ଭୁବନେଶ୍ୱର : ଗତ କିଛିଦିନ ହେବ ବଡ଼ଗଡ଼ ଥାନା ଅଧୀନ ଗୌତମନଗର ଅଞ୍ଚଳରେ ବେଆଇନ୍ ଭାବେ ଦୋକାନ ବଢ଼ି ଚାଲିଛି। ଆଉ ଏହି ଦୋକାନଗୁଡ଼ିକ ଏବେ ନିଶାସକ୍ତ ଓ ଅସାମାଜିକ ଯୁବକଙ୍କ ଖଟି ସ୍ଥାନ ପାଲଟିଛି। ଦିନତମାମ୍ ସେଠାରେ ଖଟି ଚାଲୁଛି। ଜୁଆ ଆଡ଼ା ବି ଜମୁଛି। ସଞ୍ଜ ନଇଁଲେ ଭୋଜିଭାତ ସାଙ୍ଗକୁ ମଦ ଆସର ହେଉଛି। ଦୁର୍ବୃତ୍ତମାନେ ମଦ ପିଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସ୍ଥାନୀୟ ଲୋକଙ୍କ ଘରକୁ ମଦ ବୋତଲ ଫୋପାଡ଼ୁଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଆଖପାଖ ଅଞ୍ଚଳର ଲୋକଙ୍କ ଘର କ୍ୟାମ୍ପସରେ ଗଦା ଗଦା ମଦ ବୋତଲ ଗଡ଼ୁଛି। ଯିଏ ପ୍ରତିବାଦ କରୁଛି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ନିଶାଖୋରଙ୍କ ଆତଙ୍କରେ ସ୍ଥାନୀୟ ଲୋକମାନେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘରୁ ବାହାରିବାକୁ ବି ଭୟ କରୁଛନ୍ତି। କିନ୍ତୁ ସ୍ଥାନୀୟ ଥାନାର ପୁଲିସ ନଜରରେ ଏହା ପଡ଼ୁନି। ଏପରିକି ଅଭିଯୋଗ କଲେ ବି ପୁଲିସ ପଦକ୍ଷେପ ନେଉନି। ସବୁଠୁ ବଡ଼କଥା ହେଲା ଯେ, ଦୋକାନଗୁଡ଼ିକ ଗଢ଼ି ଉଠିଥିବା ସ୍ଥାନରୁ ମାତ୍ର କେଇ ମିଟର ଦୂରରେ ଖଣ୍ଡପଡ଼ା ରାଜାଙ୍କ ବାସଭବନ, ପୂର୍ବତନ ଗୃହ ନିର୍ମାଣ ମୁଖ୍ୟଯନ୍ତ୍ରୀ ସ୍ୱର୍ଗତ ଶିରିଶଚନ୍ଦ୍ର କାନୁନ୍ଗୋଙ୍କ ବାସଭବନ ସମେତ ବିଏମ୍ସି କାର୍ଯ୍ୟାଳୟ, ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ଭଳି ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ବି ରହିଛି। ବହୁ ଭିଭିଆଇପି ଏଠାରେ ରହୁଥିଲେ ବି କେହି ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏନେଇ ସ୍ଥାନୀୟ କର୍ପୋରେଟର୍ଙ୍କଠାରୁ ଆରମ୍ଭ କରି ମେୟର, ବିଏମ୍ସି କର୍ତ୍ତୃପକ୍ଷ, ଥାନାରେ ଅଭିଯୋଗ କରିବା ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେଣୁ ଏନେଇ ଜଣେ ସ୍ଥାନୀୟ ବ୍ୟକ୍ତି ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆଉ ସେଠାରୁ ଦୋକାନ ହଟାଇବା ପାଇଁ ମାଜିଷ୍ଟ୍ରେଟ୍ ନିର୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଏମ୍ସି କି ବିଡିଏ କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରିବାରେ ଅକ୍ଷମ ହୋଇଛନ୍ତି।
ଗୌତମନଗରରେ ବଢ଼ି ଚାଲିଛି ବେଆଇନ୍ ଦୋକାନ : ଜମୁଛି ନିଶାସକ୍ତଙ୍କ ଖଟି, ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2018/07/lco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)