ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପଲବ୍ଧ କରାଇ ସେମାନଙ୍କୁ ଆକୃଷ୍ଟ କରାଯିବା ସହ ସ୍ଥାନୀୟ ଅଧିବାସୀଙ୍କ ଜୀବିକା ନିର୍ବାହରେ ମଧ୍ୟ ସହାୟତା କରାଯିବ। ଏହିି ଉଦ୍ଦେଶ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ୍‌ ପକ୍ଷରୁ ବିଭିନ୍ନ ଟୁର୍‌ ଅପରେଟର୍‌ମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରତି ପର୍ଯ୍ୟଟକମାନଙ୍କ ପାଇଁ ସେଠାରେ ନିରାପଦ ରହଣି ସାଙ୍ଗକୁ ପାରମ୍ପରିକ ଚୁଲିରନ୍ଧା ଖାଦ୍ୟ ପରିବେଷଣର ସୁବିଧା ରହିଛି। ଏଥି ସହିତ ମହାନଦୀରେ ନୌବିହାର ଏବଂ ସନ୍ନିକଟ ଘଞ୍ଚ ଅରଣ୍ୟରେ ପର୍ବତାରୋହଣ ସାଙ୍ଗକୁ ଲୋକନୃତ୍ୟ ଉପଭୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଏହି ପ୍ରକ୍ରିୟାକୁ ଆହୁରି ଉନ୍ନତ କରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ବାଣ୍ଟିବା ପାଇଁ ବିଶଦ ଆଲୋଚନା ହୋଇଛି। ଆଲୋଚନା କାଳରେ ସାତକୋଶିଆ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ର ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ, ଏସିଏଫ୍‌ ବିଜୟ ମହାନ୍ତି, ରେଞ୍ଜର ବେଣୁଧର ବେହେରା ଏବଂ ଓଡ଼ିଶା ଇକୋ ଟୁର୍‌ ଅପରେଟର୍‌ ସଦସ୍ୟ ଲଳିତ କୁମାର ଡାଳୁଆଙ୍କ ସମେତ ବିଭିନ୍ନ ଅଞ୍ଚଲର ଟୁର୍‌ ଅପରେଟର୍‌ମାନେ ନିଜ ନିଜର ମତ ରଖିଥିଲେ।