ବାଲିପାଟଣା: ଗାଁ ଦାଣ୍ଡରୁ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଉଥିବା ଲୁଟେରାଙ୍କ ଆତଙ୍କ ଥମୁ ନ ଥମୁଣୁ ଆଜି ବାଲିପାଟଣାରେ ଘଟିଥିବା ଏକ ରାହାଜାନି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ବାଇକ୍ରେ ଥିବା ଦୁଇ ଜଣ ଦୁର୍ବୃତ୍ତ ଆଜି ଜଣେ ଘରୋଇ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଛନ୍ତି। ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ଉଜ୍ଜିବନୀ ସ୍ମଲ୍ ଫାଇନାନ୍ସ କମ୍ପାନିର କର୍ମଚାରୀ ଅମିତ୍ କୁମାର ମିଶ୍ର। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ବାଇକ୍କୁ ଭୁଜାଲିରେ ହାଣି ତାଙ୍କଠାରୁ ୧ ଲକ୍ଷ ୧୩ ହଜାର ଟଙ୍କା ଲୁଟି ନେଇଛନ୍ତି। ବାଲିପାଟଣା ଥାନା ଚଣାହାଟ ଛକ ନିକଟରେ ଏହି ରାହାଜାନି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। କିନ୍ତୁ ଦୁର୍ବୃତ୍ତମାନଙ୍କ ବାବଦରେ କୌଣସି ସୁରାକ୍ ମିଳିନଥିବା ଜଣାପଡ଼ିଛି।
ସୂଚନାନୁସାରେ ଭୁବନେଶ୍ୱର ରବି ଟକିଜ୍ସ୍ଥିତ ଉଜ୍ଜିବନୀ ସ୍ମଲ୍ ଫାଇନାନ୍ସ କମ୍ପାନିର କର୍ମଚାରୀ ଅମିତ ଆଜି ଅପରାହ୍ନ ୩ ଟାବେଳେ ଚଣାହାଟ ଛକ ଦେଇ ବାଲିପାଟଣା ବଜାର ଆଡ଼କୁ ଆସୁଥିଲେ। ସେ ପମ୍ପାଲୋ ପଞ୍ଚାୟତର କୁଳନ୍ତିରା ଓ ଚଣାହାଟର ୩ଟି ମହିଳା ସଂଗଠନଠାରୁ ଋଣ ଟଙ୍କା ଆଦାୟ କରି ଭୁବନେଶ୍ବର ଫେରୁଥିଲେ। ଚଣାହାଟ ଛକ ନିକଟରେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ପଲ୍ସର ବାଇକ୍ରେ ଆସି ତାଙ୍କୁ ଅଟକାଇଥିଲେ। ଅମିତ୍ କିଛି କହିବା ପୂର୍ବରୁ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲା ଓ ଅନ୍ୟ ଜଣକ ଭୁଜାଲିରେ ତାଙ୍କ ବାଇକ୍କୁ ଦୁଇ ଚାରି ଚୋଟ ପକାଇଥିଲା। ବାଇକ୍କୁ ହାଣିବା ସହ ସେ ଚାବିକୁ ବାହାର କରି ବିଲକୁ ଫିଙ୍ଗି ଦେଇଥିଲା। ଅମିତ ଭୟରେ ଥରୁଥିବାବେଳେ ସେମାନେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇ ପଳାଇଥିଲେ। ସେହି ବ୍ୟାଗରେ ୧ ଲକ୍ଷ ୧୨ ହଜାର ୮୯୦ ଟଙ୍କା, ଗୋଟିଏ ଟ୍ୟାବ୍, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଥିଲା। ଦୁର୍ବୁତ୍ତମାନେ ସରିପୁର ରାସ୍ତାରେ ଫେରାର୍ ହୋଇଯାଇଥିଲେ। ପରେ ଖବର ପାଇ ବାଲିପାଟଣା ଥାନା ଘଟଣାସ୍ଥଳରେ ପହଞ୍ଚିବାବେଳକୁ ବେଶ୍ ବିଳମ୍ବ ହୋଇ ସାରିଥିଲା।
ପ୍ରକାଶଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖରେ ନିମାପଡ଼ାସ୍ଥିତ ଭାରତ ଫାଇନାନ୍ସିଆଲ୍ ଇନ୍କ୍ଲିୟୁଜନ୍ କର୍ମଚାରୀ ବିଶ୍ୱରଞ୍ଜନ ସ୍ୱାଇଁଙ୍କଠାରୁ ଅଭୟମୁଖୀ ଛକ ନିକଟରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଥିଲା। ସେହି ବର୍ଷ ନଭେମ୍ବର ୫ ତାରିଖରେ ଉଜ୍ଜିବନୀ ସ୍ମଲ୍ ଫାଇନାନ୍ସ କର୍ମଚାରୀ ଦିଲ୍ଲୀପ କୁମାର ବେହେରାଙ୍କଠାରୁ ବଳଭଦ୍ରପୁର ଗାରେଡ଼ିପାଞ୍ଚଣ ରାସ୍ତାରେ ଦେଢ଼ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏ ସବୁ ଲୁଟ୍ ମାମଲା ଆଜି ପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି। ପୁଲିସ ଲୁଟେରାମାନଙ୍କ ଟେର୍ ପାଇନାହିଁ। ଘରୋଇ ଫାଇନାନ୍ସ କର୍ମଚାରୀମାନଙ୍କୁ ପିଛା କରି କରି ଲୁଟୁଥିବା ଲୁଟେରାମାନଙ୍କ ବାବଦରେ ପୁଲିସ ସୁରାକ୍ ପାଉନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କ ସୂଚନାନୁସାରେ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକ ଟଙ୍କା ନେଣଦେଣ ସମୟରେ ପୁଲିସକୁ ସୂଚନା ଦେବା ପାଇଁ କୁହାଯାଇଛି। ଅଥଚ ଅଧିକ ଟଙ୍କା କାରବାରବେଳେ ସେମାନେ ପୁଲିସକୁ ସୂଚନା ଦେଉନାହାନ୍ତି। ତେବେ ଲୁଟେରାମାନଙ୍କୁ ଠାବ କରାଯିବ ବୋଲି ସେ କହିଛନ୍ତି।