ରାଜଧାନୀରେ ଯାନ୍ତ୍ରିକ ସଫେଇକୁ ଅନୁମତି ନାହିଁ, ବେଆଇନ ଭାବେ ଦିଆ ହେଉଛି ଟଙ୍କା

ଭୁବନେଶ୍ବର : ହକି ବିଶ୍ବକପ୍‌ ଆୟୋଜନ ପୂର୍ବରୁ ତରବରିଆ ଭାବେ ୨୦୧୮, ଅକ୍ଟୋବର ୨ ତାରିଖରୁ ରାଜଧାନୀରେ ଯାନ୍ତ୍ରିକ ସଫେଇ ଆରମ୍ଭ ହେଲା। ରାଜଧାନୀକୁ ସ୍ବଚ୍ଛ କରିବା ପାଇଁ ଯାନ୍ତ୍ରିକ ସଫେଇ ଦରକାର ବୋଲି କହି ଆରମ୍ଭ କରାଗଲା। ଗୋଟିଏ ଟେଣ୍ଡର୍‌ରେ ଦୁଇଟି ପ୍ୟାକେଜ୍‌ରେ ୮୦ କିମି ଅଞ୍ଚଳରେ ଯାନ୍ତ୍ରିକ ସଫେଇ ହେବାକୁ ଥିବାରୁ ଏବଂ ଏଥିପାଇଁ ବର୍ଷକୁ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ଏହି କାମକୁ ପ୍ରଶାସନିକ ଅନୁମତି ଦେବାକୁ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି ଫାଇଲ୍‌ ପଠାଇଥିଲା। ଆଶ୍ଚର୍ଯ୍ୟର ବିଷୟ‌, ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇ ଦେଢ଼ ବର୍ଷ ହେଲା ରାଜଧାନୀରେ ଯାନ୍ତ୍ରିକ ସଫେଇ ହେଉଛି। କିନ୍ତୁ ନଗର ଉନ୍ନୟନ ବିଭାଗ ପ୍ରଶାସନିକ ଅନୁମତି ଦେଉନି। ଫଳରେ ବିଏମ୍‌ସି ଏବେ ସଫେଇ ସଂସ୍ଥାକୁ ବେଆଇନ ଭାବେ କୋଟି କୋଟି ଟଙ୍କା ଗଣି ଚାଲିଛି।

ଅକ୍ଟୋବର, ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ବିଏମ୍‌ସିର ତିନି ଜଣ କମିସନରଙ୍କର ବଦଳି ହୋଇଗଲାଣି। ମେୟରଙ୍କ କାର୍ଯ୍ୟକାଳ ସରି ଜଣେ ପ୍ରଶାସକଙ୍କର ବଦଳି ବି ସରିଲାଣି। ହେଲେ ଆଜି ଯାଏ ଯାନ୍ତ୍ରିକ ସଫେଇ ପାଇଁ କେହି ପ୍ରଶାସନିକ ଅନୁମତି ଆଣି ପାରୁନାହାନ୍ତି। ନଗର ଉନ୍ନୟନ ବିଭାଗ ଏମିତି ପେଚ କଷୁଛି ଯେ ତା’ର ଉତ୍ତର ଦେଇ ଦେଇ ବିଏମ୍‌ସି ଥକିଗଲାଣି। କିନ୍ତୁ ଅନୁମତି ମିଳୁନି। ଏପଟେ ନିୟମ ମାନି ଯାନ୍ତ୍ରିକ ସଫେଇ କରୁଥିବା ସଂସ୍ଥାଙ୍କୁ ଟଙ୍କା ନଦେଲେ ସେମାନେ ସଫେଇ ବନ୍ଦ କରିଦେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ବିଏମ୍‌ସି ନା ପ୍ରଶାସନିକ ଅନୁମତି ଆଣିପାରୁଛି ନା ବେଆଇନ ଭାବେ ସଫେଇ ସଂସ୍ଥାକୁ ଦିଆଯାଉଥିବା ଅଗ୍ରିମ ଟଙ୍କା ଉପରେ ରୋକ୍‌ ଲଗାଇ ପାରୁଛି।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ‘ଦି ଓଡ଼ିଶା ଜେନେରାଲ୍‌ ଫାଇନାନସିଆଲ୍‌ ରୁଲ୍‌ସ’ ଓଜିଏଫ୍‌ଆର୍‌-୧୦ ଅନୁଯାୟୀ, କୌଣସି କାମକୁ ପ୍ରଶାସନିକ ଅନୁମତି ମିଳି ନଥିଲେ ଏହାର ୧୦୦% ପର୍ଯ୍ୟନ୍ତ ଅଗ୍ରିମ ଆକାରରେ ଦେଇ ହେବ। ଏବେ ବିଏମ୍‌ସି ଟେଣ୍ଡର୍‌ ମୂଲ୍ୟଠାରୁ ଅଧିକ ଟଙ୍କା ଅଗ୍ରିମ ଆକାରରେ ଦେଇସାରିଲେଣି। ଏହା ବେଆଇନ ବୋଲି ଜାଣିବା ସତ୍ତ୍ବେ ବି କେହି ପଦକ୍ଷେପ ନେଉନାହାନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ନଗର ଉନ୍ନୟନ ବିଭାଗର ଅଧିକାରୀମାନେ କ’ଣ ଜାଣିପାରୁନାହାନ୍ତି ରାଜଧାନୀରେ କିପରି ଯାନ୍ତ୍ରିକ ସଫେଇ ହେଉଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯାନ୍ତ୍ରିକ ସଫେଇ ନେଇ ଅନୁମତି ନିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାନ୍ତ୍ରିକ ସଫେଇ କାମକୁ ପତାକା ଦେଖାଇ ଉଦ୍‌ଘାଟନ କଲେ। ତା’ ପରେ ବି ଏଥିରେ ଏତେ କ’ଣ କେଁ ରହିଛି ଯେ ନଗର ଉନ୍ନୟନ ବିଭାଗ ପ୍ରଶାସନିକ ଅନୁମତି ଦେଉନି। ଯଦି କିଛି ସମସ୍ୟା ରହିଛି, ତାହାକୁ କ’ଣ କେହି ସମାଧାନ କରିବାକୁ ଚାହୁଁଛନ୍ତି ନା ଚାହୁଁନାହାନ୍ତି।

ଆଶ୍ଚର୍ଯ୍ୟର ବିଷୟ, ବିଏମ୍‌ସିର ପ୍ରଶାସକ ଥିବା ସଂଗ୍ରାମଜିତ୍‌ ନାୟକ ପୌର ପ୍ରଶାସନ ନିର୍ଦ୍ଦେଶକ ପଦବିରେ ପ୍ରାୟ ବ‌େର୍ଷ ହେଲା ଅଛନ୍ତି। ପ୍ରଶାସକ ନିଜେ ସଫେଇ ସଂସ୍ଥା ସହ ଆଲୋଚନା କରୁଛନ୍ତି, ବିଏମ୍‌ସି କେଉଁ ପରିସ୍ଥିତିରେ ଯାନ୍ତ୍ରିକ ସଫେଇ ଆରମ୍ଭ କଲା, କେତେ ଟଙ୍କା ଦିଆଗଲାଣି, ନିୟମ ଅନୁଯାୟୀ ଏହା ଠିକ୍‌ ନା ନାହିଁ ଜାଣିଛନ୍ତି। କିନ୍ତୁ ପୌର ପ୍ରଶାସନ ନିର୍ଦ୍ଦେଶକ ଆସନରେ ବସିବା ପରେ କ’ଣ ଏହାକୁ ଭୁଲି ଯାଉଛନ୍ତି। ସେ ଉଦ୍ୟମ କଲେ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ବାହାର କରିପାରନ୍ତେ। କିନ୍ତୁ ତାହା ହେଉନି। କେବଳ ପ୍ରଶାସକ ନୁହେଁ, ପୂର୍ବତନ କମିସନରଙ୍କ ଅମଳରେ ଯାନ୍ତ୍ରିକ ସଫେଇ ହୋଇଥିବାରୁ ବର୍ତ୍ତମାନର କମିସନର୍‌ ବି ଏଥିରେ ପଶୁ ନାହାନ୍ତି। ତେଣୁ ନଗର ଉନ୍ନୟନ ବିଭାଗକୁ ଫାଇଲ୍‌ ପଠାଇ ସମସ୍ତେ ଚୁପ୍‌ ବସିପଡ଼ୁଛନ୍ତି।

ସମ୍ବନ୍ଧିତ ଖବର