ଥାନାକୁ ଗଲା ମନ୍ଦିର ପ୍ରଶାସନ
ଜମିରେ ଲାଗିିବ ମନ୍ଦିର ସାଇନ୍‌ବୋର୍ଡ

Advertisment

ପୁରୁଣା ଭୁବନେଶ୍ୱର : ରାଜଧାନୀରେ ଜମି ଜବରଦଖଲ କରିବା ନେଇ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗୋଚର, ଶ୍ମଶାନ, ସରକାରୀ ଜମି ଓ କେନାଲ୍‌ ପରେ ଏବେ ଠାକୁରଙ୍କ ଜମି ଉପରେ ପଡ଼ିଛି ବିଲ୍‌ଡର୍‌ ସଂସ୍ଥା ଓ ଜମି ମାଫିଆଙ୍କ ନଜର। ଏପରିକି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ ଏକ ବିଲ୍‌ଡର ସଂସ୍ଥା ଜବରଦଖଲ କରି ପାଚେରି ବୁଲାଉଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ଦିର ପ୍ରଶାସନ ଓ ସଂପୃକ୍ତ ବିଲ୍‌ଡର ସଂସ୍ଥାର ମାଲିକଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇଛି। ସଂପୃକ୍ତ ବିଲ୍‌ଡର ସଂସ୍ଥା ଏହା ତାଙ୍କ ଜମି ବୋଲି ଦାବି କରୁଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ସେଠାରେ ସାଇନ୍‌ବୋର୍ଡ ଲଗାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନା ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରଥ ରୋଡ୍‌ରେ ମାଉସୀ ମା’ ଛକ ରୁକୁଣା ରଥ ରହୁଥିବା ସ୍ଥାନ ନିକଟରେ ୟୁନିଟ୍‌ ୨୭ ମୌଜା ଅନ୍ତର୍ଗତ ୪୧୧ ନମ୍ବର ଖାତାର ୬୩୯/୩୭୪୭ପ୍ଲଟ୍‌ରେ ୭୦ ଡିସିମିଲି ଜମି ରହିଛି। ଉକ୍ତ ଖାଲି ପଡ଼ିଆଟି ରେକର୍ଡ ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ନାଁରେ ରହିଛି। ରଥ ମାଉସୀ ମା’ ଛକଠାରେ ଲାଗିବା ବେଳେ ଭକ୍ତମାନେ ସେଠାରେ ଠାକୁରଙ୍କୁ ଅପେକ୍ଷା କରିଥାନ୍ତି। ତେବେ ଉକ୍ତ ଜମି ଜବରଦଖଲ ହୋଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି। ଏକ ବିଲଡର୍‌ ସଂସ୍ଥାର ମାଲିକ ସେଠାରେ ପାଚେରି ତିଆରି କରୁଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ପ୍ରଥମେ ବାରଣ କରିଥିଲେ।

ଏନେଇ ବିଲଡର ସଂସ୍ଥାର ମାଲିକ ଏହା ଆମ ଜମି ଓ ଆମ ଦଖଲରେ ଅଛି ବୋଲି କହିଥିଲେ। ଏ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ପାଚେରି କାମ ବନ୍ଦ କରିବା ସହ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରମାଣପତ୍ର ଆଣି ଦେଖାଇବାକୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ। ମାତ୍ର କେହି ମନ୍ଦିର କାର୍ଯ୍ୟାଳୟକୁ ଆସି ନଥିଲେ। ଏପରିକି ମନ୍ଦିର ପ୍ରଶାସନର ନିର୍ଦେଶକୁ ବେଖାତିର କରି ଉକ୍ତ ଜମିରେ କାମ ପାଚେରି ନିର୍ମାଣ କାମ ଚାଲୁ ରହିଥିଲା। ଶେଷରେ ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ଜମି ଜବରଦଖଲ ହୋଇଥିବା ସଂପର୍କରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରାଯାଇଛି। ତେବେ ସେଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ସାଇନ୍‌ବୋର୍ଡ ଲଗାଯିବ ବୋଲି କୁହାଯାଇଛି।