ଓପିଏସ୍‌ସିରେ ଡିଜିଟାଇଜେସନ୍‌କୁ ଗୁରୁତ୍ବ : ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆଖି ସ୍କାନି˚ କରାଯିବ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ରେ ଏଥର ଡିଜିଟାଇଜେସନ୍‌କୁ ଗୁରୁତ୍ବ ଦିଆଯିବ। କିଛି ମାସ ତଳେ ଇ-ଅଫିସ୍‌ର ଶୁଭାରମ୍ଭ କରାଯାଇଥିଲା ବେଳେ ସମସ୍ତ ନଥିପତ୍ର କାର୍ଯ୍ୟ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ। ଏଥିପାଇଁ ସମସ୍ତ ଫାଇଲ୍‌ଗୁଡିକୁ ସ୍କାନି˚ କରାଯାଇଛି। ଏଥିସହ ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ତଥା ନକଲି ପରୀକ୍ଷାର୍ଥୀ ସମ୍ଭାବନା ଏଡ଼ାଇବା ପାଇଁ ଏଥର ପରୀକ୍ଷାର୍ଥୀଙ୍କ ଆଖି ସ୍କାନି˚ କରାଯିବାକୁ ନିଷ୍ପତ୍ତି ହୋଇଛି। ଏସବୁ ଡିଜିଟାଲ କାର୍ଯ୍ୟ ପାଇଁ ଏନ୍‌ଆଇସି ସମସ୍ତ ପ୍ରକାରର ବୈଷୟିକ ସହାୟତା ଯୋଗାଇ ଦେବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପ୍ରଥମେ ପରୀକ୍ଷାର୍ଥୀମାନେ ଆବେଦନ କରୁଥିବା ବେଳେ ଅପଲୋଡ୍‌ କରୁଥିବା ଫଟୋର ଗୁଣାତ୍ମକମାନ ପ୍ରତି ଗୁରୁତ୍ବ ଦେବାକୁ ଓପିଏସ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ନିକଟ ଅତୀତର ଫଟୋଗ୍ରାଫ୍‌କୁ ଅପ୍‌ଲୋଡ୍‌ କରିବାକୁ କୁହାଯାଇଛି। ଏଥିସହ ଲାଇଟ୍‌ କଲର ବ୍ୟାକ୍‌ଗ୍ରାଉଣ୍ତରେ ଫଟୋ ଉଠାଇବା ସହ ରଙ୍ଗିନ୍‌ ଫଟୋ ହୋଇଥିବା ଆବଶ୍ୟକ। ନଜର ସବୁବେଳେ କ୍ୟାମେରା ଆଡ଼କୁ ହୋଇଥିବା ଜରୁରୀ। ଖରାରେ ଫଟୋ ଉଠାଇଥିଲେ ଯେପରି ଆଲୋକ ପାସ୍‌ କରୁ ନଥିବା ଭଳି ଫଟୋ ଉଠାଇବା ପ୍ରତି ଯତ୍ନବାନ୍‌ ହେବା ଉଚିତ୍‌। ଯଦି ଫ୍ଲାସ୍‌ ବ୍ୟବହାର କରୁଛନ୍ତି, ତାହେଲେ ଆଖିରେ ନାଲି ଚିହ୍ନ ଯେପରି ଦେଖାଯାଉ ନଥିବ ତାହାକୁ ମଧ୍ୟ ନଜର ରଖିବାକୁ ହେବ। ଯେଉଁମାନେ ଚଷମା ବ୍ୟବହାର କରୁଛନ୍ତି, ସେଥିରେ ଯେପରି କୌଣସି ରିଫ୍ଲେକ୍ସନ ଆସୁ ନଥିବ। ଟୋପି, କଳା ଚଷମା ଇତ୍ୟାଦି ପିନ୍ଧିଥିବା ଫଟୋ ଗ୍ରହଣ ହେବନି। ଯଦି କୌଣସି ଧାର୍ମିକ କାରଣରୁ କିଛି ମୁଣ୍ତରେ ପିନ୍ଧିବାକୁ ପଡୁଥାଏ, ସେତେବେଳେ ତାହା ମୁହଁକୁ ଯେପରି ଘୋଡ଼ାଉ ନଥିବ ତାହା ଦେଖିବାକୁ ହେବ। ପରୀକ୍ଷାର୍ଥୀ ଯେତେବେଳେ ପରୀକ୍ଷା ଦେବାକୁ ଆସିବେ, ସେତେବେଳେ କମ୍ପ୍ୟୁଟରରେ ଥିବା ଆବେଦନପତ୍ରର ଫଟୋ ସହିତ ତାଙ୍କର ଆଖିକୁ ସ୍କାନ କରି ମିଶାଯିବ। ଯଦି ଆଖି ସ୍କାନି˚ରେ ପରୀକ୍ଷାର୍ଥୀ ପାସ୍‌ କରନ୍ତି, ତାହେଲେ ସେମାନଙ୍କୁ ପରୀକ୍ଷା ହଲ୍‌ରେ ପ୍ରବେଶ କରିବାକୁ ଅନୁମତି ମିଳିବ ବୋଲି ଓପିଏସ୍‌ସି ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର