ଇମ୍ପାକ୍ଟ ରୢାଙ୍କିଙ୍ଗ୍‌-୨୦୨୨: ଅସମାନତା ହ୍ରାସ କ୍ଷେତ୍ରରେ କିଟ୍‍ ବିଶ୍ୱରେ ଅଷ୍ଟମ

ଭୁବନେଶ୍ୱର: ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଅନ୍ତର୍ଗତରେ ‘ଅସମାନତା ଦୂର କ୍ଷେତ୍ର’ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି। ନିକଟରେ ପ୍ରକାଶ ପାଇଥିବା ଟାଇମ୍‍ସ ହାଇଅର୍‌ ଏଜୁକେସନ୍‍ର ଇମ୍ପାକ୍ଟ ରୢାଙ୍କିଙ୍ଗ୍‌ରେ କିଟ୍‍କୁ ଏହି ରୢାଙ୍କ୍‌ ପ୍ରଦାନ କରାଯାଇଛି। ପ୍ରତିବର୍ଷ ‘ଟାଇମ୍‍ସ ହାଇଅର ଏଜୁକେସନ୍‍’ ବିଶ୍ୱବିଦ୍ୟାଳୟ ରୢାଙ୍କ୍‌ ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ୍‌ କରିଥା’ନ୍ତି। ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ହେଉଛି ଇମ୍ପାକ୍ଟ ରୢାଙ୍କିଙ୍ଗ୍। ଏଥିରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଯୋଗଦାନର ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ୍‌ ପ୍ରଦାନ କରାଯାଇଥାଏ। ଗବେଷଣା, ପରିଚାଳନା, ଆଉଟରିଚ୍‍ ଏବଂ ଗୁଣାତ୍ମକ ଶିକ୍ଷାଦାନ ଆଦି ମାପଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ କେତେ ଯୋଗଦାନ ରହିଛି ତାହା ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ୍ ପ୍ରଦାନ କରାଯାଇଥାଏ। ଜାତିସଂଘର ଅନ୍ୟାନ୍ୟ ବିକାଶ ଲକ୍ଷ୍ୟ ଯଥା ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ପାର୍ଟନରସିପ ଆଦି କ୍ଷେତ୍ରରେ କିଟ୍‍ ୧୦୧+ ମଧ୍ୟରେ ରହିଛି। ସାମଗ୍ରିକ ଭାବେ ବିଶ୍ୱର ୧୦୬ଟି ଦେଶର ୧୫ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୦୧+ ସ୍ଥାନରେ ରହିଛି।

କିଟ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷବ୍ୟକ୍ତ କରି କହିଛନ୍ତି, କିଟ୍‍ ଶିକ୍ଷାଦାନ ଓ ଗବେଷଣା ସହ ଦୀର୍ଘ ୨୫ବର୍ଷ ହେଲା ସମାଜଭିତ୍ତିକ ଅନେକ କାର୍ଯ୍ୟ କରିଆସୁଛି। ଏହାର ପରିଣାମସ୍ୱରୂପ ଅସମାନତା ଦୂର କରିବାରେ କିଟ୍‍କୁ ଅଷ୍ଟମ ସ୍ଥାନ ମିଳିଛି। ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍‍ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର୍‌ ସସ୍ମିତା ସାମନ୍ତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର