ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ସିଧାସଳଖ ପ୍ରଭାବ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପଡ଼ିଥିଲା। ଆନ୍ଦୋଳନ ଫଳରେ ଶହ ଶହ ବସ୍ ବାତିଲ ହୋଇଯାଇଥିଲା। ଫଳରେ ହଜାର ହଜାର ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ ଫଳ‌ରେ ବରମୁଣ୍ଡାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ପ୍ରାୟ ୭୦ ପ୍ରତିଶତ ବସ୍‌ ବନ୍ଦ ହୋଇଯାଇଥିଲା। ସରକାରୀ ବସ୍‌ ସହିତ କାଁ ଭାଁ ବେସରକାରୀ ବସ ଯାତାୟାତ କରୁଥିଲା। ତେଣୁ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଯାତ୍ରୀମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ରହିଯାଇଥିଲେ। 
ପିଲାଛୁଆଙ୍କୁଧରି ବିଭିନ୍ନ ସ୍ଥାନକୁ ଯିବା ପାଇଁ ଆସିଥିବା ଲୋକେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ବସ୍‌ ଚଳାଚଳ କରୁନଥିବା ଜାଣିବାକୁ ପାଇ ଅସହାୟ ହୋଇପଡ଼ିଥିଲେ। ବହୁସମୟ ଧରି ବସ୍‌ଷ୍ଟାଣ୍‌ଡ ଭିତରେ ସପରିବାର ବସିରହିଥିଲେ। ବସ୍‌ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେବହୁ ହଇରାଣ ହୋଇଥିଲେ। ଏନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥି‌ଲା।

Advertisment

ଜଟଣୀ ଡ୍ରାଇଭର ସଂଘର ଧର୍ମଘଟ

ଜଟଣୀ: ୬ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆହ୍ବାନକ୍ରମେ ଜଟଣୀ ଶାଖା ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଓ ଧର୍ମଘଟ କରାଯାଇଛି। ଜଟଣୀ ପୌରପାଳିକା ଅନ୍ତର୍ଗତ ହରିଭାଇନା ଛକରେ ଆୟୋଜିତ ଧର୍ମଘଟରେ ସଂଘ ପକ୍ଷରୁ କୁହାଯାଇଛି ଯେ, ବିଗତ ଦିନରୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ୱାର ସରକାରଙ୍କୁ ଅବଗତ କରିଆସୁଛୁ। କିନ୍ତୁ ଏଯାବତ୍ ଆମର ଗୋଟିଏ ମାତ୍ର ସମସ୍ୟାର ସମାଧାନ ହୋଇଛି। ଆହୁରି ୬ଟି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଯେଉଁଥିପାଇଁ ଗତ ମାର୍ଚ୍ଚ ୨୯ ତାରିଖରୁ ୬ ଦିନ ପର୍ଯ୍ୟନ୍ତ ଲୋୟର୍ ପିଏମ୍‌ଜିରେ ଧାରଣା ଦିଆଯାଇଥିଲା। ସରକାରଙ୍କୁ ମାସେ ସମୟ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜିଠାରୁ କୌଣସି ଡ୍ରାଇଭର ଗାଡ଼ି ନଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଧର୍ମଘଟରେ ଶାଖା ସଭାପତି ଅନିଲ କୁମାର ହାତୀ, ସମ୍ପାଦକ ମୁନା ବେହେରା, ସୁଶାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ବାଘ, କିଶୋର ମହାନ୍ତି, ରାଜେଶ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଛନ୍ତି। 

ବାଲିପାଟଣା ଡ୍ରାଇଭର ମହାସଂଘର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ବାଲିପାଟଣା: ଓଡିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ବାଲିପାଟଣା ଡ୍ରାଇଭର ମହାସଂଘ ଶାଖା। ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ଓ ବାଲିଅନ୍ତା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ସକାଳୁ ଏକତ୍ରିତ ହୋଇ ବାଲିପାଟଣା ଛକସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବା ସହ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ବାଲିପାଟଣା ଡ୍ରାଇଭର ମହାସଂଘ ସଭାପତି ମୁନା ମଲ୍ଲିକ, ଉପସଭାପତି ବୃନ୍ଦାବନ ଜେନା, ସମ୍ପାଦକ ସରୋଜ ପାଗଡ଼, ସହସମ୍ପାଦକ ଦୁଷ୍ମନ୍ତ ବାରିକ, ଉପଦେଷ୍ଟା ନିମାଇଁ ଚରଣ ଦୀକ୍ଷିତ, ରାଜ କିଶୋର ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି।