ନିମ୍ନମାନର ବିହନ ଯୋଗାଣ ଅଭିଯୋଗ : ରୁଆର ୨୦ ଦିନ ପରେ ବାହାରିଲା ଧାନ କେଣ୍ତା, ଚିନ୍ତାରେ ଚାଷୀ

ବାଲିପାଟଣା : ବାଲିପାଟଣା ବ୍ଲକ ମଝିହରା ପଞ୍ଚାୟତ ଧାନହରା ଗ୍ରାମର ଏକାଧିକ ଚାଷୀ ଧାନ ତଳି ରୋଇବାର ୨୦ ଦିନରେ କେଣ୍ତା ବାହାରିଲାଣି। ୧୫୦/୧୫୫ ଦିନରେ ବାହାରିବାକୁ ଥିବା ଧାନ ଏତେ ଶୀଘ୍ର ବାହାରି ଯିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଆଦିତ୍ୟ ନାମକ ହାଇବ୍ରିଡ୍ ବିହନ ୧୦ କିଲୋ ପିଛା ୮୦୦ ଟଙ୍କା ଦେଇ ଚାଷୀ କିଣି ତଳି ପକାଇଥିଲେ। ରୁଆ ହେବାର ଖୁବ୍ କମ୍ ଦିନରେ କେଣ୍ତା ବାହାରି ଯିବାର ଏହା ଧାନ ହେବ କି ଅଗାଡ଼ି ହେବ ଚାଷୀ ଜାଣିପାରୁ ନାହାନ୍ତି। ଅପରପକ୍ଷରେ ରୁଆ ଏବଂ ବୁଣା ଧାନରେ କାଣ୍ତବିନ୍ଧା, ମଇଁଷା, ମଳିପୋକ ଲାଗିବା ଆରମ୍ଭ କଲେଣି।

କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ମତରେ ଚାଷୀମାନେ ବାହାର ଡିଲରଙ୍କ ଠାରୁ ବିହନ କିଣି ତଳି ପକାଇଛନ୍ତି। ପାଣିପାଗର ପରିବର୍ତନ ହେଉ କିମ୍ବା ନିମ୍ନମାନର ବିହନ ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳକୁ ଯାଇ ତଦନ୍ତ କଲା ପରେ କାରଣ ଜଣାପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଧାନହରା ଅଞ୍ଚଳର ବ୍ରହ୍ମାନନ୍ଦ ପତି, ମାଧବ ନାୟକ, ମାନସ ଚୌଧୁରୀ, ମହେନ୍ଦ୍ର ଚୌଧୁରୀ ପ୍ରମୁଖ ବସନ୍ତମାଳର ଜଣେ ଡିଲରଙ୍କଠାରୁ ଆଦିତ୍ୟ ନାମକ ବିହନ କିଣିଥିଲେ। ଏତେଶୀଘ୍ର ଧାନ ବାହାରି ଯିବା ନେଇ ସମ୍ପୃକ୍ତ ଡିଲରକୁ ଚାଷୀମାନେ ପଚାରିବାରୁ ସେ ଡ୍ରିଷ୍ଟ୍ରିବ୍ୟୁଟରଙ୍କୁ ଦୋଷ ଦେଉଛନ୍ତି। କମ୍ପାନୀର କର୍ମକର୍ତ୍ତା ଆସି ଧାନବିଲ ଦେଖିବେ ବୋଲି ଚାଷୀଙ୍କୁ କହୁଛନ୍ତି। ଅପରପକ୍ଷରେ ଧାନରେ ପୋକ ଲାଗିବା ଘଟଣା ପ୍ରାୟତଃ ସବୁ ପଞ୍ଚାୟତରେ ଅଳ୍ପ ବେଶି ହୋଇଛି ବୋଲି ଖୋଦ୍‌ କୃଷି ଅଧିକାରୀ ଶ୍ରୀ ସାହୁ ସ୍ବୀକାର କରିଛନ୍ତି। ଖବର ପାଇବା ମାତ୍ରେ ଚାଷୀଙ୍କ ବିଲକୁ ଯାଇ ପୋକ ଚିହ୍ନଟ କରାଯାଇ ଔଷଧ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଥିବା କୃଷି ଅଧିକାରୀ କହିଛନ୍ତି। ବାତ୍ୟା ଫନି, ବନ୍ୟା, ଧାନରେ ପୋକ ଲାଗିବା ପରେ ଚାଷୀଙ୍କ ମେରୁଦଣ୍ତ ଭାଙ୍ଗିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ସାହାଯ୍ୟ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ତରଫରୁ ଧାନରେ ପୋକମରା ଔଷଧ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର