ଭୁବନେଶ୍ବର: ଲେଖକ ବିଜୟ ପଟ୍ଟନାୟକଙ୍କ ୨ୟ ପୁସ୍ତକ ‘ଈଶ୍ବର ବି ଜୁଆ ଖେଳନ୍ତି’ ଲୋକାର୍ପିତ ହୋଇଯାଇଛି। ବୁଦ୍ଧମନ୍ଦିରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ବକ୍ତାଭାବେ ସ୍ତମ୍ଭକାର ଦାଶ ବେନ୍ହୁର୍, ସମ୍ମାନିତ ଅତିଥିଭାବେ ଶାନ୍ତନୁ କୁମାର ଆଚାର୍ଯ୍ୟ, ନାଲ୍କୋର ପୂର୍ବତନ ସିଏମ୍ଡି ଚିତ୍ତରଞ୍ଜନ ପ୍ରଧାନ, ଅପୂର୍ବାର ପ୍ରକାଶକ କ୍ଷୀରୋଦ ପତି, ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ, ରାଧାନାଥ ୭୫ ବର୍ଷରେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ। ପରେ ସେ ଅନେକ ଉପନ୍ୟାସ ଲେଖିଛନ୍ତି। ୮ଟି ଗଳ୍ପକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକର ଲେଖକଙ୍କ ବୟସ ମଧ୍ୟ ଖୁବ୍ କମ୍। ୬୫ ବର୍ଷ ବୟସରେ ସେ ଲେଖକୀୟ ଅନୁଭବ ପାଇଛନ୍ତି। ତେଣୁ ସେ ଆହୁରି ଅନେକ କଥା ଲେଖିପାରିବେ।
ସେ ଆହୁରି କହିଲେ, ପଦ୍ୟର ଗୁରୁତ୍ୱ ଭାବର ଆଦାନ ପ୍ରଦାନ ପାଇଁ ଅଧିକ ଥାଇପାରେ, ମାତ୍ର ଗଦ୍ୟ ସାହିତ୍ୟ ଆମ ଭାଷା ପାଇଁ ଜରୁରୀ। ଭାଷା, ସାହିତ୍ୟ, ଗଣତନ୍ତ୍ରକୁ ସୁରକ୍ଷା ଦେବା ଓ ରୁଦ୍ଧିମନ୍ତ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲେଖକ ବ୍ୟକ୍ତିଗତ ଅନୁଭବକୁ ନିଜ ଢଙ୍ଗରେ ଲେଖିବାକୁ ଚେଷ୍ଟା କରିଛନ୍ତି। ଯାହା ପୁସ୍ତକକୁ ଅଧିକ ଜନାଦୃତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଦାଶ ବେନ୍ହୁର୍ କହିଲେ, ଅବସର ପରେ ଫୋନ୍ ଦେଖି ସମସ୍ତେ ସମୟ କାଟୁଛନ୍ତି। ହେଲେ କେହି ସାହିତ୍ୟ ମାଧ୍ୟମରେ ସମୟ କାଟିବାକୁ ପରାମର୍ଶ ଦିଅନ୍ତି ନାହିଁ। ବିଜୟ ବାବୁ ପୁସ୍ତକ ଲେଖି ଅନ୍ୟମାନଙ୍କୁ ପ୍ରେରଣା ଦେଉଛନ୍ତି। ସେହିପରି କବିତା ପ୍ରକୃତିର ରୂପାନ୍ତର ବିଷୟରେ କହୁଥିବା ବେଳେ ଦୀର୍ଘସ୍ଥାୟୀ ଆବେଦନ ଗପକୁ ମିଳେ। ଗପ ପ୍ରକୃତି ନୁହେଁ ମଣିଷ ତିଆରି କରେ ବୋଲି ସେ କହିଥିଲେ। ନାଲ୍କୋର ପୂର୍ବତନ ସିଏମ୍ଡି ଶ୍ରୀ ପ୍ରଧାନ ଯୋଗଦେଇ ନିଜର ଅନୁଭୂତି ବଖାଣି ଥିଲେ। ଅପୂର୍ବା ପ୍ରକାଶନ କ୍ଷୀରୋଦ ପତି ପ୍ରକାଶକ ବକ୍ତବ୍ୟ ରଖିଥିଲେ। ଲେଖକ ଶ୍ରୀ ପଟ୍ଟନାୟକ ପୁସ୍ତକ ଲେଖିବାର ପ୍ରେରଣା ବିଷୟରେ କହିଥିଲେ। ଅରୁଣ ସାହୁ ପୁସ୍ତକ ସମୀକ୍ଷା କରିଥିବା ବେଳେ ଅଶୋକ ମହାନ୍ତି ଧନ୍ୟବାଦ ଦେଇଥିଲେ।