ଭୁବନେଶ୍ବର: ବାଲିପାଟଣା ଥାନା ଅଧୀନ ନରିଶୋ ହାଟୁଆ ସାହିରେ ବାଣ କାରଖାନାରେ ବିସ୍ଫୋରଣ ପରେ ଏବେ କମିସନରେଟ୍ ପୁଲିସ୍ର ଚେତା ପଶିଛି। ପୁଲିସ ଜାଣିବାକୁ ପାଇଛି, ରାଜଧାନୀରେ ଯେତେ ସବୁ ବୋମାମାଡ଼ ଘଟଣା ଘଟିଛି, ସବୁଥିରେ ବାଲିପାଟଣା ଥାନା ଅଧୀନରେ ଥିବା ବେଆଇନ ବାଣ କାରଖାନାଗୁଡ଼ିକର ସଂପୃକ୍ତି ରହିଛି। ଅଭିଯୁକ୍ତମାନେ ଏହି ସବୁ ଅଞ୍ଚଳରୁ ସୁତୁଲି ବୋମା ଆଣି ରାଜଧାନୀରେ ଅପରାଧ ଘଟାଇଛନ୍ତି। ଟିକେ ଟିକେ କଥାରେ ଏବେ ରାଜଧାନୀରେ ବୋମାମାଡ଼ ହେଉଛି। ଏପରିକି କଲେଜ ଛାତ୍ରମାନେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ଯାହା ଏବେ କମିସନରେଟ୍ ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି। ଖୁବ୍ଶୀଘ୍ର ପୁଲିସର ଏକ ଟିମ୍ ବାଲିପାଟଣା ଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ବାଣ କାରଖାନାଗୁଡ଼ିକର ଯାଞ୍ଚ କରିବ ବୋଲି ଜଣାଯାଇଛି।
ଘରେ ଘରେ ବାଣ, ଯେକୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ
ଗତ କିଛି ଦିନ ତଳେ ସହିଦନଗର ଥାନା ଅଧୀନ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ଜୋତା ସୋ’ରୁମ୍ ଉପରକୁ ବୋମାମାଡ଼ ହୋଇଥିଲା। ସୋ’ ରୁମ୍ ଆଗରେ ଖଟି କରିବାକୁ ବିରୋଧ କରିବାରୁ ଏଭଳି ଅଘଟଣ ଘଟାଇଥିଲେ କେତେକ ଛାତ୍ର। ବୋମାମାଡ଼ କରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲା। ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଗାଁ ମୁସଲିମ୍ ସାହିରେ ମଧ୍ୟ ବୋମାମାଡ଼ ହୋଇଥିଲା। ଲଗାତାର ୩ଟି ବୋମା ପଡ଼ିଥିଲା। ଏହି ଘଟଣାରେ ବାପ, ପୁଅଙ୍କୁ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ। ସେହିପରି ଦୁର୍ଗାପୂଜା ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଧୀକ କଟକ ରୋଡ୍ର ରେନ୍ ଦି କ୍ଲବ୍ ଉପରକୁ ବୋମାମାଡ଼ ହୋଇଥିଲା।
ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ। ସବୁ ଘଟଣାରେ ପୁଲିସ ଆଗରୁ କହିଥିଲା, ବୋମା ନୁହେଁ, ଏସବୁ ସୁତୁଲି ବାଣ ବା ଶୂନଫୋଟକା। ବାଲିପାଟଣାରେ ବାଣ କାରଖାନାରେ ବିସ୍ଫୋରଣ ପରେ ଏବେ ପୁଲିସ ଜାଣିବାକୁ ପାଇଛି ଯେ ରାଜଧାନୀରେ ଘଟିଥିବା ଏକାଧିକ ବୋମାମାଡ଼ ମାମଲାରେ ବାଣ ବାଲିପାଟଣା ଅଞ୍ଚଳରୁ ଆସିଛି। କେବଳ ନରିଶୋ ନୁହେଁ, ବାଲିପାଟଣା ଥାନା ଅଞ୍ଚଳରେ ଏକାଧିକ ବେଆଇନ ବାଣ କାରଖାନା ରହିଛି। ୨୦୧୮ ମସିହାରେ ବନମାଳିପୁର ନୂଆସାହିରେ ବାଣ ବିସ୍ଫୋରଣ ଘଟି ଏକ କୋଠାଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ଏହି ଘଟଣାରେ ଜ୍ଞାନେନ୍ଦ୍ର ମିଶ୍ର ଫେରାର୍ ଥିବା ବେଳେ ପତ୍ନୀ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ କମିସନରେଟ ପୁଲିସ ବାଣ କାରଖାନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲା। କିନ୍ତୁ ୫ବର୍ଷ ପରେ ମଧ୍ୟ କାରଖାନାଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁଲିସ। ଫଳରେ ବର୍ଷତମାମ ଏବେ ରାଜଧାନୀରେ ବାଣ ଫୁଟିବା ସହିତ ବୋମାମାଡ଼ ଭଳି ଅପରାଧ ଘଟି ଚାଲିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ଉକ୍ତ ଅଧିକାରୀଙ୍କ କହିବା କଥା, ସାଧାରଣତଃ ଦୀପାବଳି ସମୟରେ ବାଣ ଫୁଟିଥାଏ। କିନ୍ତୁ ଏବେ ଭାରତ କୌଣସି କ୍ରିକେଟ୍ ମ୍ୟାଚ୍ ଜିତିଲେ ମଧ୍ୟ ରାଜଧାନୀରେ ସବୁଆଡ଼େ ବାଣ ଫୁଟୁଛି। କିଛି ଦିନ ତଳେ ଜିରୋ-ନାଇଟ୍ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟିଥିଲା। ତେବେ ଏସବୁ ବାଣ କେଉଁଠୁ ଆସୁଛି ? କିଏ ଯୋଗାଉଛି ବାଣ ? ଘରେ ଘରେ ସମସ୍ତେ ବାଣ ମହଜୁଦ୍ ରଖିଛନ୍ତି କି ? ଯଦି ରଖିଛନ୍ତି ଅଘଟଣ ଘଟିଲେ, କିଏ ଦାୟୀ ରହିବ ବୋଲି ଉକ୍ତ ଅଧିକାରୀଜଣକ ପ୍ରଶ୍ନ କରିଛନ୍ତି।