ଚନ୍ଦକାରେ କେନ୍ଦ୍ରୀୟ ଟିମ୍‌, ଦିନ ସାରା ୬ ରେଞ୍ଜ ବୁଲି ଅନୁଧ୍ୟାନ କଲେ

ଗଛ ଜଳିଥିବା ଦେଖିବାକୁ ପାଇଲେ, ଭରତପୁରରୁ ଆରମ୍ଭ, ଡେରାସରେ ଶେଷ

ଚନ୍ଦ୍ରଶେଖରପୁର : ବନାଗ୍ନି ଘଟଣାର ତଦନ୍ତ ଲାଗି ଓଡ଼ିଶା ପରିଦର୍ଶନରେ ଆସିଥିବା ୫ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଗସ୍ତ କରିଛନ୍ତି। ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ବରକୁ ଲାଗି ରହିଥିବା ଭରତପୁର ଜଙ୍ଗଲ ପରିଦର୍ଶନ କରିଥିଲେ। ସାଟେଲାଇଟ୍‌ ଇମେଜ୍‌ ଚିହ୍ନିତ ଜଙ୍ଗଲ ନିଆଁ ସ୍ଥାନ ବୁଲିଥିଲେ। ଭରତପୁର ଜଙ୍ଗଲରେ ପ୍ରାୟ ଏକ ଘଣ୍ଟା ଧରି ଅନୁଧ୍ୟାନ କରିବା ପରେ ଗୋଡ଼ିବାରି, ଡେରାସ, ଡମପଡ଼ା ଆଦି ଅଞ୍ଚଳ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ। କେତେକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଅଭୟାରଣ୍ୟର ସମସ୍ତ ରେଞ୍ଜ ବୁଲି ଦେଖି ଫେରିଛନ୍ତି। ସୋମବାର ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଗତ ୭ ତାରିଖରେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫଏସ୍‌ଆଇ) ତଥ୍ୟ ଦେଇଥିଲା। ଯାହାକୁ ଆଧାର କରି କେନ୍ଦ୍ରୀୟ ପ୍ରତିନିଧି ଦଳ ଉକ୍ତ ଅଞ୍ଚଳ ଗସ୍ତ କରିଥିଲେ। ତେବେ କେତେକ ସ୍ଥାନରେ ଘଟଣାର ସତ୍ୟତା ଥିବା ବେଳେ ଆଉ କେତେକ ସ୍ଥାନରେ ଅଭୟାରଣ୍ୟ ନିକଟରେ ନିଆଁ ଲାଗିଥିବା ଦୃଷ୍ଟିକୁ ଆସିଛି। ଏମିତିକି କେତେକ ସ୍ଥାନରେ ଜଙ୍ଗଲ ଭିତରେ ରହୁଥିବା ୫ଟି ଆଦିବାସୀ ଗାଁର ଲୋକେ ଜଙ୍ଗଲ ନିକଟରେ କାଠ, ବାଉଁଶ, ପତ୍ର ଆଦିରେ ନିଆଁ ଲଗାଇ ଦେଉଥିବା ପ୍ରତିନିଧିଦଳ ଜାଣିବାକୁ ପାଇଛି। ବିଶେଷକରି ଡମପଡ଼ା ରେଞ୍ଚର ଡମପଡ଼ା ବିଟ୍‌, ଗୋବିନ୍ଦପୁର ବିଟ୍‌, ଭାଗଲପୁର ବ୍ଲକ ବିଟ୍‌ ଓ ବଅଁର ବିଟ୍‌ ବୁଲି ଜଙ୍ଗଲ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ହଳଦିଆ ରେଞ୍ଜର ଆମ୍ବିଲୋ ବିଟ୍‌ ଓ ମିନ୍‌ଚିନ୍‌ପାଟଣା ବିଟ୍‌ରେ ସେଭଳି କ୍ଷତି ହୋଇ ନଥିବା ଜଣାପଡ଼ିଛି। ଗସ୍ତ ସମୟରେ ପ୍ରତିନିଧି ଦଳକୁ ଅଭୟାରଣ୍ୟର ଅଧିକାରୀମାନେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ।

ଅଧିକାରୀଙ୍କ କହିବାନୁଯାୟୀ, ଗତ ୪ରୁ ୫ବର୍ଷ ହେଲା ପ୍ରତିବର୍ଷ ନଭେମ୍ବର ମାସଠାରୁ ପ୍ରତି ସପ୍ତାହେ ଦୁଇ ସପ୍ତାହେ ବ୍ୟବଧାନରେ ବର୍ଷା ହେଉଥିଲା। ତେବେ ଏଥର ନଭେମ୍ବର ମାସଠାରୁ ସେଭଳି ବର୍ଷା ନାହିଁ। ଭୁବନେଶ୍ବର ସମେତ ଚନ୍ଦକା-ଡମପଡ଼ା ଜଙ୍ଗଲର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି। ଦିନର ତାପମାତ୍ରା ୪୦ଡିଗ୍ରି ଉପରେ ଛୁଇଁଯାଉଛି। ଦିନରେ ଗରମ ହେଉଥିଲେ ମଧ୍ୟ ଅପରାହ୍‌ଣରେ ଝଡ଼ବର୍ଷା ହେଉନି। ଜଳବାୟୁରେ ଏଭଳି ପରିବର୍ତନ ହୋଇଥିବାରୁ ଜଙ୍ଗଲ ନିଆଁ ବ୍ୟାପକ ରୂପ ଧାରଣ କରିଛି। କିଏ କେଉଁଠି ଯଦି ନିଆଁ ଲାଗିଥିବା ବିଡ଼ି, ସିଗାରେଟ୍‌ ଅଧା ଟାଣି ପକାଇ ଦେଉଛନ୍ତି ତାହା ତଳେ ପଡ଼ିଥିବା ପତ୍ରରେ ଲାଗି ଭୟଙ୍କର ରୂପ ନେଉଛି।

ବନବିଭାଗର ‌ଜଣେ ଅଧିକାରୀ ନିଜ ନାଁ ଗୋପନ ସର୍ତ୍ତରେ କହିଛନ୍ତି ଯେ ଜଙ୍ଗଲଠାରୁ ୨୦ରୁ ୩୦ମିଟର ଦୂରରେ କେତେକ ଲୋକ ଫାର୍ମହାଉସ୍‌ କରିଛନ୍ତି। ସେମାନେ ନିଜ ଫାର୍ମହାଉସ୍‌ ସଫା କରିବା ସମୟରେ ସେଥିରୁ ବାହାରୁଥିବା ଅଳିଆରେ ନିଆଁ ଲଗାଇ ଦେଉଛନ୍ତି। ଏଫ୍‌ଏସ୍‌ଆଇର ସାଟେଲାଇଟ୍ ସର୍ଭେରେ ଉକ୍ତ ନିଆଁ ଆସି ଯାଉଥିବାରୁ ତାହାକୁ ଜଙ୍ଗଲ ନିଆଁ ବୋଲି ଅନୁମାନ କରାଯାଉଛି। ଆମ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ତେବେ ତାହା ଅଭୟାରଣ୍ୟ ବାହାରେ ଥିବାରୁ ଆମେ କିଛି ବି କରିପାରୁ ନାହୁଁ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଫେବ୍ରୁଆରି ପହିଲାରୁ ଆଜି ପର୍ଯ୍ୟନ୍ତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ୫୦ଟି ସ୍ଥାନରେ ନିଆଁ ଲାଗିଥିବା ଏଫ୍‌ଏସ୍‌ଆଇ ତଥ୍ୟରୁ ଜଣାପଡ଼ିଛି। ଏହା ପୂର୍ବ ଦୁଇବର୍ଷ ତୁଳନାରେ ଅଧିକ। ୨୦୧୯ ଜାନୁଆରି ୧ରୁ ମେ’ ୧୩ ମଧ୍ୟରେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ମୋଟ ୮ଟି ସ୍ଥାନରେ ନିଆଁ ଲାଗିଥିଲା। ସେଥିମଧ୍ୟରୁ ୫ଟି ଜଙ୍ଗଲ ଭିତରେ ଲାଗିଥିବା ବେଳେ ବାକି ୩ଟି ଜଙ୍ଗଲ ଅଞ୍ଚଳ ବାହାରେ ଲାଗିଥିଲା। ୨୦୨୦ ଫେବ୍ରୁଆରି ୧୩ରୁ ଜୁନ୍‌ ୧୧ ମଧ୍ୟରେ ଅଭୟାରଣ୍ୟର ଜଙ୍ଗଲ ଭିତରେ ୩୯ଟି ଓ ଜଙ୍ଗଲ ବାହାରେ ୩ଟି ସ୍ଥାନ; ଏହିପରି ମୋଟ ୪୨ଟି ସ୍ଥାନରେ ନିଆଁ ଲାଗିଥିଲା।

ସମ୍ବନ୍ଧିତ ଖବର