ଭୁବନେଶ୍ୱର: ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ହେବେ କୁକୁଡ଼ା ଚାଷୀ। ଦୁର୍ଦ୍ଦିନ ସ୍ଥିତିରେ ଛିଡ଼ା ହେବେ ସରକାର। କୁକୁଡ଼ା ଛୁଆଠାରୁ ଆରମ୍ଭ କରି ଖାଦ୍ୟ ଓ ଔଷଧ ଆଦି ଯୋଗାଇଦେବେ। ଚାଷ ପରେ କୁକୁଡ଼ା ଓ ଅଣ୍ଡା କିଣିବା ସହ ସବୁ ଲାଭାଂଶ ଚାଷୀଙ୍କ ପକେଟ୍‌କୁ ଯିବ। କମ୍ପାନି କି ଟ୍ରେଡର୍ସ ଏହି ଲାଭାଂଶ ନେଇ ପାରିବେନି। ଏହି ମହତ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଓପୋଲ୍‌ଫେଡ୍‌’। କିନ୍ତୁ ସରକାରଙ୍କ ଆନ୍ତରିକତା ଅଭାବରୁ ‘ଓପୋଲ୍‌ଫେଡ୍‌’ ଦେବାଳିଆ ସ୍ଥିତିକୁ ଚାଲିଗଲାଣି। ସ୍ଥିତି ଏପରି ଯେ ଚାଷୀଙ୍କୁ ଟଙ୍କା ତ ଦୂରର କଥା କର୍ମଚାରୀଙ୍କୁ ବି ଦରମା ଦେବାକୁ ପାଖରେ ସମ୍ବଳ ନାହିଁ। ଚାଷୀଙ୍କୁ ଟଙ୍କା ଓ କର୍ମଚାରୀଙ୍କୁ ଦରମା ଦେଇନପାରିବାରୁ ଗତ ୯ ତାରିଖଠାରୁ ଚିକେନ୍ ଫ୍ରେସ୍ ଓ ଫାଷ୍ଟଫୁଡ୍ ବୁଥ୍‌ରେ ତାଲା ଝୁଲିଥିଲା। ତିନିଦିନ ବନ୍ଦ ପରେ ସ୍ଥିତି ସ୍ବାଭାବିକ ହୋଇଛି ସତ, କିନ୍ତୁ ଏଥିରୁ ‘ଓପୋଲ୍‌ଫେଡ୍‌’ କେଉଁ ସଂକଟ ସ୍ଥିତି ଗତି କରୁଛି ଜଳଜଳ ଦିଶୁଛି।

Advertisment

କର୍ମଚାରୀ ଓ ଚାଷୀଙ୍କୁ ଟଙ୍କା ଦେବାକୁ ସମ୍ବଳ ନାହିଁ
କୁକୁଡ଼ା ଚାଷୀଙ୍କୁ ଆର୍ଥିକ ସ୍ବଚ୍ଛଳ କରିବାକୁ ଗଢ଼ିଥିଲେ ସରକାର, ଏବେ ଆଡ଼ ଆଖିରେ ଅନଉନାହାନ୍ତି
ଟଙ୍କା ନ ଥିବାରୁ ଅଟକିଛି ଦେଶୀ କୁକୁଡ଼ା, ଅଣ୍ଡା ବିକ୍ରି ଯୋଜନା
ଭୁବନେଶ୍ବର, କଟକରୁ ଅନ୍ୟ ଜିଲ୍ଲାକୁ ବଢ଼ି ପାରୁନି

ସେପଟେ ଅନ୍ୟ ସମବାୟ ସମିତିକୁ ରାଜ୍ୟ ସରକାର ଯେତିକି ଗୁରୁତ୍ବ ଦେଉଛନ୍ତି, ସେଭଳି ଗୁରୁତ୍ବ ପୋଲ୍‌ଟ୍ରି ସମବାୟ ସମିତିକୁ ଦେଉନାହାନ୍ତି। ଆର୍ଥିକ ପ୍ରୋତ୍ସାହନ କଥା ହେଉ କି ଅନ୍ୟାନ୍ୟ ସହଯୋଗ, ସବୁରେ ଊଣା କରାଯାଉଛି। ଯାହା ‘ଓପୋଲ୍‌ଫେଡ୍‌’ ଉନ୍ନତିରେ ପ୍ରତିବନ୍ଧକ ସାଜିଛି। ଚିକେନ୍ ଫ୍ରେସ୍‌ରେ ବହୁଦିନରୁ ଦେଶୀ କୁକୁଡ଼ା ମାଂସ ଓ ଦେଶୀ ଅଣ୍ଡା ବିକ୍ରି କରିବାକୁ ଯୋଜନା କରାଗଲାଣି। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ପାଇଁ ଏହି ଯୋଜନା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ରାଜ୍ୟରେ ପ୍ରାୟ ୪୦ହଜାର କୁକୁଡ଼ା ଚାଷୀ ଅଛନ୍ତି। ଏଥିରୁ ଅଧିକାଂଶ ଚାଷୀ ଅତିବେଶିରେ ୨ହଜାର, ୪ହଜାର କୁକୁଡ଼ା ଚାଷ କରିପାରୁଛନ୍ତି। ଖର୍ଚ୍ଚ ଅନୁସାରେ ଲାଭ ସେତେଟା ପାଉନାହାନ୍ତି। ବିଭିନ୍ନ କୁକୁଡ଼ା ଚାଷ କମ୍ପାନି ଓ ଟ୍ରେଡର୍ସଙ୍କ ପକେଟ୍‌କୁ ଲାଭାଂଶ ଚାଲିଯାଉଛି। ଏହି ଲାଭାଂଶ ଚାଷୀଙ୍କ ପକେଟ୍‌କୁ ନେବାକୁ ପ୍ରାଣୀ ଓ ମତ୍ସ୍ୟସଂପଦ ବିଭାଗ ଅଧୀନରେ ପୋଲ୍‌ଟ୍ରି ସମବାୟ ସମିତି ଖୋଲିଛି। ସମିତିରେ ଯେଉଁ ଚାଷୀମାନେ ପଞ୍ଜୀକୃତ ହୋଇଥିବେ ସେମାନେ ସିଧାସଳଖ ଓପୋଲ୍‌ଫେଡ୍‌କୁ କୁକୁଡ଼ା ଓ ଅଣ୍ଡା ବିକ୍ରି କରିପାରିବେ। ଓପୋଲ୍‌ଫେଡ୍‌ ୭ ଦିନ ଭିତରେ ଚାଷୀଙ୍କୁ କୁକୁଡ଼ା ଓ ଅଣ୍ଡାର ଟଙ୍କା ପ୍ରଦାନ କରିବ। ଏହି କୁକୁଡ଼ା, ଅଣ୍ଡା ଚିକେନ୍ ଫ୍ରେସ୍ ଓ ଫାଷ୍ଟଫୁଡ୍ ବୁଥ୍‌ରେ ବିକ୍ରି କରିବେ। ଭୁବନେଶ୍ବରରେ ୪ଟି ଓ କଟକରେ ଗୋଟିଏ ଚିକେନ୍ ଫ୍ରେସ୍ ରହିଛି। ସେହିଭଳି ଭୁବନେଶ୍ବରରେ ୪୦ଟି ଓ କଟକରେ ୩୩ଟି ଫାଷ୍ଟଫୁଡ୍ ବୁଥ୍ ରହିଛି। ବିଭିନ୍ନ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀଙ୍କ ଅଧୀନରେ ଜଣେ ସମବାୟ ନିରୀକ୍ଷକ ରହିଛନ୍ତି। ସେମାନେ ଚାଷୀଙ୍କ ଆବଶ୍ୟକତା ଅନୁସାରେ ସମିତି, ଚିକେନ୍ ଫ୍ରେସ୍, ଫାଷ୍ଟଫୁଡ୍ ବୁଥ୍ ଖୋଲିବାର ରିପୋର୍ଟ ଦେବେ। କିନ୍ତୁ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଭୁବନେଶ୍ବର ଓ କଟକରୁ ଅନ୍ୟ ଜିଲ୍ଲାକୁ ଡେଇଁ ପାରୁନି ଓପୋଲ୍‌ଫେଡ୍‌ ଚିକେନ୍ ଫ୍ରେସ୍ ଓ ଫାଷ୍ଟଫୁଡ୍ ବୁଥ୍।  

ରାଜ୍ୟ ପୋଲ୍‌ଟ୍ରି ମହାସଂଘର ସାଧାରଣ ସଂପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି, ଭୁବନେଶ୍ବର ମହାନଗର ନିଗମରେ ସପ୍ତାହକୁ ପ୍ରାୟ ୧ଲକ୍ଷ କୁକୁଡ଼ା(କୁକୁଡ଼ା ପିଛା ଓଜନ ୨ କେଜିରୁ ଅଧିକ) ଆବଶ୍ୟକ ପଡ଼ୁଛି। ସେହି ଅନୁସାରେ ସପ୍ତାହକୁ ୩୦୦ ଟନ୍‌ରୁ ଅଧିକ କୁକୁଡ଼ା ମାଂସ ଆବଶ୍ୟକ। ରାଜ୍ୟ ସରକାର କୁକୁଡ଼ା ଚାଷୀଙ୍କୁ ଲାଭ ଦେବାକୁ ଓପୋଲ୍‌ଫେଡ୍‌ କରିଥିଲେ। କିନ୍ତୁ ଓପୋଲ୍‌ଫେଡ୍‌ ଲକ୍ଷ୍ୟଚ୍ୟୁତ ହୋଇଛି। ଚାଷୀଙ୍କୁ ଟଙ୍କା ସମୟରେ ଦେଉନି। ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ବାକି ପଡ଼ିଛି। ଏଣୁ ଚାଷୀମାନେ ସମନ୍ବିତ କୁକୁଡ଼ା ଚାଷ କରିବାକୁ ବାଧ୍ୟ ହେଉଛନ୍ତି। କିଛିଦିନ ତଳେ ଏ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ସେ ଏହି ପ୍ରସଙ୍ଗ ଉଠାଇଥିବା କହିଛନ୍ତି। ଓପୋଲ୍‌ଫେଡ୍‌ ନିର୍ଦ୍ଦେଶକ ଭକ୍ତହରି ମଲ୍ଲିକ କହିଛନ୍ତି, ଆମ ପାଖରେ ଅର୍ଥ ସମ୍ବଳ ନାହିଁ। ଆମେ ସମିତିରେ ପଞ୍ଜୀକୃତ ଚାଷୀଙ୍କଠାରୁ କୁକୁଡ଼ା ଓ ଅଣ୍ଡା ଆଣି ବିକ୍ରି କରି ଯାହା ଲାଭ ପାଉଛୁ, ସେଥିରେ କର୍ମଚାରୀ ଦରମା ପାଉଛନ୍ତି। ଭୁବନେଶ୍ବର ଓ କଟକରେ ଓପୋଲ୍‌ଫେଡ୍‌ ଜରିଆରେ ମାସକୁ ପ୍ରାୟ ୧୦ରୁ ୧୨ ଟନ୍ ମାଂସ ଓ ୧ ଲକ୍ଷ ଅଣ୍ଡା ଯୋଗାଣ ହେଉଛି। ଅଧିକାଂଶ ମାଂସ ଓ ଅଣ୍ଡା ଛାତ୍ରାବାସ, ମିଲିଟାରି କ୍ୟାଣ୍ଟିନ ଆଦିକୁ ଯାଉଛି। ସରକାରୀ ପ୍ରୋତ୍ସାହନ ମିଳିଲେ, ଓପୋଲ୍‌ଫେଡ୍‌ ଆହୁରି ଆଗକୁ ଯାଇପାରିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।