‘ଭାବ ଓ ବିଶ୍ବାସ ହିଁ ଜଗନ୍ନାଥ ସଂସ୍କୃତିକୁ ବ୍ୟାପକ କରିଛି’

ଗଣେଶ ପରିଜା ସ୍ମାରକୀ ବକ୍ତୃତା

ଭୁବନେଶ୍ବର: ‘ଶାରଳା ସ୍ମାରକ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ‘ଗଣେଶ ପରିଜା ସ୍ମାରକୀ ବକ୍ତୃତା’ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଲେଖକ ଗଣେଶ ପ୍ରସାଦ ପରିଜାଙ୍କ ସ୍ମୃତି ଦିବସ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଲୋକ ଓ ଲୋକୋତ୍ତୋର ଚେତନା’ ଶୀର୍ଷକ ଉପରେ ବକ୍ତବ୍ୟ ରଖି ବିଶିଷ୍ଟ ଗବେଷକ ଡ. ଶାନ୍ତନୁ କୁମାର ରଥ କହିଲେ, ଜଗନ୍ନାଥ ଉପାସନା ଲୋକଚେତନାରୁ ଲୋକତ୍ତୋର ଚେତନାକୁ ଉତ୍ତୀର୍ଣ୍ଣ ହୋଇ ପୁଣିଥରେ ଲୋକ ଚେତନାକୁ ଫେରିଆସେ। ତତ୍ତ୍ବ, ଶାସ୍ତ୍ର ଅପେକ୍ଷା ଭାବ ଓ ବିଶ୍ବାସ ହିଁ ଜଗନ୍ନାଥ ସଂସ୍କୃତି ବ୍ୟାପକ ହେବାର ମୂଳ କାରଣ ବୋଲି ସେ କହିଥିଲେ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଐତିହାସିକ ଗବେଷକ ଅନିଲ ଧୀର୍‌ଙ୍କୁ ‘ପଞ୍ଚମ ଗଣେଶ ପରିଜା ସମ୍ମାନ’ ପ୍ରଦାନ କରାଯାଇଥିଲା। ଗଣେଶ ପରିଜାଙ୍କ ପୁଅ ଦେବପ୍ରସାଦ ପରିଜା ସ୍ମୃତିଚାରଣ କରିଥିଲେ। ଯୁବ ସାହିତ୍ୟିକ ଶତ୍ରୁଜିତ୍‌ ସ୍ବାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ଅପୂର୍ବ ମହାନ୍ତି ଧନ୍ୟବାଦ ଦେଇଥିଲେ। ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର