ଭୁବନେଶ୍ବର: ଢିଙ୍କିଆ ଗ୍ରାମବାସୀଙ୍କୁ ବର୍ବରୋଚିତ ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରି ତୁରନ୍ତ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀ ଏଥିପାଇଁ ତୁରନ୍ତ ନିର୍ଦେଶ ଦିଅନ୍ତୁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳବଳ କୌଶଳ କରି ଭୋଟ ହାତେଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ତାଟିକବାଟ ପକାଇ ‘ଶଙ୍ଖାସୁର’ ଭଳି ଆଚରଣକୁ ଅନୁସରଣ କରୁଛନ୍ତି। କୋଇଲା ବ୍ଲକ୍ ଆବଣ୍ଟନରେ ଆଦିତ୍ୟ ବିର୍ଲା କମ୍ପାନିକୁ ଯଥେଷ୍ଟ ସହଯୋଗ କରି ବିଜେଡି ପାଣ୍ଠିକୁ ୮କୋଟି ଚାନ୍ଦା ମିଳିଥିବାର ଯଥେଷ୍ଟ ପ୍ରମାଣ ରହିଛି। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜିନ୍ଦଲ କମ୍ପାନିଠାରୁ ମୋଟା ଅଙ୍କର ଅର୍ଥ ଆଣି ପୁଲିସ ଲଗାଇ ଢିଙ୍କିଆ ଗ୍ରାମବାସୀଙ୍କୁ ବର୍ବରୋଚିତ ଆକ୍ରମଣ କରାଯାଉଛି। ଢିଙ୍କିଆ ପ୍ରସଙ୍ଗରେ ରାଜ୍ୟ ସରକାର ଓ ପ୍ରଶାସନ ସହ ପୁଲିସ କମ୍ପାନିର ପୋଷା ଗୁଣ୍ଡା ଭଳି ବ୍ୟବହାର କରିଛି।
ଏ ସଂପର୍କରେ କଂଗ୍ରେସ ଦଳ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ଆସନ୍ତା ୨୨ ତାରିଖରେ ଢିଙ୍କିଆ ଗସ୍ତ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ଦୁର୍ଭାଗ୍ୟଜନକ। ୫୪ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଏହି ପଛୁଆବର୍ଗଙ୍କ ସାମାଜିକ, ରାଜନୈତିକ, ଅର୍ଥନୈତିକ ଉତ୍ଥାନ କ୍ଷେତ୍ରରେ ଜାଣିଶୁଣି ଚଞ୍ଚକତା କରି ସରକାର ଏମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।