ମୁଣ୍ଡବିନ୍ଧା ବଢ଼ାଉଛି ବେଆଇନ ପାର୍କିଂ

ପାର୍କିଂ ଜାଗା ଅପବ୍ୟବହାର ହେଲେ କାର୍ଯ୍ୟାନୁଷ୍ଠାନ, ମାସେ ସମୟ ଦେଲା ବିଏମ୍‌ସି

ଭୁବନେଶ୍ବର: ଘର କରିବାକୁ ପ୍ଲାନ୍‌ ନେବା ବେଳେ ନକ୍ସାରେ ପାର୍କିଂ ଜାଗା ଦେଖାଇଲେ। ହେଲେ ଘର କଲା ବେଳେ ଜାଗା ଛାଡ଼ିଲେନି। ଫଳରେ ଲୋକ ରାସ୍ତା ଉପରେ ଗାଡ଼ି ପାର୍କିଂ କଲେ। ଯେଉଁଥିପାଇଁ ଟ୍ରାଫିକ୍‌ ସମସ୍ୟା ବଢ଼ିଲା। ବିଲ୍ଡର ଓ ବଡ଼ ବଡ଼ ବେପାରୀଙ୍କ ଏଭଳି କାରବାର ପାଇଁ ଭୋଗିଲେ ସାଧାରଣ ଲୋକେ। ହେଲେ ଆଉ ନୁହେଁ, ପାର୍କିଂ ପାଇଁ ଉଦ୍ଦିଷ୍ଟ ଜାଗା କେବଳ ପାର୍କିଂ ପାଇଁ ବ୍ୟବହାର ହେବ। ନ ହେଲେ ଓଡିଏ ଆଇନ ବଳରେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ ଉଲ୍ଲଂଘନକାରୀ। ଏଭଳି ବିଜ୍ଞପ୍ତି ଜାରି କରିଛି ବିଏମ୍‌ସି। ଏହି ଉଲ୍ଲଂଘନକାରୀଙ୍କୁ ୧୦ ଦିନ ସମୟ ଦିଆଯାଇଛି। ୧୦ ଦିନ ଭିତରେ ଅର୍ଥାତ୍‌ ଡିସେମ୍ବର ପହିଲା ସୁଦ୍ଧା ଉଲ୍ଲଂଘନକାରୀ ବାଟକୁ ନ ଫେରିଲେ ଓଡିଏ ଆଇନ ଧାରା ୯୨ ବଳରେ ସେମାନଙ୍କ ନାମରେ ମାମଲା ରୁଜୁ ହେବା ସହ ପ୍ରତିଷ୍ଠାନ ସିଲ୍‌ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି ଜାରି କରିଥିବା ବିଜ୍ଞପ୍ତି‌ରେ ସ୍ପଷ୍ଟ କରାଯାଇଛି।

ପୂର୍ବରୁ ବିଡିଏ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଯୋଜନା କରିଥିଲା। ଯେଉଁମାନେ ପାର୍କିଂ ଜାଗାକୁ ଅନ୍ୟ ବ୍ୟବହାରରେ ଲଗାଇଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ତାଲିକା ପ୍ରସ୍ତୁତ କରିଥିଲା। କେବଳ ତାଲିକା କରି ନଥିଲା ବରଂ ଜରିମାନା ଆକାରରେ କୋଟି କୋଟି ଟଙ୍କା ଆଦାୟ କରିବାକୁ ମଧ୍ୟ ଆଶା କରିଥିଲା। ଏହାକୁ କଡ଼ାକଡ଼ି କରିବା ପାଇଁ କେତେକ ସଂସ୍ଥାଙ୍କୁ ନୋଟିସ୍‌ କରିବା ଆରମ୍ଭ କରିଥିଲା। ହେଲେ କ’ଣ ହେଲା କେଜାଣି ବିଡିଏ ଏ ଦିଗରେ ଆଉ ଆଗକୁ ବଢ଼ି ନଥିଲା। କରୋନାକୁ ଆଳ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ସେତେବେଳେ ଚର୍ଚ୍ଚା ହୋଇଥିଲା କି, ନୋଟିସ୍‌ ପାଇବା ପରେ କେତେକ ବଡ଼ ବଡ଼ ବ୍ୟବସାୟ ପ୍ରତି‌ଷ୍ଠାନର ମାଲିକ ଉପରମୁଣ୍ଡରେ ବସିଥିଲେ। ଆଗକୁ ନ ବଢ଼ିବା ପାଇଁ ବିଡିଏ ଅଧିକାରୀଙ୍କୁ ଉପରମୁଣ୍ଡରୁ ପରାମର୍ଶ ଆସିଥିଲା ବୋଲି ଚର୍ଚ୍ଚା ହୋଇଥିଲା।

ଏବେ ବିଏମ୍‌ସି ଏହାକୁ କଡ଼ାକଡ଼ି କରିବ ବୋଲି ବିଜ୍ଞପ୍ତି ଜାରି କରିଛି। ଆଗକୁ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ବିଡିଏ ଭଳି ବିଏମ୍‌ସି ବି ଚୁପ୍‌ ହୋଇଯିବ ସେ ନେଇ ପ୍ରଶ୍ନ ଉଠିଛି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ବିଶ୍ବକପ୍‌ ହକି ପାଇଁ ରାସ୍ତାଗୁଡ଼ିକୁ ଅବରୋଧମୁକ୍ତ କରାଯାଉଛି। ରାସ୍ତା ଉପରେ ପାର୍କିଂ ହେଉଥିବାରୁ ଏ ସବୁ ବନ୍ଦ କରିବାକୁ ଦୁଇଦିନ ତଳେ ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଏମ୍‌ସିକୁ ତାଗିଦ କରାଯାଇଛି। ସେଥିପାଇଁ ବିଏମ୍‌ସି ତତ୍ପର ହୋଇଥିବା କୁହାଯାଉଛି।

ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମ ଅନୁଯାୟୀ, ସମସ୍ତ ସପିଂ ମଲ୍‌, ସୋ’ରୁମ୍‌, ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ଅଞ୍ଚଳର ୩୦ରୁ ୫୦% ଅଞ୍ଚଳ ପାର୍କିଂ ପାଇଁ ଛାଡ଼ିବେ। ଏହି ସର୍ତ୍ତରେ ସେମାନଙ୍କୁ ଘର କରିବାକୁ ଅନୁମତି ମିଳିଛି। ହେଲେ ରାଜଧାନୀର ୯୫%ରୁ ଅଧିକ ପ୍ରତିଷ୍ଠାନ ଏହି ନିୟମ ମାନିନାହାନ୍ତି। ପାର୍କିଂ ପାଇଁ ଜାଗା ନ ଛାଡ଼ି ବେପାର କରୁଛନ୍ତି। କେତେକ ପାର୍କିଂ ପାଇଁ ଉଦ୍ଦିଷ୍ଟ ଜାଗାରେ ଘର ତିଆରି କରିଛନ୍ତି। ନିୟମ ମୁତାବକ, ବିଡିଏ ଓ ବିଏମ୍‌ସି ଏସବୁ ପ୍ରତିଷ୍ଠାନ ଚିହ୍ନଟ କରି ଜରିମାନା ଆଦାୟ କରିବେ କିମ୍ବା ଉଚ୍ଛେଦ କରିବେ। ବେପାର ପାଇଁ ଦିଆଯାଇଥିବା ସ୍ବୀକୃତି ରଦ୍ଦ କରିବେ। କିନ୍ତୁ ଉଭୟ ସଂସ୍ଥା ଅଧିକାରୀମାନଙ୍କର ଅପାରଗତା ପାଇଁ ସାଧାରଣ ଲୋକ ରାସ୍ତାରେ ପାର୍କିଂ କରୁଛନ୍ତି। ମାଗଣାରେ ପାର୍କିଂ ବଦଳରେ ପାର୍କିଂ ଦେୟ ଗଣୁଛନ୍ତି, ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହୋଇ ବିପଦକୁ ଆମନ୍ତ୍ରଣ କରୁଛନ୍ତି।

ବିଶେଷକରି ଜନପଥ, ବାପୁଜୀନଗର, କଟକ ରୋଡ୍‌, ସହିଦନଗର, ସତ୍ୟନଗର, ଇନ୍ଦ୍ରଧନୁ ମାର୍କେଟ୍, ଜାଗମରା, ଜୟଦେବବିହାର ନନ୍ଦନକାନନ ରୋଡ୍‌ରେ ପ୍ରାୟ ୨ହଜାରରୁ ଅଧିକ ବ୍ୟାବସାୟିକ ପ୍ରତିଷ୍ଠାନ ପ୍ଲାନିଂ ନିୟମ ମାନି ନାହାନ୍ତି। ଜନପଥରେ କେବଳ ୫୦୦ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ଥିବାବେଳେ କାହାର ବି ୫ହଜାର ବର୍ଗଫୁଟରୁ କମ୍ ଅଞ୍ଚଳରେ ସୋ’ରୁମ୍ ନାହିଁ। ଯଦି କେବଳ ଜନପଥକୁ ହିସାବକୁ ନିଆଯାଏ ତେବେ ପାର୍କିଂ ପାଇଁ ଉଦ୍ଦିଷ୍ଟ ପ୍ରାୟ ୧୨ଲକ୍ଷ ୫୦ହଜାର ବର୍ଗଫୁଟ ଅଞ୍ଚଳ ବେପାରରେ ଲାଗିଛି। ଭୁବନେଶ୍ବରର ପ୍ରତ୍ୟେକ ଅଞ୍ଚଳକୁ ହିସାବକୁ ନେଲେ ଏହାର ପରିମାଣ କେ‌ତେ ହେବ ତାହା ସହଜରେ ଅନୁମେୟ। ଏ ସବୁ ଉପରେ ବିଏମ୍‌ସି ୧୦ ଦିନ ପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର