ମୂଳ ମାଦଳାପାଞ୍ଜି କେଉଁଠି? ମାଦଳା ପାଞ୍ଜିର ଶୁଦ୍ଧ ସଂସ୍କରଣ ଆବଶ୍ୟକ

ଭୁବନେଶ୍ୱର: ମାଦଳା ପାଞ୍ଜି ଏକ ବିବରଣୀ ବା ରେକର୍ଡ। ଏଥିରେ ବହୁ ଶାସ୍ତ୍ରର ସଂକ୍ଷିପ୍ତ ବର୍ଣ୍ଣନା ସହ ଜଗନ୍ନାଥ ମନ୍ଦିରର ବିଭିନ୍ନ ନୀତି ସେବାର ବର୍ଣ୍ଣନା ରହିଛି। ମାଦଳା ପାଞ୍ଜିର ଇତିହାସ ଜନଶୃତିଭିତ୍ତିକ ବୋଲି କୁହଯାଉଛି। ମାତ୍ର ଏଥିରେ ଏମିତି କିଛି ତଥ୍ୟ ଅଛି ଯାହା ରାଜବଂଶର ତାମ୍ରଫଳକ ବିବରଣୀରେ ମଧ୍ୟ ନାହିଁ। ତେବେ ଏଥିରେ କ’ଣ ଲେଖାଯାଇଛି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ କାହିଁକି ଲେଖାଯାଇଛି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଭଳି କହିଛନ୍ତି ବିଶିଷ୍ଟ ଐତିହାସିକ ଡ. କୈଳାସ ଚନ୍ଦ୍ର ଦାଶ। ଜାତୀୟ ଅଭିଲେଖାଗାର ପକ୍ଷରୁ ଅନ୍ତର୍ଜାତୀୟ ଅଭିଲେଖାଗାର ଦିବସ ଅବସରରେ ‘ମାଦଳାପାଞ୍ଜି ଏବଂ ଏହାର ଐତିହାସିକ ସତ୍ୟତା’ ଶୀର୍ଷକ ବିଷୟରେ ସ୍ମାରକୀ ବକ୍ତତା ଦେଇ ଡ. ଦାଶ କହିଲେ, ମାଦଳା ପାଞ୍ଜିର ଭାଷା ହିଁ ସୂଚାଉଛି ଏହା ଷୋଡ଼ଶ ଶତାବ୍ଦୀ ପରର ସଂରଚନା। ସେ ମାଦଳା ପାଞ୍ଜିର ଦୁଇ ପ୍ରତିଲିପି ରାଜଭୋଗ ଓ ଦେଶଖଞ୍ଜା ସମ୍ବନ୍ଧରେ ଏକ ତଥ୍ୟକୁ ଉଦାହରଣ ଭାବେ ରଖି କହିଲେ, ରାଜଭୋଗ ଓ ଦେଶଖଞ୍ଜାରେ ଦୁଇ ଭିନ୍ନଭିନ୍ନ ରାଜାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ଚିତ୍ରିତ କରାଯାଇଛି। ଏଥିରେ ଥିବା ଏହିଭଳି ଅନେକ ତଥ୍ୟ ମଧ୍ୟରେ ବିରୋଧାଭାସ ରହିଛି। ତେଣୁ ମାଦଳା ପାଞ୍ଜିର ଉପଯୁକ୍ତ ଶୁଦ୍ଧ ସଂସ୍କରଣ ଆବଶ୍ୟକ ବୋଲି ଡ.ଦାଶ କହିଥିଲେ। ଏହି ଅବସରରେ ମୂଳ ମାଦଳା ପାଞ୍ଜି କେଉଁଠି ଅଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ହେଁ ସେ ସଂପର୍କରେ କେହି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପ୍ରାରମ୍ଭରେ ଜାତୀୟ ଅଭିଲେଖାଗାରର ସହ ନିର୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ଡ.ଦାଶଙ୍କ ସମ୍ପର୍କରେ ଏବଂ ଅଭିଲେଖାଗାର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା।

ସମ୍ବନ୍ଧିତ ଖବର