ରିମାଣ୍ଡରେ ଆସିଲା ଜିତୁ ମାନସିଂହ, ଜେରା କରୁଛି ଏସ୍‌ଟିଏଫ୍‌

ଭୁବନେଶ୍ୱର : ବେଆଇନ ଖଣି ଖନନ ସହ ବିଭିନ୍ନ ଥାନାରେ ୧୩ରୁ ଊର୍ଦ୍ଧ୍ବ ମାମଲା ଓ ଢେଙ୍କାନାଳର ଜଣେ ରାଜନେତାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସଂପୃକ୍ତ ଥିବା ଖୋର୍ଦ୍ଧା ଦଳେଇପୁଟର ଜିତେନ୍ଦ୍ର ମାନସିଂହ (ଜିତୁକୁ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରିମାଣ୍ଡ‌ରେ ଆଣିଛି। ଏକ ସ୍ବତନ୍ତ୍ର ସ୍ଥାନରେ ତାକୁ ରଖାଯାଇ ମାରାଥନ୍‌ ଜେରା ଚାଲିଛି। ଏହି ଜେରା ବେଳେ ଖୋର୍ଦ୍ଧା ବେଆଇନ ଖଣି ମାମଲାର ଗୁଢ଼ ରହସ୍ୟ ଉନ୍ମୋଚନ ହୋଇପା‌‌ରେ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି।

ଖୋର୍ଦ୍ଧାରେ ଚାଲିଥିବା ବେଆଇନ ଖଣି କାରବାର ପାଇଁ ବିଭିନ୍ନ ସମୟ‌ରେ ଗୁଳିକାଣ୍ଡ ଘଟିଛି। ଖୋର୍ଦ୍ଧା ସହ ଭୁବନେଶ୍ବରରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ମଧ୍ୟ ତା ନାମରେ ସହିଦ ନଗର ଥାନାରେ ମାମଲା ରହିଛି। ଦୀର୍ଘ ଦିନ ଧରି ଏସ୍‌ଟିଏଫ୍‌କୁ ଚକ୍‌ମା ଦେବା ପରେ ସେ ୧୬ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିଥିଲା। ତା’ଠାରୁ ଅଧିକ ତଥ୍ୟ ପାଇଁ ୫ଦିନ ରିମାଣ୍ଡରେ ଆଣିବାକୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଏସ୍‌ଟିଏଫ୍‌ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ। ଆଜି ତାକୁ ଅଣାଯିବା ପରେ ପଚରାଉଚରା ଆରମ୍ଭ ହୋଇଛି। ଏହି ମାମଲାରେ ଏସ୍‌ଟିଏଫ୍‌ ପୂର୍ବରୁ ୨୦ଜଣଙ୍କୁ ଗିରଫ କରିସାରିଛି।

ଜିତୁ ଛୋଟାର ସହଯୋଗୀ ଥିଲା। ଛୋଟା ଗିରଫ ହେବା ପରେ ତା’ ବୟାନକୁ ଆଧାର କରି ଜିତୁକୁ ଏସ୍‌ଟିଏଫ୍‌ ଖୋଜୁଥିଲା। ନିକଟ ଅତୀତରେ ଜିତୁର ଭାଇ ନିତୁ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଥିଲା। ତା’ ବୟାନକୁ ଆଧାର କରି ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଲଗାତାର ଚଢ଼ଉ ପରେ ୧୬ ତାରିଖରେ ସେ ଆତ୍ମସମର୍ପଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲା। ତା’ନାମରେ ଖୋର୍ଦ୍ଧା ସଦର ଥାନାରେ ୧୨ଟି ଓ ସହିଦ ନଗର ଥାନାରେ ଗୋଟିଏ ମାମଲା ରହିଛି।

ସମ୍ବନ୍ଧିତ ଖବର