ଭୁବନେଶ୍ବର: ରସୁଲଗଡ଼-ମଞ୍ଚେଶ୍ବର ଶିଳ୍ପାଞ୍ଚଳ ମୁଖ୍ୟ ରାସ୍ତାରେ ବେଆଇନ ପାର୍କିଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ରାସ୍ତା ସଂକୁଚିତ ହୋଇଯାଉଛି ଏବଂ ଛୋଟବଡ଼ ଦୁର୍ଘଟଣା ଘଟିବା ନିତିଦିନିଆ ଘଟଣା ହୋଇଛି। ପୁଲିସ ସବୁ ଦେଖି ନ ଦେଖିବାର ଅଭିନୟ କରୁଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି।

Advertisment

ଏହି ଶିଳ୍ପାଞ୍ଚଳକୁ ରାଜ୍ୟ ବାହାରୁ ବହୁ ମାଲ୍‌ବାହୀ ଗାଡ଼ି ଆସୁଛି। ସେହି ଗାଡ଼ିଗୁଡ଼ିକ ମାଲ୍‌ ଖଲାସ କଲା ପରେ ମଧ୍ୟ ଦିନଦିନ ଧରି ଛିଡ଼ା ହୋଇ ରହୁଛନ୍ତି। ଫଳରେ ଟ୍ରକ୍‌ ସାଇଡ୍‌ରେ ରାତି ଅନ୍ଧାରେ ନିଶା କାରବାର ହେଉଛି। ଏଠାରେ ପ୍ରାୟ ୨୦ରୁ ଅଧିକ ଘରୋଇ କମ୍ପାନି ରହିଛି। ବ୍ୟାଙ୍କ ଛକ ଓ ଥାନା ଛକ ମଝିରେ ଧର୍ମକଣ୍ଟା ରହିଛି। ସେହି ସ୍ଥାନଟି ଉଭୟ ଛକ ମଧ୍ୟରେ ଖାଲୁଆ ଅଞ୍ଚଳ। ମେନ୍‌ ଡ୍ରେନ୍‌ ସେହି ରାସ୍ତା ତଳେ ଯାଇଥିବାରୁ ସେଠି ଏକ ବ୍ରିଜ୍‌ ରହିଛି। ବ୍ରିଜ୍‌ ଉପରେ ମଧ୍ୟ କିଛି ବାହାରର ଟ୍ରକ୍‌ ଚାଳକ ଗାଡ଼ି ପାର୍କିଂ କରି ଦେଉଛନ୍ତି। ଖାଲୁଆ ରାସ୍ତା ସାଙ୍ଗକୁ ଉଭୟ ପାର୍ଶ୍ବରେ ଟ୍ରକ୍‌ ସବୁ ଧାଡ଼ି ହୋଇ ଛିଡ଼ା ହେଉଥିବାରୁ ଲୋକମା‌ନେ ଡିଭାଇଡର୍‌କୁ ସହଜରେ ଜାଣିପାରୁନାହାନ୍ତି। ବିଶେଷକରି ରାତି ସମୟରେ ବାଇକ୍‌ ଆରୋହୀମାନେ ଡିଭାଇଡର୍‌ ପିଟି ହେଉଛନ୍ତି। ସେହିଭଳି ଦିନ ସମୟରେ ମଧ୍ୟ ରାସ୍ତା ଜାମ୍‌ ସେଠକାର ନିତିଦିନିଆ ସମସ୍ୟାରେ ପରିଣତ ହୋଇଯାଇଛି। ଏଥିସହ ନିକଟରେ ଏକ କଲ୍ୟାଣ ମଣ୍ଡପ ଥିବାରୁ ସେଠାରେ ବିବାହ, ବ୍ରତ ହେଲେ ମଣ୍ଡପ ପକ୍ଷରୁ ପାର୍କିଂ ସ୍ଥାନ ନଥିବାରୁ ସେଠାକୁ ଆସୁଥିବା ଲୋକମାନେ ରାସ୍ତାରେ ଗାଡ଼ିଗୁଡ଼ିକ ଧାଡ଼ି କରି ପାର୍କିଂ କରି ଦେଉଛନ୍ତି। ଫଳରେ ରାସ୍ତା ଅଧିକ ସଂକୁଚିତ ହେଉଛି ଏବଂ ଲୋକମାନେ ବଡ଼ କଷ୍ଟରେ ଯାତାୟାତ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଏହି ରାସ୍ତାରେ ରସୁଲଗଡ଼ରୁ ଚକେଇସିହାଣୀ, ମଞ୍ଚେଶ୍ବର, ସମେଇଗାଡ଼ିଆ ଆଦି ଅଞ୍ଚଳର ଲୋକମାନେ ନିର୍ଭରଶୀଳ। ତେଣୁ ତୁରନ୍ତ ଏହି ରାସ୍ତାରୁ ବେଆଇନ ପାର୍କିଂ ଉଠାଇବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏନେଇ କେର୍ପାରେଟର୍‌ ସେଖ୍‌ ନୁର୍‌ ହାସନ୍‌ କହିଛନ୍ତି ଯେ କମିସନରେଟ ପୁଲିସ ପକ୍ଷରୁ ବେଆଇନ ପାର୍କିଂ ହଟାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ। ତେବେ ଯାଇ ଦୁର୍ଘଟଣା ରୋକାଯିବା ସହ ଲୋକମାନେ ସୁବିଧାରେ ଯାତାୟାତ କରିପାରିବେ।