ନିଶା ବେପାରୀଙ୍କ ପେଣ୍ଠ ପାଲଟିଛି ଧଉଳି ଅଞ୍ଚଳ

ଧଉଳି : ଧଉଳି ଥାନା ଅନ୍ତର୍ଗତ କିଛି ଅଞ୍ଚଳ ଏବେ ଚୋରା ନିଶା ବେପାରୀଙ୍କ ପେଣ୍ଠ ପାଲଟିଛି। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଚୋରା ମଦ, ଗଞ୍ଜେଇ, ଭାଙ୍ଗ ଓ ବ୍ରାଉନସୁଗାର ଭଳି କାରବାର ଚାଲୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ନିଶା ସେବନ କରି ଯୁବକମାନେ ଉତ୍ପାତ କରୁଛନ୍ତି। ଗତ ୧୬ ତାରିଖ ରାତିରେ ବହିରଙ୍ଗେଶ୍ବର ବଜାରରେ ହୋଇଥିବା ଗଣ୍ଡଗୋଳ ଓ ଦୋକାନ ଭଙ୍ଗାରୁଜା ତଥା ହତ୍ୟାକାଣ୍ଡର ମୁଖ୍ୟ କାରଣ ଏହି ନିଶା କାରବାର ବୋଲି କୁହାଯାଉଛି। ଏହି ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି, ଛିନତାଇ ଓ ରାହାଜାନୀ ଭଳି ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। ବିଶେଷକରି ବହିରଙ୍ଗେଶ୍ବର ବଜାର ଓ ଧଉଳି ପାଦଦେଶ ଅଞ୍ଚଳ ଏହି ଅସାମାଜିକ ଗୋଷ୍ଠୀଙ୍କ କବ୍‌ଜାରେ ରହିଛି। ନିଶାସକ୍ତ ଯୁବକମାନେ ବହିରଙ୍ଗେଶ୍ବର ବଜାରରେ ଆତଙ୍କରାଜ ଚଳାଉଛନ୍ତି। ଗଣ୍ଡଗୋଳ, ମାର୍‌ପିଟ କରିବା ସହିତ ହତ୍ୟା ଭଳି ଘଟଣା ଘଟାଇବାକୁ ପଛାଉ ନାହାନ୍ତି। ଯିଏ ପ୍ରତିବାଦ କରୁଛି ସେ ସେମାନଙ୍କ ଆକ୍ରୋଶର ଶିକାର ହେଉଛି।

ଗତ ୧୬ ତାରିଖ ରାତି ସାଢ଼େ ୧୧ଟାରେ ବହିରଙ୍ଗେଶ୍ବର ବଜାରରେ ଯୁବକମାନେ ସରଦେଇପୁର ଗ୍ରାମର ବଂଶୀଧର କାଳିଆ ନାମକ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଅଭିଯୋଗ ଆଧାରରେ ଧଉଳି ଥାନା ପୁଲିସ କୁମାରଡିହ ଗ୍ରାମର ଡୁଲା ପଣ୍ଡା ଓ ତାଙ୍କ ବଡ଼ଭାଇ ଦିଲ୍ଲୀପ ପଣ୍ଡାଙ୍କୁ ଗିରଫ କରିଥିଲା। ତେବେ ଫେରାର ହୋଇଯାଇଥିବା ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ବଂଶୀଧରଙ୍କ ଶବ ବ୍ୟବଚ୍ଛେଦ ହୋଇ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀମାନେ ଗତକାଲି ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ବାରମ୍ବାର ଏଭଳି ଆପରାଧିକ କାର୍ଯ୍ୟକଳାପ ବୃଦ୍ଧିପାଇଥିଲେ ହେଁ ପୁଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର