ଅପାରଗତାର ଫାଇଦା ନେଉଛି ଏସ୍‌ପ୍ଲାନେଡ୍ : ମଲ୍‌ରେ ଆଦାୟ ଜାରି ରହିଛି ବେଆଇନ ପାର୍କିଂ ଫି’

କୋର୍ଟ ନିର୍ଦ୍ଦେଶ ପାଇନାହାନ୍ତି, ତଥାପି ବିଡିଏ ଚୁପ୍ ବସିଛି, କମିସନରେଟ୍ ପୁଲିସ ବି ନିରବଦ୍ରଷ୍ଟା ସାଜିଛି

ଭୁବନେଶ୍ବର : ରସୁଲଗଡ଼ ଛକରେ ଥିବା ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ରେ ବେଆଇନ ପାର୍କିଂ ଫି’ ଆଦାୟ ଜାରି ରହିଛି। ବିଡିଏ ଓ ବିଏମ୍‌ସିର ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି ମଲ୍ ଏବେ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରୁଛି। ଅଥଚ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷ ସବୁ ଦେଖି ନିରବଦ୍ରଷ୍ଟା ସାଜିଛନ୍ତି। ଏସ୍‌ପ୍ଲାନେଡ୍‌ ମଲ୍‌ର ଏହି ବେଆଇନ ପାର୍କିଂ ଫି’ ଆଦାୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ‌େନଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମଲ୍‌ କର୍ତ୍ତୃପକ୍ଷ ଆମକୁ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ଦେଖାଇଛନ୍ତି, ଯେଉଁଥିରେ ବିଏମ୍‌ସି କି ବିଡିଏ କର୍ତ୍ତୃପକ୍ଷ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେନି ବୋଲି ଲେଖା ଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନୁ।

ଏପଟେ ମଲ୍ କର୍ତ୍ତୃପକ୍ଷ ହାଇକୋର୍ଟରେ କ’ଣ ପିଟିସନ୍ ଦାଖଲ କରିଥିଲେ? କାହାକୁ ଭିତ୍ତି କରି ହାଇକୋର୍ଟରୁ ଏହିଭଳି ନିର୍ଦ୍ଦେଶନାମା ପାଇଲେ?; ସେନେଇ ବିଡିଏ କର୍ତ୍ତୃପକ୍ଷ ଜାଣିନାହାନ୍ତି ବୋଲି କହିଛନ୍ତି। ଏପରିକି ହାଇକୋର୍ଟଙ୍କଠାରୁ ଏହିଭଳି କିଛି ନିର୍ଦ୍ଦେଶ ତାଙ୍କ ପାଖକୁ ଆସି ନ ଥିବାରୁ ମଲ୍‌ର ପିଟିସନ୍ ସମ୍ପର୍କରେ ସଂପୂର୍ଣ୍ଣ ଜାଣିନୁ ବୋଲି କହିଛନ୍ତି। ଛୁଟି ସରିଲେ ହାଇକୋର୍ଟଙ୍କ ରାୟ ଦେଖି ତର୍ଜମା କରିବୁ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯା‌ୟୀ, ମଲ୍‌ କର୍ତ୍ତୃପକ୍ଷ ହାଇକୋର୍ଟରେ ବିଡିଏ ଓ ବିଏମ୍‌ସି ବିରୋଧରେ କେସ୍‌ କରି ଏହିଭଳି ନିର୍ଦ୍ଦେଶନାମା ପାଇଛନ୍ତି। ହେଲେ କିଛି ନିର୍ଦ୍ଦେଶ ବିଡିଏ କର୍ତ୍ତୃପକ୍ଷ ପା‌ଇ ନାହାନ୍ତି। ଯଦି କିଛି ନିର୍ଦ୍ଦେଶ ପାଇ ନାହାନ୍ତି, ତେବେ କାହିଁକି ଚୁପ୍ ବସିଛନ୍ତି। କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାନ୍ତି। ମଲ୍‌ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶର ଜାଲିଆତି କରି ବିଡିଏ କର୍ତ୍ତୃପକ୍ଷଙ୍କୁ ଭୂତାଇ ଥାଇ ପାରନ୍ତି। କେବଳ ଏତିକି ନୁ‌େହଁ, ଯେତେବେଳେ କୋର୍ଟରେ ମଲ୍‌ କର୍ତ୍ତୃପକ୍ଷଙ୍କ ଅଭିଯୋଗର ଶୁଣାଣି ହେଲା, ସେତେବେଳେ କ’ଣ ବିଡିଏ କର୍ତ୍ତୃପକ୍ଷ ଜାଣି ପାରିଲେନି? ହାଇକୋର୍ଟରେ ବିଡିଏ ପକ୍ଷରୁ ଥିବା ସରକାରୀ ଓକିଲ କ’ଣ ବିଡିଏ ପାଇଁ ଯୁକ୍ତି ବାଢ଼ି ପାରିଲେନି? ବିଡିଏ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରି ସେମାନଙ୍କ ନିୟମ ଓ ମତାମତ ଜାଣିବାକୁ କୋର୍ଟଙ୍କଠାରୁ ସମୟ ମାଗି ପାରିଲେନି?

ଆଜି ଯଦି ମଲ୍‌ କର୍ତ୍ତୃପକ୍ଷ ବେଆଇନ ପାର୍କିଂ ଫି’ ଆଦାୟ କରୁଛନ୍ତି, ତେବେ ସେତେବେଳେ କୋର୍ଟରେ ଥିବା ସରକାରୀ ଓକିଲ କ’ଣ କରୁଥିଲେ, ତାହା ଜାଣିବା ଦରକାର। କୋର୍ଟଙ୍କୁ ବିଡିଏର ପ୍ଲାନିଂ ଓ ବିଲଡିଂ ନିୟମ ବିଷୟରେ ଅବଗତ କରାଇବା କାହା ଦାୟିତ୍ବ ବୋଲି ପ୍ରଶ୍ନ ଉଠିଛି।

ଏପରିକି ଯଦି କୋର୍ଟ ବିଡିଏ ଓ ବିଏମ୍‌ସିକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରିଛନ୍ତି, ତେବେ କମିସନରେଟ୍‌ ପୁଲିସ କାହିଁକି ଚୁପ୍‌ ବସିଛି। ମଲ୍‌ ସମ୍ମୁଖରେ ସୃଷ୍ଟି ହେଉଥିବା ଅସମ୍ଭାଳ ଭିଡ଼ ଏବଂ ଗ୍ରାହକଙ୍କ ଉପରେ ହେଉଥିବା ଜୁଲମ୍‌ ଉପରେ କାହିଁକି ପଦକ୍ଷେପ ନେଉନି। କମିସନରେଟ୍‌ ପୁଲିସର କ୍ଷମତା ଅନୁଯାୟୀ ପୁଲିସ ବି ଏଥିରେ ହସ୍ତକ୍ଷେପ କରିପାରିବ। ହେଲେ ମଲ୍‌ର ଚାପରେ ସମସ୍ତେ ଚେପା ହୋଇଯାଇଥିବାରୁ କେହି ବି ରାଜଧାନୀର ସବୁଠୁ ବଡ଼ ମଲ୍‌ର ବେଆଇନ ପାର୍କିଂ ଫି’ ଉପରେ ରୋକ୍‌ ଲଗାଉ ନାହାନ୍ତି। ସରକାରୀ କଳର ଅପାରଗତାର ଫାଇଦା ମଲ୍‌ କର୍ତ୍ତୃପକ୍ଷ ଉଠାଉଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାୟ ଦୁଇମାସ ତଳେ ଅର୍ଥାତ୍ ଅକ୍ଟୋବର ୧୮ରେ ବିଡିଏ କର୍ତ୍ତୃପକ୍ଷ ଏସ୍‌ପ୍ଲାନେଡ୍‌ ମଲ୍‌ର ଦୋଷ ଦୁର୍ବଳତା ବାଛି ଚିଠି ଲେଖିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ ମଲ୍‌ର ପ୍ଲାନ୍‌ରେ ଯେଉଁଠି ଅଫ୍‌ଷ୍ଟ୍ରିଟ୍‌ ପାର୍କିଂ ହେବ ବୋଲି ଉଲ୍ଲେଖ କରାଯାଇଥିଲା, ସେହି ଜାଗାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ମଲ୍‌ର ସେଟ୍‌-ବ୍ୟାକ୍‌ ଅଞ୍ଚଳ, ଯେଉଁଥିରେ ଜରୁରୀକାଳୀନ ପରିସ୍ଥିତିରେ ଅଗ୍ନିଶମ ବିଭାଗର ଗାଡ଼ି ଯାତାୟାତ କରିବାକୁ ଛଡ଼ାଯିବା ଦରକାର ଏବଂ ସର୍ବଦା ଖୋଲା ଛାଡ଼ିବାକୁ ଥିବା ଓପନ୍ ସ୍ପେସ୍‌ ଅଞ୍ଚଳରେ ବେଆଇନ ନିର୍ମାଣ କରାଯାଇଛି। ତେଣୁ ତୁରନ୍ତ ଏହି ସବୁ ସ୍ଥାନରୁ ନିର୍ମାଣ ହଟାଇବା ସହ ନିୟମ ଅନୁଯାୟୀ ପାର୍କିଂ ବ୍ୟବସ୍ଥା କରାଯାଉ। ଏହାସହ ମଲ୍‌ ପରିସରରେ ପାର୍କିଂ ପାଇଁ ଆଦାୟ ହେଉଥିବା ଫି’ ବନ୍ଦ କରାଯାଉ। ନଚେତ ଓଡିଏ ଆକ୍ଟ ୧୯୮୨ ଏବଂ ବିଡିଏର ପ୍ଲାନିଂ ଆଣ୍ଡ ବିଲଡିଂ ନିୟମ ଅନୁଯାୟୀ ମଲ୍‌ର ଅନୁମୋଦିତ ପ୍ଲାନ୍/ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ରଦ୍ଦ କରାଯିବ। ହେଲେ ଏହା କେବଳ ଯେ ଶୁଖିଲା ଧମକ ଥିଲା, ତାହା ଏବେ ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧିତ ଖବର