ଭୁବନେଶ୍ବର: ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଘଟିଥିବା ଏକ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପଡ଼ିଶାଘରର ଜଣେ ସମ୍ପର୍କୀୟ ୯ ବର୍ଷ ବୟସର ନାତୁଣୀକୁ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଜେଜେବାପାକୁ କୋର୍ଟ ୨୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଦୀପ କୁମାର ବେହେରା ଆସାମୀ ପୂର୍ଣ୍ଣଚନ୍ଦ୍ର ଦଳବେହେରା(୫୮)କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।
୨୦୨୦ ମସିହା ସେପ୍ଟେମ୍ବରରେ ଘଟିଥିବା ଏଭଳି ଏକ ଘୃଣ୍ୟ ଖବର ସେତେବେଳେ ବାଣପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଆସାମୀ ପୂର୍ଣ୍ଣଚନ୍ଦ୍ର ଦଳବେହେରା ପଡ଼ିଶାଘରର ନାବାଳିକାଙ୍କ ଉପରେ ଲୋଲୁପଦୃଷ୍ଟି ପକାଇଥିଲା। ଘଟଣାଦିନ ପୂର୍ଣ୍ଣଚନ୍ଦ୍ର ତାଙ୍କ ଘରେ ଏକୁଟିଆ ଥିଲା। ନାବାଳିକାଙ୍କୁ ଚକ୍ଲେଟ୍ ଦେବାକୁ ଲୋଭ ଦେଖାଇ ସେ ଘରକୁ ଡାକି ନେଇଥିଲା। ମାତ୍ର ୯ ବର୍ଷ ବୟସର ଛୁଆଟି ପିଶାଚ ପୂର୍ଣ୍ଣଚନ୍ଦ୍ରର ମନ କଥା କେମିତି ବୁଝିଥାଆନ୍ତା! ପାଖଘରର ଜେଜେବାପା ଡାକୁଥିବାରୁ ଚକ୍ଲେଟ୍ ଲୋଭରେ ସେ ଜେଜେଙ୍କ ପଛେପଛେ ଘର ଭିତରକୁ ଚାଲିଯାଇଥିଲା। ଏହି ମଉକାରେ ପିଶାଚ ପୂର୍ଣ୍ଣଚନ୍ଦ୍ର ନାବାଳିକାଙ୍କୁ ଜୋର୍ଜବରଦସ୍ତ ଦୁଷ୍କର୍ମ କରିଥିଲା। ନାବାଳିକାଟି କାନ୍ଦିକାନ୍ଦି ଘରକୁ ଫେରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବାଡ଼ିପଟ ଦେଇ ଘରୁ ଛୁ’ ମାରିଥିଲା। ନାବାଳିକାଟି ଘରେ ବାପାମା’ଙ୍କୁ କାନ୍ଦିକାନ୍ଦି ସବୁ କଥା କହିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପୂର୍ଣ୍ଣଚନ୍ଦ୍ରକୁ ଖୋଜିଖୋଜି ନ ପାଇବାରୁ ତାଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଖବର ପାଇ ବାଣପୁର ଥାନା ପୁଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ପୁଲିସ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା। ୧୨ ଜଣ ସାକ୍ଷୀ ଓ ୮୮ ଦସ୍ତାବିଜ ବଳରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ବରିଷ୍ଠ ପିପି ସୁବ୍ରତ ପ୍ରିୟଦର୍ଶୀ ଏହି ମାମଲା ପରିଚାଳନା କରିଥିଲେ।