ବେଆଇନ ପାର୍କିଂ : ୨୮ କାର୍‌ରେ ପଡ଼ିଲା ହ୍ବିଲ୍‌-ଜାମର୍‌

ଭୁବନେଶ୍ବର : ରାସ୍ତାକଡ଼‌ରେ ବାଇକ୍‌ କି କାର୍‌ ପାର୍କିଂ କରୁଛନ୍ତି କି? ତେବେ ସାବଧାନ! ଆପଣଙ୍କ ଗାଡ଼ିରେ ହ୍ବିଲ୍‌-ଜାମର୍‌ ଛନ୍ଦି ଦିଆଯିବ। ଏଥିପାଇଁ ଆପଣଙ୍କୁ ପୂର୍ବ ସୂଚନା ମଧ୍ୟ ଦିଆଯିବ ନାହିଁ। ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଗତ କିଛି ଦିନ ହେଲା ତତ୍ପର ହୋଇଉଠିଥିବା କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ନିୟମ ଖିଲାପ କରି ଏଣିକି ଆଉ କେହି ବର୍ତ୍ତିପାରିବେ ନାହିଁ। ଆଜି ପୂର୍ବାହ୍ନରେ ରବୀନ୍ଦ୍ର ମଣ୍ଡପ ଛକ ଓ ଏଜି ଛକରୁ ସୁର୍‌ କମ୍ପାନି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବେଆଇନ ପାର୍କିଂ ହୋଇଥିବା ୨୮ଟି କାର୍‌ରେ ପୁଲିସ ହ୍ବିଲ-ଜାମର୍‌ ପକାଇଥିଲା। ପୁଲିସର ଏଭଳି ଅଚାନକ କାର୍ଯ୍ୟାନୁଷ୍ଠାନ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଚାଳକମାନେ ଗାଡ଼ି ଚଳାଇବା ବେଳକୁ ଆଗକୁ ଗଡ଼ିନଥିଲା। କେତେକ ଏହାକୁ ଦେଖିବା ପରେ କିଏ ପକାଇଲା ବୋଲି ବାଉଳା ହୋଇଥିଲେ। ସନ୍ଧ୍ୟାରେ ସେମାନେ ଟ୍ରାଫିକ୍‌ ଥାନାରେ ପହଞ୍ଚି ଜରିମାନା ଦେଇ ଗାଡ଼ି ମୁକୁଳାଇଥିବା ଜଣାଯାଇଛି। ଜରିମାନା ଦେଇଥିବା ସ୍ମୃତିରଞ୍ଜନ ସାମନ୍ତରାୟ କହିଛନ୍ତି, ଏଭଳି ବେଆଇନ କାମ କରିବା ପାଇଁ ଜମା ଚାହୁ ନାହୁଁ। କିନ୍ତୁ ଯଦି ନିର୍ଦ୍ଧାରିତ ପାର୍କିଂସ୍ଥଳ ଥାଆନ୍ତା କିମ୍ବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ପୂର୍ବରୁ ଘୋଷଣା କରାଯାଇଥାନ୍ତା, ଭଲ ହୋଇଥାନ୍ତା। ପ୍ରଥମେ ଭିତ୍ତିଭୂମି ପ୍ରସ୍ତୁତ କରି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଟ୍ରାଫିକ୍‌ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଅମାନିଆ ଚାଳକଙ୍କଠାରୁ ଗତକାଲି ଗୋଟିଏ ଦିନରେ ମୋଟ ୮୪ ହଜାର ୫ଶହ ଟଙ୍କା ଆଦାୟ ହୋଇଥିଲା। ସେଥିମଧ୍ୟରୁ କେବଳ ଡ୍ରୋନ୍‌ ଜରିଆରେ ଚିହ୍ନଟ ନିୟମ ଉଲ୍ଲଙ୍ଘନକାରୀମାନଙ୍କଠାରୁ ୧୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଆଜି ମଧ୍ୟ ଡ୍ରୋନ୍‌ ଜରିଆରେ ଧରା ପଡ଼ିଥିବା ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୧୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ବେଆଇନ ପାର୍କିଂ, ସାପ ଭଳି ଅଙ୍କାବଙ୍କା ବାଇକ୍‌ ଚାଳନା, ସିଟ୍‌ବେଲ୍‌ଟ ବିନା ଗାଡ଼ି ଚାଳନା, ଲେନ୍‌ ଚାଳନା ଅବମାନନା ଆଦି ପାଇଁ ମୋଟ ୯୦ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ଅତିରିକ୍ତ ଡିସିପି (ଟ୍ରାଫିକ୍‌) ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ସରକାରୀ ଅଧିକାରୀଙ୍କ ଗାଡ଼ିରେ ପକାଇ ଅଡ଼ୁଆରେ ପୁଲିସ

ରାସ୍ତାକଡ଼ରେ ବେଆଇନ ପାର୍କିଂ ହୋଇଥିବା ଜଣେ ସରକାରୀ ଅଧିକାରୀଙ୍କ ଗାଡ଼ିରେ ହ୍ବିଲ୍‌-ଜାମର୍‌ ପକାଇ ପୁଲିସ ହରଡ଼ଘଣାରେ ପଡ଼ିଛି। ଅଧିକାରୀଜଣକ ଉତ୍‌କ୍ଷିପ୍ତ ହେବା ସହ ଜଣେ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଅଧିକାରୀଜଣକ ଉପରମୁଣ୍ଡରୁ ଚାପ ପକାଇବାରୁ ପୁଲିସର ଅଡ଼ୁଆ ବଢ଼ିଛି। ତେବେ ସେହି ସମୟରେ ଅନ୍ୟ ଗାଡ଼ିରେ ଏହି ଜାମର୍‌ ପକାଇ ପୁଲିସ ବାହାଦୁରୀ ଦେଖାଇଥିବାରୁ ବରିଷ୍ଠ ଅଧିକାରୀଙ୍କ ଗାଡ଼ିରୁ ଏହାକୁ ତତ୍‌କ୍ଷଣାତ୍‌ ଖୋଲି ପାରିନଥିଲା। ସେଠାରୁ ଭିଡ଼ କମିବା ପରେ ସମ୍ପୃକ୍ତ ଗାଡ଼ିରୁ ଜାମର୍‌ ଖୋଲି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଅଧିକାରୀଙ୍କ ଗାଡ଼ି ସହ ସମସ୍ତ ଗାଡ଼ିରୁ ଫାଇନ୍‌ ଆଦାୟ କରାଯିବା ପରେ ହିଁ ଗାଡ଼ି ଛଡ଼ା ଯାଇଥିବା ଟ୍ରାଫିକ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର