ଭୁବନେଶ୍ୱର: ପାର୍ବଣ ଋତୁରେ ଭୁବନେଶ୍ବର ରେଳ ଷ୍ଟେସନ୍ରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। ଷ୍ଟେସନ୍ର ପୁନଃବିକାଶ କାର୍ଯ୍ୟ ଜାରି ରହିଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପୂର୍ବତଟ ରେଳପଥ ପାଇଁ ବଡ଼ ଆହ୍ବାନ ପାଲଟିଛି। ତେଣୁ ଯାତ୍ରୀଙ୍କ ସୁରକ୍ଷିତ, ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ସୁରକ୍ଷା ବଢ଼ାଯିବା ସହ ଯାତ୍ରୀଙ୍କ ସୁପରିଚାଳନା ପାଇଁ ଅତିରିକ୍ତ ରେଳ ସୁରକ୍ଷା ବଳ(ଆରପିଏଫ୍) ଓ ସରକାରୀ ରେଳବାଇ ପୁଲିସ(ଜିଆରପି) କର୍ମଚାରୀ ନିୟୋଜିତ ହୋଇଛନ୍ତି। ସମ୍ପୂର୍ଣ୍ଣ ଷ୍ଟେସନକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି। ଏଥିସହ ଯାତ୍ରୀ ପ୍ରବାହ ନିରୀକ୍ଷଣ କରିବାକୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଛି, ଯାହାକି ସପ୍ତାହକ ଯାଏ କାର୍ଯ୍ୟକ୍ଷମ ରହୁଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏବେ ଭୁବନେଶ୍ବର ରେଳ ଷ୍ଟେସନରୁ ରେକର୍ଡ ସଂଖ୍ୟକ ଯାତ୍ରୀ ଯିବା ଆସିବା କରୁଛନ୍ତି। ନିୟମିତ ସମୟରେ ଦୈନିକ ହାରାହାରି ୭୦ରୁ ୮୦ ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି। ଛୁଟି ଦିବସ, ଶନିବାର ଓ ରବିବାର ଯାତ୍ରୀଙ୍କ ସଂଖ୍ୟା ସାମାନ୍ୟ ଅଧିକ ରହିଥାଏ। ମାତ୍ର ଚଳିତବର୍ଷ ପାର୍ବଣରେ ଯାତ୍ରୀଙ୍କ ସଂଖ୍ୟା ଆଶାଠାରୁ ଅଧିକ ବଢ଼ିଛି। ପ୍ରତିଦିନ ହାରାହାରି ଏକ ଲକ୍ଷ ଯାତ୍ରୀ ଏହି ଷ୍ଟେସନରେ ଚଳପ୍ରଚଳ କରୁଛନ୍ତି। ବିଶେଷକରି ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକ ପାଇଁ ଯାତ୍ରୀଙ୍କ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ହାୱଡା-ଚେନ୍ନାଇ ରେଳ ଲାଇନ୍ର ଏହି ଷ୍ଟେସନ ଦେଇ ଦୈନିକ ପ୍ରାୟ ୧୦୦ ଟ୍ରେନ୍ ସହ ଅତିରିକ୍ତ ୫ରୁ ୬ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଛି, ଯାହାକି ଦେଶର ବିଭିନ୍ନ ପ୍ରାନ୍ତକୁ ସଂଯୋଗ କରୁଛି।
ଯାତ୍ରୀ ପରିଚାଳନା କରିବାକୁ ହେଲଡିଂ ଅଞ୍ଚଳ
ସିସିଟିଭିରେ ନଜର, ୱାର୍ରୁମ୍ରୁ ମନିଟରିଂ
ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ, ଟିକେଟ୍ କିଣିବା, ଟ୍ରେନ୍ରେ ଚଢ଼ିବା ବେଳେ ସୁବ୍ୟବସ୍ଥିତ ଧାଡ଼ି ବ୍ୟବସ୍ଥା ବଜାୟ ରଖିବାକୁ ଯାତ୍ରୀଙ୍କୁ କୁହାଯାଉଛି। ଦ୍ରୁତ ଗତିରେ ନ ଯିବା, ଠେଲାପେଲା କରିବା କିମ୍ବା ଅବ୍ୟବସ୍ଥା ସୃଷ୍ଟି କରିବାରୁ ନିବୃତ୍ତ ରହିବା, ଫୁଟ୍ ଓଭରବ୍ରିଜ୍, ଏସ୍କେଲେଟର୍ ଓ ପ୍ଲାଟଫର୍ମ ପାର୍ଶ୍ବରେ ସତର୍କତା ଅବଲମ୍ବନ କରିବାକୁ ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣା ହେଉଛି। ପ୍ଲାଟଫର୍ମରେ ଟ୍ରେନ୍ ଲାଗିବା ସମୟରେ ପ୍ରବଳ ଭିଡ଼ ହେଉଥିବାରୁ ଦୂର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି। ତେଣୁ ବିପଦପୂର୍ଣ୍ଣ ଭିଡ଼ ଏଡ଼ାଇବାକୁ ଯାତ୍ରୀଙ୍କ ଅପେକ୍ଷା କରିବାକୁ ଷ୍ଟେସନରେ ଏକ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଅଞ୍ଚଳ ପ୍ରସ୍ତୁତ ହୋଇଛି।
ଟ୍ରେନର ଫୁଟ୍ ଓଭର, ବଫର କିମ୍ବା ଛାତ ଉପରେ ଯାତ୍ରା କରିବା ଅତ୍ୟନ୍ତ ବିପଦଜ୍ଜନକ ଓ ଦଣ୍ଡନୀୟ ଅପରାଧ ହୋଇଥିବାରୁ ସେଥିରୁ ନିବୃତ୍ତ ରହିବାକୁ ଷ୍ଟେସନରେ ହିଁ ସଚେତନତା କରାଯାଉଛି। ଷ୍ଟେସନ୍ କିମ୍ବା ଏହାର ଆଖପାଖ ଅଞ୍ଚଳରେ ରେଳ ଟ୍ରାକ୍ ପାର ନ ହୋଇ ଫୁଟ୍ ଓଭର ବ୍ରିଜ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ପାର୍ବଣ ସମୟରେ ଷ୍ଟେସନରେ ଭିଡ଼ ବଢ଼ୁଥିବାରୁ ଯାତ୍ରୀମାନେ ସେମାନଙ୍କ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ଆରପିଏଫ୍ କର୍ମଚାରୀ କିମ୍ବା ରେଳ ହେଲ୍ପଲାଇନ୍ ନମ୍ବର ୧୩୯କୁ ରିପୋର୍ଟ କରିବାକୁ କୁହାଯାଇଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି ଯେ ପାର୍ବଣ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି। ତେଣୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଓ ଉନ୍ନତ ନିରୀକ୍ଷଣ ପ୍ରଣାଳୀ ହୋଇଛି। ତଥାପି ଯାତ୍ରୀଙ୍କ ସହଯୋଗ ଅବଶ୍ୟକ। ସେମାନେ ଧାଡ଼ି ବ୍ୟବସ୍ଥା ନିୟମ ମାନିବା ସହ ରେଳ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ। ସାମୂହିକ ପ୍ରୟାସ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ଆରାମଦାୟକ ଓ ସୁଗମ ଯାତ୍ରା ସୁନିଶ୍ଚିତ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/dgdadaczvcvvcz-2025-10-24-03-48-49.jpg)