ବେଆଇନ୍‌ ଗଞ୍ଜେଇ ଚାଷର ହେବ ମୂଳୋତ୍ପାଟନ, ଗ୍ରାମ ଓ ପଞ୍ଚାୟତରେ ଗଠନ ହେବ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ଓ ଚାଷ ବଢ଼ୁଥିବା ବେଳେ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। କିଭଳି ବେଆଇନ ଗଞ୍ଜେଇ ଚାଷର ମୂଳୋତ୍ପାଟନ ହେବ। ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ଭର୍ଚୁଆଲ୍‌ ବୈଠକ ଓ ଆଲୋଚନା କରାଯାଇଥିଲା। ଗଞ୍ଜେଇ ଚାଷ ହେଉଥିବା ରାଜସ୍ୱ ଜମି, ଜଙ୍ଗଲ ଜମି ଓ ଘରୋଇ ଜମିର ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲା ଗୁଡ଼ିକରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ ସ୍ବତନ୍ତର ଟିମ୍‌ ଗଠନ କରାଯଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଜିଲ୍ଲାପାଳ ପଞ୍ଚାୟତିରାଜ ସଦସ୍ୟ, ଗ୍ରାମସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବେ।

ବେଆଇନ ଗଞ୍ଜେଇ ଚାଷ ତଥା ପରିବହନ ପାଇଁ ଏନ୍‍ଡିପିଏସ୍‍ ଅଧିନିୟମରେ ଥିବା ଦଣ୍ଡବିଧାନ ବ୍ୟବସ୍ଥା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଆଲୋଚନାରେ କୁହାଯାଇଥିଲା। ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣ କୁମାର ବୋଥ୍ରା,ଏସଟିଏଫ୍‍ ଡିଆଇଜି ଜୟ ନାରାୟଣ ପଙ୍କଜ, ଅବକାରୀ କମିସନର ଦାୟିତ୍ୱରେ ଥିବା ରାମଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଏନ୍‍ସିବିର ଏସପି, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ବୌଦ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ଅନଗୁଳ ଏବଂ ଦେବଗଡ଼ର ଏସ୍‍ପି, ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର