‘ହର ଘର ତ୍ରିରଙ୍ଗା’ ଅଭିଯାନର ପ୍ରଭାବ: ବଢ଼ୁଛି ଖଦି ପତାକା ବିକ୍ରି

ଡାକ ଘରେ ଓ ମିସନ ଶକ୍ତିରେ ପ୍ରଥମ ଥର ପାଇଁ ମିଳୁଛି ତ୍ରିରଙ୍ଗା

ଭୁବନେଶ୍ବର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ଆହ୍ବାନ ଦେଇଛନ୍ତି। ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ସେ ଆହ୍ବାନ ଦେଇଛନ୍ତି। ତେଣୁ ଚଳିତ ବର୍ଷ ଖଦି ପ୍ରସ୍ତୁତ ତ୍ରିରଙ୍ଗା ବିକ୍ରି ବଢ଼ିଥିବା‌ ଦେଖାଯାଉଛି। ବଜାରରେ କମ୍ ଦାମ୍‌ର ତ୍ରିରଙ୍ଗା ମିଳୁଥିଲେ ବି ବହୁତ ଲୋକ ଖଦି ତ୍ରିରଙ୍ଗା କିଣିବାକୁ ଆଗ୍ରହ କରୁଥିବା ଜଣାପଡ଼ିଛି। ଡାକଘର ଓ ମିସନ୍ ଶକ୍ତି ଜରିଆରେ କମ୍ ମୂଲ୍ୟରେ ତ୍ରିରଙ୍ଗା ମିଳୁଥିଲେ ବି ଲୋକେ ଅଧିକ ଦାମ୍‌ ଦେଇ ଖଦି ତିଆରି ତ୍ରିରଙ୍ଗା କିଣୁଥିବା ଦେଖାଯାଉଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସ୍କୁଲ୍‌, କଲେଜ୍‌, କ୍ଲବ୍‌, ବିଭିନ୍ନ ସାମାଜିକ ସଂଗଠନ ଓ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଖଦି ପ୍ରସ୍ତୁତ ତ୍ରିରଙ୍ଗା କିଣାଯାଉଥିଲା। ଗୋଟିଏ ପତାକା ପ୍ରାୟ ୫/୭ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା। ତେଣୁ ଖଦି ତିଆରି ଜାତୀୟ ପତାକା କମ୍ ବିକ୍ରି ହେଉଥିଲା। କିନ୍ତୁ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ ପରେ ସବୁ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଛି। ତେଣୁ ବହୁ ଅନୁଷ୍ଠାନ ପକ୍ଷରୁ ନୂଆ ପତାକା କିଣାଯାଉଛି। ସରକାରୀ ଅନୁଷ୍ଠାନ ଖଦି ଭଣ୍ଡାର, ଖଦି ନିକେତନ ଭଳି କିଛି ପ୍ରତିଷ୍ଠାନରେ ଖଦି ତିଆରି ଜାତୀୟ ପତାକା ବିକ୍ରି କରାଯାଏ। ଅଶୋକନଗରସ୍ଥିତ ଖଦି ନିକେତନର ମ୍ୟାନେଜର ନାରାୟଣ ପୃଷ୍ଟିଙ୍କ କହିବା କଥା ପୂର୍ବ ବର୍ଷମାନଙ୍କରେ ଅତି ବେଶିରେ ଖଦି ତିଆରି ତ୍ରିରଙ୍ଗା ପତାକା ୧୫ ଶହରୁ ୨ ହଜାର ଭିତରେ ବିକ୍ରି ହୁଏ। କିନ୍ତୁ ଏବର୍ଷ ବର୍ତ୍ତମାନ ସୁଦ୍ଧା ୬ ହଜାରରୁ ଅଧିକ ପତାକା ବିକ୍ରି ହୋଇସାରିଲାଣି। ବିଶେଷକରି ୬ଇଞ୍ଚ x୯ ଇଞ୍ଚ ସାଇଜ୍‌ର ପତାକା ଅଧିକ ସଂଖ୍ୟାରେ ବିକ୍ରି ହେଉଛି। ଏହାର ଦାମ୍‌ ୬୦ଟଙ୍କା ରହିଥିବା ବେଳେ ଏହାକୁ ଯାନବାହାନରେ ଲଗାଇବାକୁ ସହଜ ହେଉଥିବାରୁ ଏହି ସାଇଜ୍‌ର ପତାକା ଅଧିକ ବିକ୍ରି ହେଉଛି। ତେବେ ୨୪ ଇଞ୍ଚ x ୩୬ ଇଞ୍ଚ ସାଇଜ୍‌ର ତ୍ରିରଙ୍ଗା ମଧ୍ୟ କିଛି କମ୍‌ ବିକ୍ରି ହେଉନାହିଁ ବୋଲି ସେ କହିଛନ୍ତି।

ଏହି ସାଇଜ୍‌ର ଦାମ୍‌ ୧୯୦ ଟଙ୍କା ରହିଥିବା ବେଳେ ବହୁ ଭାରୀଯାନ ଚାଳକମାନେ ଏହାକୁ କିଣୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରୁ ୧୨ ଶହରୁ ଅଧିକ ବିକ୍ରି ହୋଇଗଲାଣି। ସେହିପରି ୩୬ ଇଞ୍ଚ x ୫୪ ଇଞ୍ଚ ସାଇଜ୍‌ ପତାକାର ଦାମ୍‌ ୩୬୦ ଟଙ୍କା ଏବଂ ୪୮ ଇଞ୍ଚ x ୭୨ ଇଞ୍ଚ ସାଇଜ୍‌ର ପତାକାର ଦାମ୍‌ ୪୫୦ ଟଙ୍କା ରହିଛି। ଅଧିକାଂଶ ଲୋକ ଘର ଉପରେ ଉଡ଼ାଇବାକୁ ଏହି ବଡ଼ ସାଇଜ୍‌ର ପତାକା କିଣୁଛନ୍ତି। ସେହିପରି ଅଶୋକନଗରସ୍ଥିତ ନ୍ୟୁ ଖଦି ଭଣ୍ଡାରକୁ ଆସିଥିବା ୩୫୦ଟି ପତାକା ସବୁ ବିକ୍ରି ହୋଇଯାଇଛି। ଷ୍ଟୋର୍‌ କର୍ମଚାରୀ ସୁଜିତ୍‌ କୁମାର ସାହୁଙ୍କ କହିବା କଥା ଗତ ବର୍ଷ ସେମାନେ ମାତ୍ର ୨୦୦ ପତାକା ବିକ୍ରି କରିଥିଲେ। କିନ୍ତୁ ଏବର୍ଷ ଏଭଳି ଏକ ଯୋଜନା ହେବ ବୋଲି ଜାଣିବା ବେଳକୁ ବିଳମ୍ବ ହୋଇଯାଇଥିଲା। ତେଣୁ ବେଶି ସଂଖ୍ୟାରେ ଅର୍ଡର କରାଯାଇନଥିଲା। ଏବେ ବହୁ ଲୋକ ଏଠାରୁ ହତାଶ ହୋଇ ଫେରୁଛନ୍ତି। ଅନୁରୂପ ଭାବେ ଚଳିତ ବର୍ଷ ଖାରବେଳନଗରସ୍ଥିତ ଖଦି ଗ୍ରାମୋଦ୍ୟୋଗ ବିକ୍ରୟ କେନ୍ଦ୍ରରେ ମଧ୍ୟ ତ୍ରିରଙ୍ଗା ଅଭାବ ରହିଛି। ଏବର୍ଷ କିଛି ନୂଆ ପତାକା ଅଣାଯାଇନଥିଲା। ଫଳରେ ଗତ ବର୍ଷଠାରୁ ଯାହା ବଳକା ଥିଲା, ତାହା କେବେଠୁ ସରିଗଲାଣି। ଷ୍ଟୋର୍‌ର ଜଣେ କର୍ମଚାରୀଙ୍କ କହିବା କଥା ଏବର୍ଷ ଏତେ ଚାହିଦା ରହିବ ବୋଲି ପୂର୍ବରୁ ଜାଣିଥିଲେ, ସେହି ଅନୁସାରେ ପତାକା ଅର୍ଡର କରିଥାନ୍ତୁ। ଏବେ ସମୟ ପାଖେଇ ଆସିଲାଣି। କର୍ଣ୍ଣାଟକରୁ ଏବେ ମଗାଇବା ସମ୍ଭବ ହେବ ନାହିଁ। ଖଦି ପତାକାର ଚାହିଦା ବୃଦ୍ଧି ବାବଦରେ ଜିଜିପି କଲୋନି ବାସିନ୍ଦା ଆଇନଜୀବୀ ସନତ ମହାନ୍ତିଙ୍କ କହିବା କଥା ତ୍ରିରଙ୍ଗାର ଆତ୍ମା ଖଦିରେ। ତେଣୁ ତ୍ରିରଙ୍ଗା ଉଡ଼ାଇବାର ଅଛି ତ ଖଦି ତିଆରି ତ୍ରିରଙ୍ଗା ଉଡ଼ାଇବାକୁ ହେବ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ସରକାରଙ୍କ ତରଫରୁ ପୋଷ୍ଟ ଅଫିସ୍‌ରେ ଜାତୀୟ ପତାକା ବିକ୍ରି ହେଉଛି। ୨୦ ଇଞ୍ଚ x ୩୦ ଇଞ୍ଚ ସାଇଜ୍‌ର ଏହି ପତାକାର ଦାମ୍‌ ୨୫ଟଙ୍କା ରହିଛି। ଏବର୍ଷ ସାରା ଓଡ଼ିଶାକୁ ୨ଲକ୍ଷ ତ୍ରିରଙ୍ଗା ବିକ୍ରି କରିବାକୁ ଟାର୍ଗେଟ୍‌ ଦିଆଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ପାଇଁ ଖୋର୍ଦ୍ଧା ଡିଭିଜନ ଅଫିସ୍‌ ୫୪ ହଜାର ପତାକା ଆଣିଛି। ଖୋର୍ଦ୍ଧା ଜିଲ୍ଲାର ୨୨୭ଟି ଡାକ ଅଫିସରେ ବିକ୍ରି କରାଯାଉଛି। ଏପର୍ଯ୍ୟନ୍ତ ୫୦ହଜାର ପତାକା ବିକ୍ରି ହୋଇଯାଇଥିବା ବେଳେ ଆସନ୍ତା ୧୩ ତାରିଖ ଭିତରେ ଶତ ପ୍ରତିଶତ ବିକ୍ରି ହେବ ବୋଲି ହେଡ୍ କ୍ବାର୍ଟର୍ସର ସହାୟକ ଡାକ ଅଧୀକ୍ଷକ ଦେବ ଜେନା କହିଛନ୍ତି। ଚଳିତ ବର୍ଷ ମିସନ ଶକ୍ତି ଅଧୀନସ୍ଥ ସ୍ବଂୟ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟ ଏଥର ଜାତୀୟ ପତାକା ତିଆରି କରି ବିକ୍ରି କରୁଛନ୍ତି। ଭୁବନେଶ୍ବରର ତେଜସ୍ବିନୀ ମହିଳା ମହାସଂଘ ୫୦, ୦୦୦ ତ୍ରିରଙ୍ଗା ପତାକା ତିଆରି କରି ବିକ୍ରି କରିଛନ୍ତି। ଏହାର ଦାମ୍‌ ୨୪ଟଙ୍କା ରହିଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ୨୬,୦୦୦ ଅର୍ଡର ଆସିଥିବା ବେଳେ ମିସନ୍‌ ଶକ୍ତିରୁ ୧୮,୦୦୦ ପତାକା ପାଇଁ ଅର୍ଡର ଆସିଥିଲା। ଏଥିସହ ସାଧାରଣ ଲୋକଙ୍କ ପାଇଁ ପାଖାପାଖି ୧୭ହଜାର ତ୍ରିରଙ୍ଗା ବିକ୍ରି ହୋଇଛି ବୋଲି ତ୍ରିଶକ୍ତି ମହିଳା ପରିଷଦର ସଂପାଦିକା ସଂଯୁକ୍ତା ଭୂତିଆ କହିଛନ୍ତି।

ସମ୍ବନ୍ଧିତ ଖବର