ ହେଉଥିଲେ ବି କାହିଁକି ଚୁପ୍ ବସିଛି ଅବକାରୀ ଟିମ୍? କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ? ଗୋଟିଏ ପଟେ ଚୋରା ମଦ କାରବାର ବଢି ଚାଲିଥିବା ବେଳେ ଅବକାରୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ।

ସମ୍ବନ୍ଧିତ ଖବର