ଭୁବନେଶ୍ବର: ଚଳିତବର୍ଷ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ବିଦେଶାଗତ ପକ୍ଷୀଙ୍କ ଆଗମନ କମିଛି ବୋଲି ପକ୍ଷୀଗଣନାରୁ ଜଣାପଡ଼ିଛି। ପୂର୍ବରୁ ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ରହୁଥିଲା। କିନ୍ତୁ ଚଳିତବର୍ଷ ସେମାନଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି। ଏବର୍ଷ ବହିରାଗତ ପକ୍ଷୀଙ୍କ ପ୍ରଜାତି ବଢ଼ିଥିବା ଯେତିକି ବଡ଼ ଖୁସିର କଥା, ସଂଖ୍ୟା କମିବା ମଧ୍ୟ ସେତିକି ଚିନ୍ତାଜନକ ବୋଲି କୁହାଯାଉଛି। ଖାଦ୍ୟାଭାବ ଓ ଜଳବାୟୁ ପରିବର୍ତ୍ତନ ପାଇଁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା କମିଛି ବୋଲି ଅନୁମାନ କରାଯାଉଛି। ୨୦୨୨ ପକ୍ଷୀଗଣନା ଅନୁସାରେ ଏହି ଅଭୟାରଣ୍ୟର ବିଭିନ୍ନ ଜଳାଶୟକୁ ୨୭ ପ୍ରଜାତିର ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ। ୨୦୨୧ରେ ୨୭ ପ୍ରଜାତିର ୨୧ ହଜାର ୯୪୮ ଓ ୨୦୨୦ରେ ୧୬ ହଜାର ୧୩ ପକ୍ଷୀ ଆସିଥିଲେ। କିନ୍ତୁ ଏଥର ୫୭ ପ୍ରଜାତିର ୧୬ହଜାର ୬୭୫ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି। ତେଣୁ ପୂର୍ବରୁ ଅତିବେଶିରେ ୩୦ ପ୍ରଜାତିର ପକ୍ଷୀ ଦେଖାଯାଉଥିବା ବେଳେ ଏବର୍ଷ ୫୭ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି। ଅର୍ଥାତ୍ ଏବର୍ଷ ଅଧିକ ୩୦ ପ୍ରଜାତିର ବିଦେଶୀ ପକ୍ଷୀ ଏହି ଅଭୟାରଣ୍ୟକୁ ଆସିଛନ୍ତି। ଆଜି ଗଣନାରୁ ଚିହ୍ନଟ ହୋଇଥିବା ପ୍ରଜାତିଗୁଡ଼ିକ ହେଲା ନର୍ଦନ ପିନ୍‌ଟାଇଲ୍‌, ଟୁପ୍‌ଟେଡ୍‌ ଡକ୍‌, ଗାଡ୍‌ୱାଲ୍‌, ରେଡ୍‌-କ୍ରିଷ୍ଟେଡ୍‌ ପୋଚାର୍ଡ, ରିଭର୍‌ ଲାୱାଙ୍ଗ୍‌, ଗେରି ହେଡେଡ୍‌ ଲାପ୍‌ୱିଂ, ଓସ୍‌ପ୍ରେରି, ୱାଗ୍‌ଟେଲ୍‌, ରିଭର୍‌ ଟେର୍ଣ୍ଣ, ଗ୍ରେଡ୍‌ ଥିକ୍‌-କିନ୍‌, ଡାର୍‌ଟର, ନର୍ଦନ ସୋଭେଲେର‌୍, କନ୍‌ ଟେଲ୍‌, ବ୍ଲାକ୍‌ ‌ହେଡେଡ୍‌ ଆଇବିସ୍‌, ସ୍ପଟେଡ୍‌ ରେଡ୍‌ ସାଙ୍କ୍‌। ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରାୟ ୩୦ ପ୍ରଜାତିର ଏକ ହଜାର ପକ୍ଷୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ନୂଆ ପ୍ରଜାତିର ବିଦେଶୀ ଅତିଥି ପକ୍ଷୀଙ୍କ ଆଗମନ ଚଳିତବର୍ଷର ଉଲ୍ଲେଖନୀୟ ଘଟଣା। କିନ୍ତୁ ରାଜଧାନୀ ଉପକଣ୍ଠରେ ପ୍ରାକୃତିକ ଜଙ୍ଗଲ ହ୍ରାସ ସହ ତାଳ ଦେଇ କଂକ୍ରିଟ୍‌ ଜଙ୍ଗଲ ବଢ଼ୁଥିବାରୁ ଏବଂ ବିଦେଶାଗତ ପକ୍ଷୀଙ୍କ ଆଗମନ କମୁଥିବାରୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।

Advertisment

ଆଜି ଚନ୍ଦକା ଡିଏଫ୍‌ଓ ଶରତଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ୯ଟି ଟିମ୍‌ ଅଭୟାରଣ୍ୟର ୨୭ଟି ସ୍ଥାନରେ ପକ୍ଷୀ ଗଣନା କରିଥିଲେ। ଏହି ଟିମ୍‌ରେ ବନ କର୍ମଚାରୀଙ୍କ ସହ ରିସର୍ଚ୍ଚ ଫେଲୋ, ବିଭିନ୍ନ ଶିକ୍ଷାନୁଷ୍ଠାନର ଗବେଷଣାରତ ଛାତ୍ରଛାତ୍ରୀ ଓ ‌ସ୍ବେଚ୍ଛାସେବୀ ସାମିଲ ଥିଲେ। ଏକାମ୍ର ପାର୍କ ହ୍ରଦ, ପୁରୀ କେନାଲ, ମୁଣ୍ଡଳୀ-ନରାଜ ବ୍ୟାରେଜ୍‌, ମାଢ଼ୁଆ, ଡମପଡ଼ା ପାଟପୁର ପାଟ, ଚୁଡ଼ଙ୍ଗଗଡ଼ ପାଟ, ବାରମାଣ, କୁମାରଖୁଣ୍ଟି, ଜାରିଆ, ଅମ୍ବିଲ, ଡେରାସ, କଜଳାଗଣ୍ଡ, ଝୁମୁକା, ଭାଲୁଗାଁ ପାଟ, ଭୁଆସୁଣୀ, ଗୟଳବାଙ୍କ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା। ଡମପଡ଼ା ଓ କୁଶପଙ୍ଗୀରେ ଅଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଦେଖାଯାଇଥିଲେ। ଆଜି ସକାଳେ ଘନ କୁହୁଡ଼ି ଯୋଗୁଁ ପକ୍ଷୀ ଗଣନା କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। କିନ୍ତୁ ସନ୍ଧ୍ୟା ସୁଦ୍ଧା ସୁରୁଖୁରରେ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ପୋଚାର୍ଡ, ହଂସ, ହଂସରାଳି, ଗେଣ୍ଡାଳିଆ, ପେଲିକାନ୍‌, ଫ୍ଲେମିଙ୍ଗୋ, କର୍ମୋମୋରାଣ୍ଟ, ପିଣ୍ଟେଲ୍‌ ଆଦି ଯାଯାବର ଜାତୀୟ ପକ୍ଷୀମାନେ ଚନ୍ଦକାରେ ଦେଖିବାକୁ ମିଳିଛନ୍ତି। ସାରା ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚନ୍ଦକାରେ କମିବା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି।