ପୁରୁଣା ଭୁବନେଶ୍ୱର: ଟଙ୍କପାଣି ରୋଡ଼୍ରୁ ପୁରୀ ମାଳତୀପାଟପୁର ପର୍ଯ୍ୟନ୍ତ ଗାଡ଼ି ଜାମ୍। ଆଜି ରଥାରୂଢ଼ ଶ୍ରୀଜିଉମାନଙ୍କ ସୁନାବେଶ ଦେଖିବାକୁ ଭୁବନେଶ୍ବର, କଟକରୁ ଭକ୍ତଙ୍କ ଧାଡ଼ି ଛୁଟିଥିଲା।ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ମୁହାଁ ଭକ୍ତମାନଙ୍କ ଗାଡ଼ି ଟ୍ରାଫିକ୍ ଭିଡ଼ ଯୋଗୁ ଧୀରେଧୀରେ ଯାଉଥିଲା। ଏକାବେଳକେ ଲକ୍ଷଲକ୍ଷ ଭକ୍ତ ବିଭିନ୍ନ ବାଇକ୍, କାର୍ ଆଦିରେ ଯିବା ବେଳେ ରାସ୍ତା ଆଦୌ ଫାଙ୍କା ନଥିଲା। ଏପରିକି ଆମ୍ବୁଲାନ୍ସ ମଧ୍ୟ ଯିବାକୁ ସମସ୍ୟା ହୋଇଥିଲା।
ବିଭିନ୍ନ ଜିଲ୍ଲାରୁ ଆସୁଥିବା ଗାଡ଼ି ଟଙ୍କପାଣି ସାଇମନ୍ଦିର ନିକଟରୁ ଅତି ଧିରେଧିରେ ଯାଉଥିବା ଦେଖିବାକୁ ମିଳିଥିଲା। ପୁରୀ ବାଇପାସ୍ ଆରମ୍ଭରୁ ଲିଙ୍ଗିପୁର ଟ୍ରାଫିକ୍ ଓ ସାମନ୍ତରାପୁରଠାରେ ପୁଲିସ ମୁତୟନ ହୋଇଥିଲା। ଭିଡ଼ିକୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକରେ ପୁଲିସ ରହିଥିଲେ ହେଁ ଅତିମାତ୍ରାରେ କାର୍ ଭିଡ଼ ଯୋଗୁ କିଛି କରିବାର ସୁଯୋଗ ନଥିଲା। ପୁରୀ ପଟୁ ଆସୁଥିବା ଗାଡ଼ି ଫେରୁଥିଲେ ମଧ୍ୟ ପୁରୀ ଯିବା ପାଇଁ ଗାଡ଼ିର ଗାଡ଼ିର ଲମ୍ବାଧାଡ଼ି ଲାଗିଥିଲା। ଏପଟେ ପ୍ରତି ଘଣ୍ଟାଏ ବ୍ୟବଧାନରେ ମୋବାଇଲକୁ ମେସେଜ୍ ଆସୁଥିଲା। କଟକ, ଖୋର୍ଦ୍ଧା ପଟୁ ଆସୁଥିବା ଭକ୍ତମାନଙ୍କୁ ପୁରୀ ଅଭିମୁଖେ ଗାଡି଼ ନ ନେବା ପାଇଁ ସତର୍କ କରାଯାଉଥିଲା।