ଠିକାଦାରଙ୍କ ମନମାନି: ୪ ମାସରେ ବି ୧ କିମି ଡ୍ରେନ୍‌ର ଅଧା ସରିନି, ୨ ହଜାର ଲୋକ ହନ୍ତସନ୍ତ

ଭୁବନେଶ୍ବର: ମାତ୍ର ୧ କିଲୋମିଟର ରାସ୍ତା କଡ଼ରେ ନିର୍ମାଣ ହେଉଛି ଡ୍ରେନ୍‌। ୪ ମାସ ବିତିଲାଣି। କାମ ଅଧା ବି ହୋଇନି। କିନ୍ତୁ ପୂରା ରାସ୍ତାକୁ ଖୋଳି ପକାଇ ଦିଆଯାଇଛି। ଫଳରେ ରାସ୍ତାରେ ସୃଷ୍ଟି ହୋଇଥିବା ଗାତ ବଡ଼ ବଡ଼ ଓ ଗଦା ହୋଇ ରହିଥିବା ମାଟି ଯାତାୟତରେ ଘୋର ସମସ୍ୟା ସୃଷ୍ଟି କରୁଛି। ୪ ମାସ ହେଲା ପ୍ରାୟ ୨ ହଜାର ଲୋକ ଚଳପ୍ରଚଳ ହେବା ପାଇଁ ହନ୍ତସନ୍ତ ହେଉଥିଲେ ବି କେହି ଶୁଣିବା ନାଁ ଧରୁନାହାନ୍ତି। ଏହା ହେଉଛି ବିଏମ୍‌ସି ୪୩ ନମ୍ବର ୱାର୍ଡ ଚିନ୍ତାମଣିଶ୍ବର ଲେନ୍‌ ନଂ ୬, ୭, ୮ ଓ ୯ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା।

ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ଫିସେରି ପୋଖରୀ ନିକଟ ରାସ୍ତା କଡ଼ରେ ଡ୍ରେନ୍‌ କାମ ଚାଲିଛି। ଠିକା ସଂସ୍ଥା ମନମୁଖୀ ଭାବେ କାମ କରୁଛି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ଦିନେ କାମ ହେଲେ ୮ ଦିନ ବନ୍ଦ ରହୁଛି। ତେଣୁ ମାତ୍ର ୧କିଲୋମିଟର ‌ଲମ୍ବର ଡ୍ରେନ୍‌ କାମ ୪ମାସ ପରେ ବି ଅଧା ହୋଇନାହିଁ। କିନ୍ତୁ ପୂରା ରାସ୍ତା କଡ଼ ଖୋଳି ପକାଇଥିବାରୁ ଲୋକମାନେ ଯାତାୟତ କରିବା ପାଇଁ ବହୁ ସମସ୍ୟାରେ ପଡୁଛନ୍ତି। ସ୍ଥାନେ ସ୍ଥାନେ ଥିବା ମାଟି ଗଦା ଲାଗି ଯାନବାହାନ ଚଳାଚଳ କରିବା ମୁସ୍କିଲ ହୋଇପଡ଼ୁଛି। ବର୍ଷା ବେଳେ ମାଟି ଗଦାରୁ ମାଟି ବୋହି ଆସିବାରୁ ପୂରା ରାସ୍ତା କାଦୁଅ ପଚ ପଚ ହୋଇ ଯାଉଛି। ପରିସ୍ଥିତି ଏମିତି ହେଉଛି ଯେ ବରିଷ୍ଠ ନାଗରିକମାନେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି। କିଛି ଲୋକ ନିଜ ନିଜ ଘରର ଆବର୍ଜନା ଜଳ ରାସ୍ତାକୁ ଛାଡ଼ି ଦେଉଥିବାରୁ ଅବସ୍ଥା ଆହୁରି କଦର୍ଯ୍ୟ ହୋଇପଡ଼ୁଛି। ଡ୍ରେନ୍‌ କାମ ତୁରନ୍ତ ସାରିବାକୁ ସ୍ଥାନୀୟ ଲୋକେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲେ କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର