ଭୁବନେଶ୍ବର/କଟକ : ହଂସପାଳ ବ୍ରିଜ୍ ନିକଟରେ କୁଆଖାଇ ନଦୀରୁ ବେଆଇନ ବାଲି ଉତ୍ତୋଳନ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ହଂସପାଳ ବ୍ରିଜ୍ ନିକଟରୁ ବେଆଇନ ଭାବେ ବାଲି ଉଠାଯାଉଛି କି ନାହିଁ? ଯଦି ଏଥିରେ ସତ୍ୟତା ଥାଏ, ତେବେ ଏପରି କାର୍ଯ୍ୟ ବନ୍ଦ କରିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ଅବଗତ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ହଂସପାଳ ବ୍ରିଜ୍ ନିକଟ କୁଆଖାଇ ନଦୀରୁ ବେଆଇନ ଭାବେ ପ୍ରତିଦିନ ବାଲି ଉତ୍ତୋଳନ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଆବେଦନକାରୀ ଖୋର୍ଦ୍ଧା ଜିଲ୍ଲାପାଳ ଓ କମିସନରେଟ୍ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପ୍ରତିଦିନ ଶତାଧିକ ହାଇୱା ଓ ଟ୍ରକ୍ ଦ୍ବାରା ହଂସପାଳ ବ୍ରିଜ୍ ନିକଟରୁ ବାଲି ଚାଲାଣ କରାଯାଉଛି। ଏଥିଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଏଥିସହ ଏହି ଅଞ୍ଚଳର ସଂଯୋଗ ରାସ୍ତାଘାଟ ନଷ୍ଟ ହେଉଛି। ବାଲି ମାଫିଆମାନେ କୋଟି କୋଟି ଟଙ୍କା ଫାଇଦା ପାଉଥିବା ବେଳେ ସାଧାରଣ ଲୋକ ଅସୁବିଧାରେ ପଡୁଛନ୍ତି। କିନ୍ତୁ ପ୍ରଶାସନ ସବୁ ଦେଖି ଚୁପ୍ ବସିଛି। ଏହି ପ୍ରସଙ୍ଗରେ ପ୍ରାଶାସନିକ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ଶ୍ରୀ ସ୍ବାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଖୋର୍ଦ୍ଧା ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର, ପୁଲିସ କମିସନର, ଭୁବନେଶ୍ବର ଡିସିପି, ରାଜସ୍ବ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/sand.jpg)