ଭୁବନେଶ୍ବର: ଦୁଇ ଦିନ ତଳେ ଅର୍ଥାତ ଗୁରୁବାର ଦିନ ରାଜଧାନୀର ପାଗ ବେଶ୍ ଥଣ୍ଡା ଥିଲା। ମେଘୁଆ ପାଗ ସହ ଥଣ୍ଡା ଶୀତଳ ପବନ ସମସ୍ତଙ୍କୁ ଆମୋଦିତ କରିଥିଲା। ସେଦିନ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଥିଲା ୩୪ ଡିଗ୍ରି। ଶୁକ୍ରବାର ଦିନ ତାତି ୪ ଡିଗ୍ରି ବଢ଼ିଲା ଓ ରାଜଧାନୀର ପାରଦ ୩୮.୩ ଡିଗ୍ରିକୁ ବୃଦ୍ଧି ପାଇଥିଲା। ଗତକାଲି ଅପେକ୍ଷା ଆଜି ରାଜଧାନୀର ତାପମାତ୍ରା ଆଉ ୪ ଡିଗ୍ରି ବଢ଼ି ୪୨.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ଟିଟିଲାଗଡ଼, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳ ଆଦି ସହରକୁ ପଛରେ ପକାଇ ପୁଣି ରାଜ୍ୟର ଉତ୍ତପ୍ତ ସହର ହୋଇଯାଇଛି।
ଗୋଟିଏ ପଟେ କରୋନାର ଅସମ୍ଭାଳ ସ୍ଥିତି ଓ ଅନ୍ୟପଟେ ଅସହ୍ୟ ତାତି ରାଜଧାନୀବାସୀଙ୍କୁ ଅତିଷ୍ଠ କଲାଣି। ଆଜି ସକାଳ ୭ଟାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିଲା। ସଟ୍ଡାଉନ୍ ଯୋଗୁଁ ଲୋକଙ୍କୁ ଟିକେ ଆଶ୍ବସ୍ତି ଥିଲା। କିନ୍ତୁ ଦିନ ବଢ଼ିବା ସହ ଖରାର ପ୍ରକୋପ ବି ବଢ଼ିଥିଲା। ଅପରାହ୍ନ ସାଢ଼େ ୫ଟା ଯାଏ ସୂର୍ଯ୍ୟଙ୍କ ପ୍ରଖରତା ଜାରି ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶାରେ କାଳବୈଶାଖୀ ସ୍ଥିତି ଜାରି ରହିଥିଲା। ଗତକାଲିଠାରୁ ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ଆଉ କାଳବୈଶାଖୀଜନିତ ବର୍ଷା ହୋଇନାହିଁ। କାଳବୈଶାଖୀ ପାଇଁ ଏବେ ଉପକୂଳରେ ଅନୁକୂଳ ପରିବେଶ ନଥିବାରୁର ରାଜଧାନୀର ଆକାଶ ଗତକାଲିଠାରୁ ନିର୍ମଳ ରହିବା ସହ ପାଗ ଖରାଟିଆ ରହିଛି। ଫଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଅନ୍ୟପଟେ ଏବେ ରାଜଧାନୀକୁ ସାମୁଦ୍ରିକ ପବନ ଯେତିକି ଭାବେ ପ୍ରବାହିତ ହେବା କଥା ତାହା ହେଉନାହିଁ। ସ୍ବାଭାବିକ ଭାବେ ବର୍ତ୍ତମାନ ରାଜଧାନୀର ତାପମାତ୍ରା ୩୯ରୁ ୪୦ ଡିଗ୍ରି ମଧ୍ୟରେ ରହିବ କଥା। କିନ୍ତୁ ଏସବୁ କାରଣ ଯୋଗୁଁ ତାପମାତ୍ରାରେ ବିଶେଷ ବୃଦ୍ଧି ଦେଖାଯାଇଛି। ଆଗକୁ ମଧ୍ୟ ଏହା ଜାରି ରହିପାରେ। ବଙ୍ଗୋପସାଗରରେ ଏବେ ରହୁଥିବା ଗୁରୁଚାପ ବଳୟ ସମୁଦ୍ର ଉପକୂଳରେ ରହିଲେ ସ୍ଥଳ ଭାଗକୁ ସାମୁଦ୍ରିକ ପବନ ପ୍ରବାହ ବଢ଼ିଥାଏ। ଯଦି ଏହି ଗୁରୁଚାପ ବଳୟ ସମୁଦ୍ର ଭିତରକୁ ଗୀତିଶୀଳ ହେବ, ତେବେ ରାଜଧାନୀକୁ ସାମୁଦ୍ରିକ ପବନ ପ୍ରବାହିତ ହେବ ନାହିଁ ଓ ରାଜଧାନୀର ତାପମାତ୍ରା ଆଗାମୀ ଦିନରେ ଆହୁରି ବଢ଼ିଯାଇପାରେ ବୋଲି ଶ୍ରୀ ଦାସ କହିଛନ୍ତି।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କିନ୍ତୁ ଭିନ୍ନ ମତ ପ୍ରକାଶ କରିଛନ୍ତି। ଆସନ୍ତାକାଲି ପରେ ରାଜଧାନୀର ତାପମାତ୍ରା ବହୁ ମାତ୍ରାରେ ଖସିଯିବ ଏବଂ ମେ’ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ସମେତ ଉପକୂଳରେ ଭଲ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ସେ କହିଛନ୍ତି, ଆଜି ରାଜଧାନୀର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆସନ୍ତାକାଲି ମଧ୍ୟ ଏହି ତାପମାତ୍ରା ଜାରି ରହିବ। କିନ୍ତୁ ୨୬ ଓ ୨୭ ତାରିଖ ଆଡ଼କୁ ରାଜଧାନୀର ତାପମାତ୍ରା ଆଖିଦୃଶିଆ ଭାବେ କମି ୪୦ ଡିଗ୍ରି ତଳକୁ ଖସିଯିବ ଓ ୨୮ ତାରିଖ ଆଡ଼କୁ ଏହା ଆହୁରି କମି ୩୬ ଡିଗ୍ରି ତାପମାତ୍ରା ରେକର୍ଡ ହେବ।
ଏହାର କାରଣ ଦର୍ଶାଇ ଡ. ପଶୁପାଳକ କହିଛନ୍ତି, ଆଜି ପର୍ଯ୍ୟନ୍ତ ରାଜ୍ୟ ତଥା ଉପକୂଳ ଓଡ଼ିଶାକୁ ପଶ୍ଚିମା ପବନ ସିଧା ପ୍ରବାହିତ ହେଉଥିଲା। ୨୬ ତାରିଖ ଆଡ଼କୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହେବାକୁ ଯାଉଛି। ଏହା ଫଳରେ ପଶ୍ଚିମା ପବନ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଅଞ୍ଚଳକୁ ଆସିବ ନାହିଁ। ଏହା ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚିବ ଓ ଏହାପରେ ଉତ୍ତର ଆଡ଼କୁ ଗତି କରିବ। ଏହି ଟ୍ରଫ୍ ଲାଇନ୍ ପ୍ରଭାବରେ ପୂର୍ବ ବଙ୍ଗୋପସାଗରରୁ ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ସାମୁଦ୍ରିକ ପବନ ପ୍ରବାହିତ ହେବ। ଫଳରେ ପବନ ଉପକୂଳ ଓଡ଼ିଶାର ସମଗ୍ର ଅଞ୍ଚଳକୁ ପ୍ରବାହିତ ହେବ। ୩୦ ତାରିଖ ବେଳକୁ ପଶ୍ଚିମା ପବନ ଆଉ ଓଡ଼ିଶାକୁ ଆସିବନି ଓ ପବନର ଦିଗ ପରିବର୍ତ୍ତନ ହେବ। ପଶ୍ଚିମା ବଦଳରେ ପୂର୍ବା ପବନ ରାଜ୍ୟକୁ ପ୍ରବାହିତ ହେବ। ଏହା ଓଡ଼ିଶା, ଛତିଶଗଡ଼ ଦେଇ ଉତ୍ତର ଭାରତ ଆଡ଼କୁ ଯିବ ଓ ଏହା ପରବର୍ତ୍ତୀ ସମୟରେ ହିମାଳୟ ପାଦଦେଶରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ସହ ମିଶିବ। ଫଳରେ ୩୦ ତାରିଖ ଆଡ଼କୁ ଓଡ଼ିଶାରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହେବ। ପାଗ ମେଘୁଆ ରହିବ ଓ କାଳବୈଶାଖୀ ବର୍ଷା ବଢ଼ିଯିବ। ୩୦ରୁ ମେ’ ୪ ତାରିଖ ଯାଏ ଓଡ଼ିଶା ସମେତ ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ଭଲ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି।