ଚନ୍ଦ୍ରଶେଖରପୁର : ପୁଣି ଆରମ୍ଭ ହେଲା ଉଚ୍ଛେଦ, ୩୩ ଘର, ୩୧ ଦୋକାନ ମାଟିରେ ମିଶିଲା

ଚନ୍ଦ୍ରଶେଖରପୁର : ପାଖାପାଖି ଅଢ଼େଇ ମାସ ଧରି ଭୁବନେଶ୍ବରରେ ବନ୍ଦ ରହିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ଆଜି ପୁଣିଥରେ ଆରମ୍ଭ ହୋଇଛି। ବିଡିଏ ଉଚ୍ଛେଦକାରୀ ଟିମ୍‌ ସହରର ଦୁଇଟି ସ୍ଥାନରେ ଉଚ୍ଛେଦ କରିଛି। ଏହି ଟିମ୍ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବିଡିଏ କଲୋନି ନିକଟରେ ଥିବା ନୀଳମାଧବ ବସ୍ତିର ବ୍ଲକ-ସିରେ ଉଚ୍ଛେଦ କରିଛି। ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସର ଉଚ୍ଛେଦକାରୀ ଦଳ ପୂର୍ବାହ୍ନ ୧୦ଟା ୩୦ରେ ପହଞ୍ଚି ରାଜୀବ ଆବାସ ଯୋଜନା‌ରେ ଥିବା ୩୦ଟି ଘର ଓ ରାଜୀବ ଆବାସ ଯୋଜନାରେ ନ ଥିବା ୩ଟି ଘର ଓ ଶୌଚାଳୟକୁ ଉଚ୍ଛେଦ କରିଛି। ଉଚ୍ଛେଦରେ ୨ଟି ଏକ୍ସାଭେଟର ନିୟୋଜିତ ହୋଇଥିଲା। ଏହି ଉଚ୍ଛେଦ ସମୟରେ ବିଡିଏ ଅଫିସ୍‌-୨ର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର, ବିଡିଏର ଶୁଭ୍ରାଂଶୁ ଶେଖର ମହାନ୍ତି, ଜୋନ୍‌ ଏସିପି ପ୍ରକାଶ ଚନ୍ଦ୍ର ପାଲ୍, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଚ୍ଛେଦ ବେଳେ ଏକ ପ୍ଲାଟୁନ୍‌ ପୁଲିସ ନିୟୋଜିତ ହୋଇଥିଲେ। ମଙ୍ଗଳବାର ମଧ୍ୟ ଏହି ବସ୍ତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।

‌ସେହିପରି ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସର ଆଉ ଏକ ମିଳିତ ଟିମ୍‌ ୟୁନିଟ୍‌-୧ ମାର୍କେଟ(କସ୍ତୁରବା ନାରୀମହଲଠାରୁ ଇଣ୍ଡିଆନ୍‌ ଏୟାରଲାଇନ୍ସ ଅଫିସ୍‌ ପଛପାର୍ଶ୍ବ)ରେ ଉଚ୍ଛେଦ କରିଛି। ଏହି ଉଚ୍ଛେଦକାରୀ ଦଳ ବାଉଁଶରେ ତିଆରି ୨୨ଟି ଦୋକାନ, ୪ଟି ଟିଣ ଛପର ଘର, ୩ଟି କ୍ୟାବିନ୍‌, ଗୋଟିଏ ଲେଖାଏ ଫୁଲ ଦୋକାନ ଓ ଓପୋଲ୍‌ଫେଡ୍‌ ଭାଙ୍ଗିଛି। ଏଥିସହ ବାଉଁଶରେ ତିଆରି ଦୁଇଟି ଟେଣ୍ଟ ହାଉସ୍‌କୁ ଭଙ୍ଗାଯାଇଛି। କ୍ୟାପିଟାଲ ଥାନା ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ ଲକ୍‌ଡାଉନ୍‌ ଜାରି ରହିଥିବାରୁ କିଛି ଦିନ ପାଇଁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା। ଅଧାରେ ବନ୍ଦ ରହିଥିବା କାମ ଗୁଡ଼ିକ ଏବେ ପୁଣିଥରେ ଆରମ୍ଭ ହୋଇଛି। ଲିଙ୍ଗରାଜ ମନ୍ଦିର ପାର୍ଶ୍ବ ଓ ନୀଳମାଧବ ବସ୍ତି ଉଚ୍ଛେଦ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି। ଜୁନ୍‌ ୧୮ ତାରିଖଠାରୁ ନିୟମିତ ଭାବେ ଉଚ୍ଛେଦ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର