ଖଣ୍ଡଗିରି: ‘ଓଡ଼ିଶା ମୋ ଓଡ଼ିଶା’, ‘ଏକ ନଦୀ ସେ ବେହ ରହେହେ ଆଦିୟୋଗୀ’, ‘ହେ କାଲାମ୍‌ ତୁମକୁ ସଲାମ୍‌’। ସଞ୍ଜ ହେଉ ହେଉ ଏଭଳି ଗୀତର ତାଳେ ତାଳେ ଝୁମୁଛି ପାର୍କ। ଆଲୁଅ ଭିତରେ ପାଣି ସହ ପ୍ରତିଯୋଗିତା କରିବା ଭଳି ବାଜୁଛି ଗୀତ। କେଉଁଦିନ ପୁଣି ଡେସ୍‌ପାସିତୋ, ଗେମ୍‌ ଅଫ୍‌ ଥ୍ରୋନ୍‌ସର ବିଜିଏମ୍‌ ତ ପୁଣି କେତେବେବେଳ ଓଡ଼ିଶା କଳା, ଐତିହ୍ୟକୁ ନେଇ ବୃତ୍ତ ଚିତ୍ର। ଫାଉଣ୍ଟେନ୍‌ ଉପରେ ବିଭିନ୍ନ ରଙ୍ଗର ଲେଜର୍‌ ଲାଇଟ୍‌ର ଜାଦୁ ଢେର୍‌ ସମୟ ପାଇଁ ଦର୍ଶକଙ୍କୁ ବାନ୍ଧିରଖୁଛି। ଅବସର ବିନୋଦନର ଏଭଳି ସୁଯୋଗ ‌‌ କେ-୮ସ୍ଥିତ ଏପିଜେ ଅବ୍‌ଦୁଲ୍‌ କାଲାମ୍‌ ପାର୍କରେ ମିଳୁଛି।
୧୨ ଏକର ଜାଗାରେ ୨୦୦୮ ମସିହାରୁ ଏହି ପାର୍କ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବର୍ଷାଧିକ କାଳ ଏହା ଅନାବନ‌‌ା ଘାସବୁଦାରେ ଭର୍ତ୍ତି ହୋଇଥିଲା।

Advertisment

ମନଜିଣୁଛି ମ୍ୟୁଜିକାଲ୍‍ ଫାଉଣ୍ଟେନ୍‌
ସୋ’ରେ ଓଡ଼ିଶା କଳା ସଂସ୍କୃତିର କଥା

୨୦୨୧ରେ ଏହାର ଉନ୍ନତୀକରଣ ପାଇଁ ବିଡିଏ ଅଣ୍ଟା ଭିଡ଼ି‌ଥିଲା। ଏବେ ଏଠା‌ରେ ରାତିଦିନ ଦର୍ଶକଙ୍କ ଭିଡ଼ ଜମୁଛି। ପାଖାପାଖି ୩୦ ଫୁଟ୍‌ ଉଚ୍ଚରେ ତ୍ରିରଙ୍ଗା ଉଡ଼ୁଛି। ତେବେ ପାର୍କର ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଇସ୍ରୋ ଦ୍ବାରା ଲଞ୍ଚ୍‌ କରାଯାଇଥିବା ବିରାଟ ଜିଏସ୍‌ଏଲ୍‌ଭି ଏମ୍‌କେ-୩ର ପ୍ରତୀକା‌ତ୍ମକ ରକେଟ୍‌ ମୁଖ୍ୟ ଆକର୍ଷଣ ପାଲଟିଛି। ୨କୋଟିରୁ ଅଧିକ ଟଙ୍କା‌ ଖର୍ଚ୍ଚ କରାଯାଇ ସଙ୍ଗୀତ ସହ ତାଳଦେଇ ପରିଚାଳିତ ଜଳ, ଆଲୋକର ଅପୂର୍ବ ସଙ୍ଗମ ଦର୍ଶକଙ୍କୁ ଆକର୍ଷିତ କରୁଛି। ଖୋଲା ଆକାଶ ତଳେ ଫାଉଣ୍ଟେନ୍‌ର ଯୁଗଳବନ୍ଦୀ ଏହି ପାର୍କର ଶୋଭାକୁ ଦ୍ବିଗୁଣିତ କରୁଛି। ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କାଲାମ୍‌ଙ୍କ ପାଇଁ ସମର୍ପିତ ଏହି ପାର୍କର ଫାଉଣ୍ଟେନ୍‌ରେ କାଲାମଙ୍କ ଜୀବନୀ ବିଷୟରେ ଏକ ଭିଡିଓ ଚାଲୁଛି। ପାଖାପାଖି ୧ କିଲୋମିଟରର ଏକ ବିରାଟ କୃତ୍ରିମ ନଈରେ ଏହି ସୋ’ ହେଉଛି। ସନ୍ଧ୍ୟା ୭ଟାରୁ ୭ଟା ୨୦ ପର୍ଯ୍ୟନ୍ତ ଏହି ସୋ ଚାଲୁଛି। ଏହାକୁ ବସି ଦେଖିବା ପାଇଁ ଓପନ ଆମ୍ପିଥିଏଟର ବ୍ୟବସ୍ଥା ହୋଇଛି।

ଜାନୁଆରି ୬ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଫାଉଣ୍ଟେନ୍‌ର ଲୋକାର୍ପଣ କରିଥିଲେ। ଗତ ତିନିମାସ ହେବ ସନ୍ଧ୍ୟା ହେଉହେଉ ଏଠାରେ ୫୦୦ରୁ ୭୦୦ ଲୋକଙ୍କ ଭିଡ଼ ଜମୁଛି। ଦେୟମୁକ୍ତ ଏହି ପାର୍କ ଆସିବାକୁ ସମସ୍ତେ ଆଗ୍ରହ ମଧ୍ୟ କରୁଛନ୍ତି। ଏ ସମ୍ପର୍କରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଡିଭିଜନ୍-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ କହିଛନ୍ତି, ମ୍ୟୁଜିକାଲ୍ ଫାଉଣ୍ଟେନ୍‌ ଏବେ ଦିନେ ଛଡ଼ା ଦିନେ ଚାଲୁଛି। ଆଗାମୀ ଦିନରେ ଏହାକୁ ସପ୍ତାହରେ ୩ ଦିନ ‌ଚଲାଇବାର ବ୍ୟବସ୍ଥା କରିବୁ। ୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣା ଦାୟିତ୍ବ ଏକ ବେସରକାରୀ ସଂସ୍ଥାକୁ ଦିଆଯାଇଛି।