ଭୁବନେଶ୍ବର ରେଳ ଷ୍ଟେସନ୍‌ର ଉନ୍ନତୀକରଣ ଏମିତି: ୭ବର୍ଷ ହେଲା ଯୋଜନାରେ ଅଟକିଛି

ଦୁଇ ବର୍ଷ ହେଲା ହାତବାନ୍ଧି ବସିଛି ବିଡିଏ, କେମିତି କାମ କରିବ ପୂର୍ବତଟ ରେଳପଥ?

ଭୁବନେଶ୍ବର,(ବିଶ୍ବଜିତ ଦାଶ): ଭୁବନେଶ୍ବର ରେଳ ଷ୍ଟସନ୍ ଉନ୍ନତୀକରଣ ପାଇଁ ୨୦୧୪ ମସିହାରୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଦେଢ଼ ବର୍ଷର ଟଣାଓଟରା ପରେ ସେପ୍ଟେମ୍ବର ୧୯, ୨୦୧୯ରେ ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ହେଲେ ଡିଜାଇନ୍ ପ୍ରସ୍ତୁତି, ଏହାର ଅନୁମୋଦନ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଏନ୍‌ଓସି ଆଣିବାରେ ଏହି ମହାତ୍ବାକାଂକ୍ଷୀ ପ୍ରକଳ୍ପର ପ୍ରାୟ ଦୁଇ ବର୍ଷ ବିତିଗଲାଣି। ଅଗଷ୍ଟ, ୨୦୨୦ରେ ନିର୍ମାଣ କାମ ଆରମ୍ଭ ହେବାକୁ ଟାର୍ଗେଟ୍ ରଖାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇନି। ଏପଟେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂ‌ଷଣ ଗତକାଲି କହିଛନ୍ତି ଯେ, ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ଯୋଜନା ହୋଇଥିବା ୧୦୭୫କୋଟି ଟଙ୍କାର ପ୍ରକଳ୍ପ କାମ ୬ ମାସ ମଧ୍ୟରେ ଆରମ୍ଭ ହେବ। ତାଙ୍କର ଏଭଳି ବୟାନ ପରେ ପ୍ରକଳ୍ପର କାର୍ଯ୍ୟକରିତାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି। ଯେଉଁଠି ମୁଖ୍ୟ ପ୍ରକଳ୍ପ ଦାୟିତ୍ବରେ ଥିବା ବିଡିଏ ୨ବର୍ଷ ହେଲା ହାତ ବାନ୍ଧି ବସିଛି, ସେଠାରେ ପୂର୍ବତଟ ରେଳପଥ ଚାହିଲେ ବି ୬ ମାସ ଭିତରେ କାମ ଆରମ୍ଭ ହୋଇ ପାରିବ କି? ପ୍ରକଳ୍ପ କେବେ ଆରମ୍ଭ ହୋଇ କେବେ ସରିବ, ସେ ନେଇ ବିଡିଏ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କେହି ମୁହଁ ଖୋଲୁନାହାନ୍ତି କାହିଁକି?

କେଉଁ କାମ କେବେ ସରିବା ଯୋଜନା ଥିଲା
ନଭେମ୍ବର, ୨୦୧୯ ସୁଦ୍ଧା ବିଡିଏ ଡିଜାଇନ୍ ଚୂଡ଼ାନ୍ତ କରିବ
ଟିକେଟ୍‌ ସଂରକ୍ଷଣ ଗୃହକୁ ଏପ୍ରିଲ, ୨୦୨୦ ସୁଦ୍ଧା ଭଙ୍ଗାଯିବ
ଜାନୁଆରି, ୨୦୨୦ ସୁଦ୍ଧା ଡିପିଆର୍‌ ପ୍ରସ୍ତୁତ ହେବ
ମାର୍ଚ୍ଚ, ୨୦୨୦ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ
ଜୁନ୍, ୨୦୨୦ରେ ନିର୍ମାଣକାରୀ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହେବ
ଅଗଷ୍ଟ, ୨୦୨୦ରେ ଲୋକଙ୍କ ପାଇଁ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ, ୩୦ମାସରେ ସରିବ
ଫେବ୍ରୁଆରି ୨୦୨୧ରେ ପିପିପି ମୋଡରେ ମଲ୍ଟିମୋଡାଲ ରେଳ ଷ୍ଟେସନ ଉନ୍ନତୀକରଣ ଏବଂ ଆଇକନିକ୍ ବିଲଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୪ବର୍ଷରେ ସରିବ।

Odisha Bytes

ଭୁବନେଶ୍ବର ରେଳ ଷ୍ଟେସନ ଏବଂ ଏହାର ଦୁଇପାର୍ଶ୍ବରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଯେଉଁ ୧୦୭୫ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ନିଷ୍ପତ୍ତି ହୋଇଛି; ସେଥିରୁ ପ୍ରାୟ ହଜାରେ କୋଟିର କାମ ରାଜ୍ୟ ସରକାର କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏକୁ ଏହାର ନୋଡାଲ ଏଜେନ୍ସି କରାଯାଇଛି। ଏହି ବୃହତ ପ୍ରକଳ୍ପରେ କେବଳ ରେଳ ଲାଇନ୍ ଏବଂ ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ କାମ ପୂର୍ବତଟ ରେଳପଥ କରିବାକୁ ଥିବାବେଳେ ବାକି କାମ ବିଡିଏ କରିବ। ତାହା ପୁଣି ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ହେବ। ତେଣୁ ବିଡିଏ କାମ ଆରମ୍ଭ ନ କଲେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କାମ ଆରମ୍ଭ କରିପାରିବେନି ଏହା ଜଳଜଳ ଦିଶୁଛି।

ପ୍ରାୟ ଦୁଇ ବର୍ଷ ତଳେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ, ଯେଉଁ ରେଳ ଷ୍ଟେସନ ମଲ୍‌ଟିମୋଡାଲ ହବ୍ ହେବ, ସେଥିପାଇଁ ବିଡିଏ ୬୦କୋଟି ଟଙ୍କ‌ା ଖର୍ଚ୍ଚ କରିବାକୁ ଥିବାବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ୭୦କୋଟି ଖର୍ଚ୍ଚ କରିବେ। ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ମଲ୍ଟିମୋଡାଲ ହବ୍‌ ନିର୍ମାଣ ହେବ। ଏଠାରେ ରେଳ ଷ୍ଟେସନ ପାଇଁ ନୂତନ ଟର୍ମିନାଲ ବିଲଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ ଏବଂ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ପୁରୁଣା ଷ୍ଟେସନ ବଜାରକୁ ସଂଯୋଗ କରି ରେଳ ପ୍ଲାଟଫର୍ମ ଉପରେ ୨୧ମିଟର ଓସାରର ଏକ କନକୋର୍ସ ନିର୍ମାଣ କରାଯିବ। ଏହାକୁ ବିଡିଏ କରିବ। ରେଳବାଇ ଓ ରାଜ୍ୟ ସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଂ, ଆଉ ଦୁଇଟି ନୂଆ ପ୍ଲାଟଫର୍ମ ହେବ। ଏହି ୫ମହଲା ବିଶିଷ୍ଟ ବିଲଡିଂର ତଳ ମହଲା ସହିତ ପ୍ରଥମ ଦୁଇ ମହଲାକୁ ରେଳବାଇ ବ୍ୟବହାର କରିବ। ରେଳବାଇକୁ ମୋଟ୍‌ ୧.୭୪ଲକ୍ଷ ବର୍ଗଫୁଟ ଅଞ୍ଚଳ ମିଳିବ।

Sambad English

ଏହାସହ ଭୁବନେଶ୍ବର ରେଳ ଷ୍ଟେସନର ସମ୍ପ୍ରସାରଣ ହେବ। ଏବେ ଥିବା ଷ୍ଟେସନ ବିଲଡି˚କୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ ବିଲଡି˚ ନିର୍ମାଣ କରାଯିବ। ଏହାସହ ଏବେ ୬ଟି ପ୍ଲାଟଫର୍ମ ଥିବାବେଳେ ପ୍ଲାଟଫର୍ମ ସଂଖ୍ୟାକୁ ୮କୁ ବୃଦ୍ଧି କରାଯିବ। ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ। ଏହି ପାର୍ଶ୍ବରେ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ ହେବ। ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ନମ୍ବର ୧ ଭବିଷ୍ୟତରେ ପ୍ଲାଟଫର୍ମ ୩ ହୋଇଯିବ। ସେହିପରି ଷ୍ଟେସନର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସ˚ଯୋଗ କରୁଥିବାବେଳେ ଏହାକୁ ୧୦କୁ ବଢ଼ାଯିବ। ରେଳ ‌ଷ୍ଟେସନ ଉନ୍ନତୀକରଣ ପାଇଁ ପ୍ଲାଟଫର୍ମ-୧ ପାର୍ଶ୍ବରେ ଭଙ୍ଗାରୁଜା ହେବାକୁ ଥିବାରୁ ଏବେ ଏହି ପାର୍ଶ୍ବରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ଲାଟଫର୍ମ-୬ ପାର୍ଶ୍ବରେ ନିର୍ମାଣ ହେବ। ଏହି କାମ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କରିବେ।

ହେଲେ ମୁଖ୍ୟ ସମସ୍ୟା ହେଉଛି, ନୂଆ ମଲ୍ଟିମୋଡାଲ ହବ୍‌ ନିର୍ମାଣ ନହେବା ଯାଏ ଷ୍ଟେସନ୍ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରିବନି। ଷ୍ଟେସନ୍ କାର୍ଯ୍ୟାଳୟ ସ୍ଥାନାନ୍ତର ନହେଲେ ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ ହୋଇପାରିବନି। ପ୍ଲାଟ୍‌ଫର୍ମ ସମ୍ପ୍ରସାରଣ ନହେଲେ ନୂଆ ଦୁଇଟି ରେଳ ଧାରଣା ବିଛା ଯାଇପାରିବନି। ଏ ସବୁ କାମ ଏବେ ବିଡିଏ ଉପରେ ନିର୍ଭର କରୁଛି। ତେଣୁ ଯେତେଦିନ ପର୍ଯ୍ୟନ୍ତ ବିଡିଏ କାମ ଶେଷ କରିବନି, ସେତେଦିନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କାମ ଆରମ୍ଭ କରିପାରିବେନି। ସେହିପରି ରେଳ ଷ୍ଟେସନ୍ ବାହାରେ ପିପିପି ମୋଡ୍‌ରେ ୮୪୦କୋଟି ଟଙ୍କା ଖର୍ଚ୍ଚରେ ୮୦ମିଟର ଉଚ୍ଚର ଯେଉଁ ଆଇକନିକ୍ ବିଲଡିଂ ନିର୍ମାଣ ହେବ, ତାହା କେବଳ ରାଜ୍ୟ ସରକାରଙ୍କ ଅଧୀନରେ ରହିବ। ଏଥିରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର କିଛି ନେଣଦେଣ ନାହିଁ।

ଏ ନେଇ ପୂର୍ବତଟ ରେଳପଥର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ କରିବା ପାଇଁ ୨୦୦୮-୦୯ରେ ନିଷ୍ପତ୍ତି ହୋଇଥିଲା। ଏଥିରେ ବିଭିନ୍ନ ପ୍ରକଳ୍ପ ପର୍ଯ୍ୟାୟ କ୍ରମେ ହୋଇଥାନ୍ତା। କାମ ବି ଆରମ୍ଭ ହୋଇଥିଲା। ହେଲେ ବହୁ କାମ ଅଟକି ରହିଛି। ‌ପ୍ଲାଟଫର୍ମ ସମ୍ପ୍ରସାରଣ, ଅଧିକ ରେଳ ଲାଇନ୍ ବିଛାଇବା ପାଇଁ ଦୁଇ ବର୍ଷ ତଳେ ପ୍ରାୟ ୭୦କୋଟି ଟଙ୍କାର ବଜେଟ୍ ମିଳିଥିଲା। ଦୁଇ ବର୍ଷରେ ପ୍ରକଳ୍ପ ଖର୍ଚ୍ଚ ବଢ଼ିଗଲାଣି। ଏବେ କାମ ନହେଲେ ଆସନ୍ତା ଆର୍ଥିକ ବର୍ଷ ପୂର୍ବରୁ ଅର୍ଥ ଫେରିଯିବ। ସେହିପରି ତିନି ବର୍ଷ ତଳୁ ଆମେ ଟିକେଟ୍ ବୁକିଂ କାଉଣ୍ଟର ସ୍ଥାନାନ୍ତର କରିସାରିଛୁ। ତେଣୁ ଆମେ ୬ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ବିଡିଏ ମଲ୍‌ଟିମୋଡାଲ ହବ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଥିଲା; ତାକୁ ଆମେ ଅନୁମୋଦନ କରି ପଠାଇ ଦେଇଛୁ। ତେଣୁ ସେମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ କହିଛୁ। ବିଡିଏ-ପୂର୍ବତଟ ରେଳପଥଙ୍କ ମିଳିତ ଉଦ୍ୟମରେ ହିଁ ସବୁ କାମ ହେବ।

ଅପରପକ୍ଷରେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ସୁରବାନ ଜୁରୋଙ୍ଗ ଯେଉଁ ଡିଜାଇନ୍ ପ୍ରସ୍ତୁତ କରିଥିଲା ତାହାକୁ ଆମେ ଚୂଡ଼ାନ୍ତ କରିଛୁ। ସବୁ ଅନୁମତି ମିଳିଯାଇଛି। ହେଲେ ରାଜ୍ୟ ସରକାରଙ୍କ ପାଖରେ ଫାଇଲ୍ ଅଟକିଛି। ରାଜ୍ୟ ସରକାର ଅନୁମତି ଦେଲେ ଟେଣ୍ଡର ହେବ। ରେଳ ଷ୍ଟେସନ ମଲ୍ଟିମୋଡାଲ୍‌ ହବ୍ ଏବଂ ପ୍ଲାଜା କାମ ଇପିସି ମୋଡ୍‌ରେ ହେବ। ଆଇକନିକ୍ ବିଲଡିଂ ପିପିପି ମୋଡ୍‌ରେ ହେବ। ରେଳ ଷ୍ଟେସନ ମଲ୍ଟି ମୋଡାଲ୍‌ ହବ୍ ପାଇଁ ଏମ୍‌ଓୟୁ ହୋଇଛି। ବାକି ପ୍ରକଳ୍ପ ପାଇଁ ଏମ୍‌ଓୟୁ ହୋଇନି।

ସମ୍ବନ୍ଧିତ ଖବର