ତୁର୍କୀରୁ ଆମଦାନି ହେଉଥିଲା: ଔଷଧ ଦୋକାନରୁ କର୍କଟ ଔଷଧ ଜବତ

ଭୁବନେଶ୍ବର: ବେଆଇନ ଭାବେ କର୍କଟ ରୋଗ ଔଷଧ ବିକ୍ରି କରୁଥିବା ଅଭିଯୋଗରେ ଆଜି ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲ ଟିମ୍‌ ଭୁବନେଶ୍ବର ଏମ୍‌ସ ନିକଟସ୍ଥ ଏକ ଦୋକାନରେ ଚଢ଼ଉ କରିଥିଲା। ଉକ୍ତ ଦୋକାନରୁ ୪ଟି ଛୋଟ ପେଟି ଔଷଧ ଜବତ କରାଯାଇଛି। ତୁର୍କୀରୁ ଏହି ଔଷଧ ଆମଦାନି ହୋଇଥିବା ଜଣାପଡ଼ିଛି। ବିନା ଅନୁମତିରେ ଓ ବିନା ଅନୁମୋଦନର ଏହି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ସଂପୃକ୍ତ ଔଷଧ ଦୋକାନ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଖବର ଅନୁଯାୟୀ, ଆଜି ଭୁବନେଶ୍ବର ଡ୍ରଗ୍‌ସ କଣ୍ଟ୍ରୋଲ୍ ଟିମ୍ ଭୁବନେଶ୍ବର ଏମ୍‌ସ ନିକଟସ୍ଥ ଉକ୍ତ ଔଷଧ ଦୋକାନରେ ଚଢ଼ଉ କରିଥିଲା। କର୍କଟ ରୋଗୀଙ୍କ ପାଇଁ ‘ଭେଂକ୍ଲିକ୍ସଟୋ’ ଔଷଧର ୪ଟି ଛୋଟ ପେଟି ମିଳିଥିଲା। ଏହି ଔଷଧ ବିକ୍ରି କରିବା ବେଆଇନ। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ଔଷଧ ତୁର୍କୀରୁ ଅଣାଯାଉଥିଲା। ଏହା ପଛରେ ଏକ ବଡ଼ ରୢାକେଟ୍ ରହିଥିବା ସନ୍ଦେହ କରାଯାଉଛି। ଏଥିରେ ନାମୀଦାମୀ ଔଷଧ ବିତରକ ସଂସ୍ଥାଠୁ ଆରମ୍ଭ କରି ଡାକ୍ତରଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଡାକ୍ତରଙ୍କ ପରାମର୍ଶରେ ରୋଗୀ ଏଠାରୁ ଏହି ଔଷଧ କିଣୁଥିବାରୁ ଏହି ବେଆଇନ କାରବାର ପଛରେ ଡାକ୍ତରଙ୍କ ହାତ ଥିବା ଅନୁମାନ କରାଯାଉଛି। ତେଣୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ କାର୍ଯ୍ୟାଳୟ ପକ୍ଷରୁ ଏନେଇ କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର