ବେଆଇନ ନର୍ସିଂହୋମ ମାମଲାରେ ସାନି ଆବେଦନ, ବିନା ଲାଇସେନ୍ସ ନବୀକରଣରେ ଚାଲିଛି ସ୍ବାସ୍ଥ୍ୟ ଅନୁଷ୍ଠାନ

ଅଗ୍ନିସୁରକ୍ଷା ପ୍ରସଙ୍ଗରେ ଅନୁମତି ନାହିଁ

କଟକ/ଭୁବନେଶ୍ୱର: ବେଆଇନ ଭାବେ ଚାଲିଥିବା ନର୍ସିଂହୋମ ପ୍ରସଙ୍ଗରେ ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ସାନି ପିଟିସନ୍‌ ଦାଖଲ କରାଯାଇଛି। କଟକ ସହ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ନର୍ସିଂହୋମ୍, ଘରୋଇ ହସ୍ପିଟାଲ ଓ କ୍ଲିନିକ୍, ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟସ୍ (କ‌ଣ୍ଟ୍ରୋଲ ଆଣ୍ଡ ରେଗୁଲେସନ୍) ଆମେଣ୍ଡମେଣ୍ଟ ଆକ୍ଟ-୨୦୧୬ ଓ ଓଡ଼ିଶା ଫାୟା‌ର ସେଫ୍‌ଟି (ଆମେଣ୍ଡମେଣ୍ଟ) ରୁଲ୍ସ-୨୦୧୯ ପାଳନ କରୁନାହାନ୍ତି ବୋଲି ଦର୍ଶାଯାଇଛି। ହାଇକୋର୍ଟରେ ବିଚାରାଧୀନ ଏହି ମାମଲାରେ ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଜିଲ୍ଲାସ୍ତରୀୟ ଟାସ୍କ୍‌ଫୋର୍ସ କମିଟି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ଏହାପରେ ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ସାନି ପିଟିସନ୍ ଦାଖଲ କରାଯାଇଛି। ସେଥିରେ ଦର୍ଶାଯାଇଛି ଯେ ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟସ୍ ଆମେଣ୍ଡମେଣ୍ଟ ଆକ୍ଟ ଅନୁସାରେ ବିଭିନ୍ନ ନର୍ସିଂହୋମ୍, ଘରୋଇ ହସ୍ପିଟାଲ ଓ କ୍ଲିନିକ୍ ଲାଇସେନ୍ସ ନବୀକରଣ କରୁନାହାନ୍ତି। ଏଥିସହ ଅଗ୍ନିସୁରକ୍ଷା ବ୍ୟବସ୍ଥା ସଂପର୍କିତ ଲାଇସେନ୍ସ ମଧ୍ୟ ନାହିଁ।

୨୦୧୬ରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡରେ ରୋଗୀଙ୍କ ମୃତ୍ୟୁ ପରେ ସରକାର ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନେଇ ସଂଶୋଧିତ ନିୟମ ଜାରି କରିଥିଲେ। କିନ୍ତୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ ଏହାକୁ ମାନୁ ନାହାନ୍ତି। କଟକ ସହରରେ ଏପରି ୪୯ଟି ନିର୍ସିଂହୋମ୍, ହସ୍ପିଟାଲ ଓ କ୍ଲିନିକ୍ ରହିଛି, ଯାହାର ଓଡ଼ିଶା ଫାୟା‌ର ସେଫ୍‌ଟି ରୁଲ୍ସ ଅନୁସାରେ ଲାଇସେନ୍ସ ନାହିଁ। ଏହି ସବୁ ଅନୁଷ୍ଠାନର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟସ୍ ଆକ୍ଟ ଅନୁସାରେ ଲାଇସେନ୍ସ ନବୀକରଣ ମଧ୍ୟ କରାଯାଇନାହିଁ। କିନ୍ତୁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରୁନାହିଁ। ଭୁବନେଶ୍ବର, ଖୋର୍ଦ୍ଧା ଓ ରାଜ୍ୟର ଅନ୍ୟ ସହରରେ ମଧ୍ୟ ସମାନ ଅବସ୍ଥା। ଏଭଳି ଅନୁଷ୍ଠାନ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସରକାରଙ୍କ ନିକଟରୁ ନର୍ସିଂହୋମ୍, ହସ୍ପିଟାଲ ପାଇଁ ଜମି ନେଇଥିବା ଅନୁଷ୍ଠାନଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ମାଗଣା ସେବା ଯୋଗାଇବା କଥା। କିନ୍ତୁ ଏପରି କରାଯାଉନାହିଁ। ଏଭଳି ହସ୍ପିଟାଲଗୁଡ଼ିକ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଓଡ଼ିଶା ଉପଭୋକ୍ତ ସଂଘ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ବିରଜା ବଳ, ଅରୁଣ ସାହୁ, ଦେବପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ନର୍ସିଂହୋମଗୁଡିକ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ପାଳନରେ ଅବହେଳା କରୁଥିବା ଅଭିଯୋଗ ହୋଇଥିଲା। ଓଡ଼ିଶା ଉପଭୋକ୍ତା ସଂଘ ପକ୍ଷରୁ ୧୯୯୫ରେ ଏନେଇ ମାମଲା ଦାୟର କରାଯାଇଥିଲା। ୨୦୦୭ ସେପ୍ଟେମ୍ବର ୧୮ରେ କୋର୍ଟ ଏହି ମାମଲାରେ ଶୁଣାଣି କରିଥିବା ବେଳେ ଡିଏମଇଟି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ରାଜ୍ୟରେ ୧୧୬୯ ଅଣପଞ୍ଜୀକୃତ ନର୍ସିଂହୋମ ଚାଲିଛି। ବେଆଇନ ଭାବେ ଚାଲିଥିବା ନର୍ସିଂହୋମ ଉପରେ ଚଢଉ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଏହାପରେ ୨୦୦୮ ଜାନୁଆରି ୧୭ରେ ଏ ନେଇ ଜିଲାସ୍ତରୀୟ ଟାସ୍କ୍‌ଫୋର୍ସ କମିଟି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ୨୦୧୯ ଅଗଷ୍ଟ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର