ଭୁବନେଶ୍ବର: କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡ଼ୁଆରେ ପଡ଼ିଛନ୍ତି ୟୁଟ୍ୟୁବର୍। ବରଗଡ଼ ଜିଲ୍ଲାର ଜଣେ ଯୁବକ ନିଜ ଫେସ୍ବୁକ୍ ଆକାଉଣ୍ଟରେ ରିଲ୍ସ ସେୟାର୍ କରି ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ଵାର୍ଡେନ୍ଙ୍କ ନିକଟରେ ସ୍ନେକ୍ ହେଲ୍ପାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି। ଭିଡିଓରେ ଏକ ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ ପିଠିରେ ରଙ୍ଗ ଓ ତୂଳୀରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ତାକୁ ପାଣିରେ ଛାଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରାଣୀପ୍ରେମୀଙ୍କ ଆଖିରେ ଏହି ଭିଡିଓ ପଡ଼ିବା ପରେ ୟୁଟ୍ୟୁବର୍ଙ୍କ ଅଡ଼ୁଆ ବଢ଼ିଛି। ବନ୍ୟପ୍ରାଣୀ ଆଇନ ଅନୁଯାୟୀ ସିଡ୍ୟୁଲ୍-୧ ଅଧୀନରେ ଏହି କଇଁଛ ଆସୁଛି। ଏହି ଆଇନ ଉଲ୍ଲଂଘନ କଲେ ୭ବର୍ଷ ଯାଏଁ ଜେଲ୍ଦଣ୍ଡ ଓ ଏକଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ମୋବାଇଲରୁ ମୋବାଇଲ୍କୁ ଘୂରି ବୁଲୁଥିବା ଏହି ଭିଡିଓକୁ ତୁରନ୍ତ ପ୍ରତ୍ୟାହାର କରାଯିବା ସହ ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି।
ଅଭିଯୋଗର ଏକ ନକଲ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। କିଛିଦିନ ତଳେ ବାର୍ହା ମାଂସ ରାନ୍ଧି ଖାଇବାର ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ ଘଟଣା ସମ୍ନାକୁ ଆସିଥିଲା। ଅନୁରୂପ ଭାବେ ସାପ, ଏଣ୍ଡୁଅ ଆଦିଙ୍କୁ ଧରି ବହୁ ୟୁଟ୍ୟୁବର୍ ଓ କଣ୍ଟେଣ୍ଟ କ୍ରିଏଟର୍ ଭିଡିଓ କରି ରୋଜଗାର କରୁଛନ୍ତି। ତେବେ କଡ଼ା ପଦକ୍ଷେପ ନିଆ ଯାଉନଥିବାରୁ ବାରମ୍ବାର ସମାନ ଘଟଣା ଦେଖିବାକୁ ମିଳୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।