କୋଲକାତାରୁ କିଙ୍ଗପିନ୍‌ ଗିରଫ

ଭୁବନେଶ୍ୱର : ଖୋର୍ଧା ବେଆଇନ ଖଣି କାରବାରର କିଙ୍ଗପିନ୍‌କୁ କୋଲକାତାରୁ ଗିରଫ କରିଛି ଏସ୍‌ଟିଏଫ୍‌। ସେ ହେ‌ଲା, କୈଳାସ ଚନ୍ଦ୍ର ପରିଜା(୭୧)। ଘର କଟକ ରୋଡ୍‌ରେ। ଖୋଳତାଡ଼ ପରେ ସେ କୋଲକାତା ଯାଇ ଆତ୍ମଗୋପନ କରିଥିଲା। ଗତକାଲି ଗିରଫ ହେବା ପରେ ତାକୁ ଅଲ୍ଲୀପୁର ଏସିଜେଏମ୍‌ଙ୍କ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଆବେଦନର ଶୁଣାଣି କରାଯାଇ ତାକୁ ଆସନ୍ତା ୨୨ ତାରିଖରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହେବା ପାଇଁ ଆଦେଶ ହୋଇଛି। ସେତେବେଳ ପର୍ଯ୍ୟନ୍ତ ସେ ଅଲ୍ଲୀପୁର ସେଣ୍ଟ୍ରାଲ ଜେଲ୍‌ରେ ରହିବ ବୋଲି ଜଣାଯାଇଛି।

ସୂଚନା ମୁତାବକ, ଖୋର୍ଧାରେ ବେଆଇନ ଖଣି କାରବାର‌ର କିଙ୍ଗ୍‌ପିନ୍‌ କୈଳାସ। ଛୋଟାଠାରୁ ଆରମ୍ଭ କରି ଯେତେ ସବୁ ଛୋଟବଡ଼ ବେପାରୀ ଅଛନ୍ତି, ସେମାନେ କୈଳାସ ଅଧୀନରେ କାରବାର କରୁଥିଲେ। ବନ୍ଧୁକ ଓ ନିଶାଦ୍ରବ୍ୟ କାରବାରରେ ସେମାନେ ଗିରଫ ହେଲେ, କୈଳାସ ସେମାନଙ୍କୁ ଜାମିନ୍‌ରେ ଆଣୁଥିଲା। ସେମାନଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା। ବେଆଇନ ନିଶା କାରବାର ପାଇଁ ସେ ଏମାନଙ୍କ ପିଛା ଟଙ୍କା ଲଗାଇବା ସହ କୋଲକାତାରୁ ବ୍ରାଉନସୁଗାର ସୁରକ୍ଷିତ ଆସିବା ପାଇଁ ସମସ୍ତ ବ୍ୟବସ୍ଥା କରୁଥିଲା। ଖଣିରୁ କଞ୍ଚାମାଲ୍‌ କେଉଁଠିକୁ ଯିବ, କେଉଁ କ୍ରସରକୁ କେତେ ମାଲ ଦିଆଯିବ, କାହାକୁ ବାକି ଦିଆଯିବ, କାହାଠାରୁ ନଗଦ ଆସିବ, ସେ ସବୁ ସ୍ଥିର କରୁଥିଲା କୈଳାସ। ରାଜସ୍ବ ଓ ପୁଲିସ ବିଭାଗରେ ନୂଆ ଅଧିକାରୀ ଯୋଗଦେଲେ, ତାଙ୍କ ସହ ବୁଝାମଣା କରିବା ସହ କେଉଁଠି ସମସ୍ୟା ହେଲେ ତାହାର ତୁରନ୍ତ ସମାଧାନ କରୁଥିଲା କୈଳାସ। ସେ ଏଠାକୁ ଆସି କୋର୍ଟଚାଲାଣ ହେବା ପରେ ତାକୁ ରିମାଣ୍ଡରେ ଅଣାଯିବ। ତା’ଠାରୁ ଆହୁରି ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର