ଭୁବନେଶ୍ୱର: ସ୍ୱାଧୀନତା ଦିବସ ପରେଡ୍ ଲାଗି କମିସନରେଟ୍ ପୁଲିସ ପକ୍ଷରୁ ଆଜିଠାରୁ ମହାତ୍ମାଗାନ୍ଧୀ ମାର୍ଗରେ ଅଭ୍ୟାସ ଆରମ୍ଭ ହୋଇଛି। ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଭ୍ୟାସ ଚାଲିଥିଲା। ରବିବାର ମଧ୍ୟ ସେହି ସମାନ ସମୟରେ ଅଭ୍ୟାସ ଚାଲିବ। ମାତ୍ର ୧୩ ତାରିଖରେ ସକାଳ ୭ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ ହେବ ବୋଲି ସୂଚନା ଦିଆଯାଇଛି। ପରେଡ୍ ଅଭ୍ୟାସ ପାଇଁ ମହାତ୍ମାଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି।
ସୂଚନା ଅନୁଯାୟୀ ଅଭ୍ୟାସ ସମୟରେ ରାଜମହଲ ଓ ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନ୍କୁ ସଂଯୋଗ କରୁଥିବା ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ପରେଡ୍କୁ ସ୍ଥଳକୁ ସଂଯୋଗ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍ ରହିବ। ସେହିପରି ଏଜି ଛକରୁ ପିଏମ୍ଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମ୍ଜି ଛକକୁ କୌଣସି ଗାଡ଼ି ଆସି ପାରିବ ନାହିଁ। ଅଭ୍ୟାସରେ ଯୋଗ ଦେବାକୁ ଆସୁଥିବା ସଂଗଠନ ଓ ପରେଡ୍ ଦେଖିବାକୁ ଆସୁଥିବା ଲୋକମାନେ ସେମାନଙ୍କ ଗାଡ଼ିକୁ ରେଳଷ୍ଟେସନ୍, କଂଗ୍ରେସ ଭବନ, ଜୟଦେବ ଭବନ, ଇଡ୍କଲ୍ ଅଡିଟୋରିୟମ, ୩ ନମ୍ବର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରବୀନ୍ଦ୍ର ମଣ୍ଡପ ଭିତରେ ଥିବା ଖୋଲାସ୍ଥାନ ଏବଂ ୨ନମ୍ବର ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ପାର୍କିଂ କରିପାରିବେ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି, ଡିସିପି ଅନୁପ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ପରେଡ୍ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଶାନ୍ତିଶୃଙ୍ଖଳାର ସହିତ ପରେଡ୍ ଉତ୍ସବ ଶେଷ କରିବା ସଂପର୍କରେ ଆଲୋଚନା କରିଥିଲେ। ଆଜି ପରେଡ୍ ସ୍ଥଳରେ ଲାଗି ଥିବା ବ୍ୟାରିକେଡ୍ରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପରେଡ୍ ଗ୍ରାଉଣ୍ଡରେ ଲାଗିଥିବା ବ୍ୟାରିକେଡ୍ର ସବୁଜ ରଙ୍ଗର ତାର ଜାଲି ବ୍ୟବସ୍ଥା କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ସେହିପରି ୩ ୟୁନିଟ୍ ଏସ୍ଓଜି, କ୍ୟୁଆର୍ଟି, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ। ଏହାଛଡ଼ା ପରେଡ୍ ସ୍ଥଳରେ ୬୦ରୁ ଅଧିକ ସିସି ଟିଭି କ୍ୟାମେରା ଖଞ୍ଜା ଯାଇଛି। ମାଷ୍ଟରକ୍ୟାଣ୍ଟିନ, ରବୀନ୍ଦ୍ରମଣ୍ଡପ, ଲୋୟରପିଏମ୍ଜି ପଛପଟ ଆଦି ଗୁୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ନଜରରେ ରଖିବା ପାଇଁ ସେଠାରେ ମଧ୍ୟ ସିସିଟିଭି ଲଗା ଯାଇଛି। ୧୦୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବଂ ଇନ୍ସପେକ୍ଟର୍ଙ୍କ ସମେତ ୫୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ଖଣ୍ଡଗିରି, ଲକ୍ଷ୍ମୀସାଗର, ରସୁଲଗଡ଼, ସହିଦନଗର, ମାଷ୍ଟରକ୍ୟାଣ୍ଟିନ, ପଳାଶୁଣି, ରବି ଟକିଜ୍, ଚନ୍ଦ୍ରଶେଖରପୁର ଅଦି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ସ୍ୱତନ୍ତ୍ର ଚେକ୍ ପୋଷ୍ଟ ମାଧ୍ୟମରେ ବ୍ଲକିଂ କରାଯାଇ ଚେକିଂ ଆରମ୍ଭ ହୋଇଛି। ଏହା ଛଡ଼ା ସହର ଭିତରେ ଥିବା ଛୋଡ଼ବଡ଼ ହୋଟେଲ ଓ ଲଜ୍ରେ ମଧ୍ୟ ଯାଞ୍ଚ ଚାଲିଛି। ଡିସିପି ଟ୍ରାଫିକ୍ ଓ ଏସିପିଙ୍କ ତତ୍ତ୍ୱାବଧାନରେ ଟ୍ରାଫିକ ନିୟମ ପରିଚାଳିତ ହେବ। ଏଥର ରାଜ୍ୟସ୍ତରୀୟ ପରେଡ୍ରେ ବିଏସ୍ଏଫ୍, ଆଇଟିବିପି ଭଳି ସଶସ୍ତ୍ର ବଳ ଯୋଗ ଦେବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/m16-1.jpg)